ଭୁବନେଶ୍ୱର : କରୋନା ମହାମାରୀ ବ୍ୟାପିଲା ଦିନଠାରୁ ସରକାର କାର୍ଯ୍ୟାଳୟର ସମୟ ନିର୍ଘଣ୍ଟ, କର୍ମଚାରୀଙ୍କ ଉପସ୍ଥାନ, ଛୁଟି, କାମ ପ୍ରଭୃତି ସମ୍ପର୍କରେ ସମୟକୁ ସମୟ କେତେକାଶଂରେ କୋହଳ କରିଛନ୍ତି । ମହାମାରୀରୁ ବଞ୍ଚିବାକୁ ସରକାର ପ୍ରାଥମିକତା ଦେଇଛନ୍ତି । ସେଥି ସକାଶେ ଅଫିସ୍ ନିଆସିଲେ ବା ଛୁଟିରେ ରହିଲେ ମଧ୍ୟ ସରକାର ତାଙ୍କ କର୍ମଚାରୀଙ୍କୁ ଦରମା ଦେଇ ଆସିଛନ୍ତି । କିନ୍ତୁ ଦିଲ୍ଲୀ ସ୍ଥିତ ଆବାସିକ କମିଶନର କାମବନ୍ଦ ଆଳରେ ସେଠାକାର ଓଡିଆ କର୍ମଚାରୀଙ୍କର ଦରମା ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଫଳରେ ସେଠାରେ କାର୍ଯ୍ୟରତ କର୍ମଚାରୀମାନେ ଏବେ ଭୋକ ଉପାସରେ କାଳ କାଟୁଛନ୍ତି । ରାଜ୍ୟ ସରକାର ଦିଲ୍ଲୀ ସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ଏବଂ ଭବନ କାର୍ଯ୍ୟାଳୟରେ କେତେକ ସଂଖ୍ୟାରେ ଅସ୍ଥାୟୀ କର୍ମଚାରୀ ରୁମ୍ ବୟ, ସଫେଇ କର୍ମଚାରୀ, ଗାଡି ଚାଳକ, ରୋଷେଇ କର୍ମଚାରୀ ଭାବେ ନିୟୋଜିତ ହୋଇଛନ୍ତି ।
ସେମାନଙ୍କୁ ସରକାର ସର୍ଭିସ ପ୍ରୋଭାଇଡର ମାଧ୍ୟମରେ ନିୟୋଜିତ କରିଛନ୍ତି । କରୋନା ମହାମାରୀ ବ୍ୟାପିଲା ପରଠାରୁ ପ୍ରତିଷେଧକ ପଦକ୍ଷେପ ଆକାରରେ ସେଠାକାର ଭବନ, ନିବାସ ଓ ସଦନରେ ଅତିଥିଙ୍କୁ ରହିବାର ଅନୁମତି ଦିଆଗଲା ନାହିଁ ଭବନ ଓ ନିବାସ ଖାଲି ପଡିଲା । ସେହି ଅନୁଯାୟୀ କ୍ୟାଣ୍ଟିନ ସାଙ୍ଗକୁ ଅନ୍ୟ କେତେକ କାମ ମଧ୍ୟ ବନ୍ଦ ହୋଇଗଲା । ନିୟମିତ କର୍ମଚାରୀଙ୍କୁ ବିନା କାମରେ ଦରମା ଦିଆଯାଉଥିବାବେଳେ ଏହି ଅସ୍ଥାୟୀ କର୍ମଚାରୀଙ୍କ ଦରମା କାମ ନାହିଁ ଆଳରେ ବନ୍ଦ କରିଦିଆଯାଇଛି । ଓଡିଆ କର୍ମଚାରୀ ଏବେ ବିନା ଦରମାରେ ସୁଦୂର ପ୍ରବାସରେ କାଳ କାଟୁଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟରେ ମଧ୍ୟ ସରକାର କେତେକ ସ୍ଥଳେ ୧୦ ରୁ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରୁଚନ୍ତି । ଅର୍ଥାତ୍ ଅବଶିଷ୍ଟ ୯୦ ରୁ ୭୦ ପ୍ରତିଶତ କର୍ମଚାରୀଙ୍କୁ ବିନା କାମରେ ଦରମା ଦେଇ ଆସୁଛନ୍ତି । ସରକାର କାମ ବା ଉପସ୍ଥାନକୁ ଗୁରୁତ୍ୱ ନଦେଇ ‘ଜୀବନ’ ଓ କରୋନା ସଂକ୍ରମଣ ରୋକିବାକୁ ପ୍ରାଥମିକତା ଦେଉଛନ୍ତି ।
ସରକାରଙ୍କର ଏଭଳି ଆଭିମୁଖ୍ୟ ଥିବାବେଳେ, ଦିଲ୍ଲୀର ଆବାସିକ କମିଶନରଙ୍କ ଦପ୍ତର ଏପରି କର୍ମଚାରୀ ମାରଣ ନୀତି କିପରି ଆପଣେଇଲେ ତାହା ପ୍ରଶ୍ନବାଚୀ ହୋଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କମିଶନର ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ସରକାରଙ୍କ ସହିତ କୌଣସି ପରାମର୍ଶ କରିନାହାନ୍ତି । ଫଳରେ ଅନ୍ୟୁନ ୩୦ଜଣ କର୍ମଚାରୀ ନା ଗାଁକୁ ଆସିପାରୁଛନ୍ତି ନା ସେଠାରେ ଚଳି ପାରୁଛନ୍ତି । ଗୃହ ସଚିବ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି