ବେଜିଂ-ଇସଲାମାବାଦ : ଚୀନ୍ର ଋଣ ଜାଲରେ ଫସି ରହିଥିବା ପାକିସ୍ତାନ ଶେଷରେ ଚୀନର ତାଳରେ ନାଚିବାକୁ ମନସ୍ଥ କରିଛି । ଏହି ପର୍ଯ୍ୟାୟରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରତିଶ୍ରୁତି ଦେଇଛନ୍ତି ଯେ, ତାଙ୍କ ସରକାର ମହତ୍ୱାକାକ୍ଷୀ ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡର(ସିପିଇସି) ପ୍ରକଳ୍ପକୁ ଯେକୌଣସି ମୂଲ୍ୟରେ ସମ୍ପୂର୍ଣ୍ଣ କରିବେ । ଆହୁରି ମଧ୍ୟ ଚୀନ୍ ସହିତ ନିଜର ବନ୍ଧୁତ୍ୱ ପ୍ରତ୍ୟେକ ସ୍ଥିତିରେ ନିର୍ବାହ କରିବେ । ଅନ୍ୟପକ୍ଷରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି ତାଙ୍କ ଚୀନ୍ ପ୍ରତିପକ୍ଷଙ୍କ ସହ କଥା ହେବା ପରେ କେବଳ ଡ୍ରାଗନ୍ର ‘ୱାନ୍ ଚୀନ୍’ ନୀତିର ପ୍ରଚାର କରିନାହାଁନ୍ତି, ବରଂ ସର୍ବଦା ଚୀନର ସାଥ୍ ଦେବା କଥା ଦୋହରାଇଛନ୍ତି । ଉଭୟ ଦେଶ ପରସ୍ପରକୁ ସମର୍ଥନ କରିଆସୁଛନ୍ତି । ଏହି ପରମ୍ପରା ଜାରି ରହିବ ବୋଲି ସେ ଚୀନ୍କୁ ଆଶ୍ୱାସନା ଦେଇଛନ୍ତି ।
ପୂର୍ବ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ କୁରେଶି ଶୁକ୍ରବାର ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କ ସହ ଫୋନରେ କଥା ହୋଇଛନ୍ତି । ଏଥିରେ ମୁଖ୍ୟତଃ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(LAC)ର ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା । ପାକିସ୍ତାନ ପୁଣିଥରେ ‘ୱାନ ଚୀନ୍’ ନୀତିକୁ ସମର୍ଥନ କରିଛି । ସେ କହିଛନ୍ତି ଯେ, ଏହା ହଂକଂ, ତାଇୱାନ, ତିବ୍ଦତ ଏବଂ ଜିନଜିଆଙ୍ଗରେ ଚୀନକୁ ସମର୍ଥନ କରୁଛି । ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ବାର୍ତ୍ତାଳାପରେ କୁରେଶି କହିଛନ୍ତି ଯେ, ‘ଭାରତର ବିସ୍ତାରବାଦୀ ମନୋଭାବ ଏହି ଅଞ୍ଚଳର ଶାନ୍ତିକୁ ଭଙ୍ଗ କରୁଛି । ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ପୁଣି ଥରେ କାଶ୍ମୀରର ପ୍ରସଙ୍ଗ ଉପରେ କହିଛନ୍ତି ଯେ, ଭାରତ ଅଧିକୃତ ଜମିରେ ଜନସଂଖ୍ୟା ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି । ନିୟନ୍ତ୍ରଣ ଲାଇନର ପରିସ୍ଥିତି ବିଷୟରେ କୁରେଶି ୱାଙ୍ଗଙ୍କୁ ମଧ୍ୟ କହିଥିଲେ ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଭାରତର ସ୍ଥିତି ଉପରେ ନଜର ରଖିବା ଆରମ୍ଭ କରିଛନ୍ତି । ସେନା ଓ ଇଣ୍ଟେଲିଜେନ୍ସ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ସେ ଭାରତ-ଚୀନ୍ ସୀମା ବିବାଦ ଉପରେ ଆଲୋଚନା କରିଥିଲେ ।