Odia News Portal

ଏହି ଦେଶରେ ବନ୍ଦ ହେଲା ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜି

ଭାରତରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନିଜ୍‌ ଆପ୍‌କୁ ବ୍ୟାନ୍‌ କରିଦିଆଯାଇଛି। ଇତି ମଧ୍ୟରେ ପବ୍‌ଜି ଗେମ୍‌କୁ ମଧ୍ୟ ବ୍ୟାନ୍‌ କରିବାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପଟେ ପବ୍‌ଜି ଦକ୍ଷିଣ କୋରିଆର ଗେମ୍‌ ହୋଇଥିଲେ ମଧ୍ୟ ଏହାର ସମ୍ପର୍କ ଚୀନ୍‌ ସହ ମଧ୍ୟ ରହିଛି। ତେବେ ଭାରତରେ ଏବେ ଯାଏଁ ପବ୍‌ଜି ବ୍ୟାନ୍‌ ହୋଇନଥିବା ବେଳେ ପାକିସ୍ତାନ ଏହାକୁ ବ୍ୟାନ୍‌ କରିଛି।

ପବ୍‌ଜିକୁ ପାକିସ୍ତାନରେ ଅସ୍ଥାୟୀ ରୂପେ ବ୍ୟାନ୍‌ କରାଯାଇଛି। ଏ ସମର୍କରେ ପାକିସ୍ତାନ ତରଫରୁ କୁହାଯାଇଛି ଯେ ପବ୍‌ଜି ଯୋଗୁ ପିଲାଙ୍କ ଉପରେ କୁପ୍ରଭାବ ପଡ଼ୁଛି। ଏଣୁ ସରକାର ଏହାକୁ ବ୍ୟାନ୍‌ କରୁଛନ୍ତି। ଏନେଇ ପାକିସ୍ତାନ ଟେଲି କମ୍ୟୁନିକେସନ୍‌ ଅଥରିଟି(ପିଟିଏ) ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ପିଟିଏ ଟ୍ଵିଟ୍‌ କରି କହିଛି ‘‘ପବ୍‌ଜି ବିରୋଧରେ ଅନେକ ଅଭିଯୋଗ ଆସିଛି। କୁହାଯାଉଛି ଯେ ପିଲାମାନେ ପବ୍‌ଜି ଖେଳି ସମୟ ନଷ୍ଟ କରୁଛନ୍ତି। ପିଲାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ୁଛି।’’

ରିପୋର୍ଟ ମୁତାବକ ଜୁନ୍‌ ୨୪ ତାରିଖରେ ଜଣେ ୧୬ ବର୍ଷର ପାକିସ୍ତାନୀ ଯୁବକ ପବ୍‌ଜି ମିଶନ ପୂରଣ କରିନପାରିବାରୁ ଆତ୍ମହତ୍ୟା କରିଥିଲା। ଏଣୁ ହାଇକୋର୍ଟ ମଧ୍ୟ ଏହି ଗେମ୍‌କୁ ବ୍ୟାନ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏବେ ସାମୟିକ ଭାବେ ପବ୍‌ଜିକୁ ବ୍ୟାନ୍‌ କରାଯାଇଥିବା ସ୍ପଷ୍ଟ କରିଛନ୍ତି ପିଟିଏ।