ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ କର୍ମଚାରୀ ସଂଗଠନ ସଚିବାଳୟ ସେବା ସଂଘ ଏବେ ନେତାବିହୀନ । ସଂଘ ଓ କ୍ୟାଡରର ସମସ୍ୟା ବୁଝିବାକୁ କେହି ନାହିଁ । ନିର୍ବାଚନ କମିଶନ ହାତ ବାନ୍ଧି ବସିଛନ୍ତି । ସଂଘ ନେତାଙ୍କ ଅସହଯୋଗ ପୂର୍ବପରି ଲାଗି ରହିଛି । ୨୦୧୭ ଜୁଲାଇ ମାସରେ ଶେଷ ନିର୍ବାଚନ ହୋଇଥିଲା । ସେଦିନ ନିର୍ବାଚିତ ହୋଇଥିବା ନେତାଙ୍କ ଦୁଇବର୍ଷିୟା କାର୍ଯ୍ୟକାଳ ୨୦୧୯ ଜୁଲାଇ ମାସରେ ଶେଷ ହେଲା । କିନ୍ତୁ ନେତା ନିର୍ବାଚନର ନାଁ ଧରିଲେ ନାହିଁ । କାମ କଲେ ନାହିଁ, ହେଲେ ପଦବୀ ମାଡ଼ି ବସିଲେ । ଅନେକ ହଇଚଇ ପରେ ଶେଷରେ କେତେକ ସଚେତନ ସଭ୍ୟଙ୍କ ହସ୍ତକ୍ଷେପ ଯୋଗୁ ନିର୍ବାଚନ ପାଇଁ ନେତା ରାଜି ହେଲେ । ନିର୍ବାଚନ କମିଶନ ଗତ ଫେବୃଆରୀ ମାସରେ ଗଠନ କରାଗଲା । ସଭ୍ୟ/ସଭ୍ୟା ଆଶା କଲେ ଯେ ଏଥର ନୂଆ ନେତା ଆସିବେ, ସଂଘ ଆଗକୁ ବଢ଼ିବ । ସମସ୍ୟା ଦୂର ହେବା । ପୂର୍ବପରି ଗୋଷ୍ଠୀ କନ୍ଦଳ ନ ରହି ଏକତା ପ୍ରତିଷ୍ଠିତ ହେବ । କିନ୍ତୁ ନିର୍ବାଚନ କମିଶନ ନିର୍ବାଚନ ପରିଚାଳନା ପାଇଁ ପାଣ୍ଠି ମାଗିବା ସମୟରେ ଏକ ଭୁଲ କରିବସିଲେ ।
ସାଧାରଣ ସମ୍ପାଦକଙ୍କୁ ପତ୍ର ନ ଲେଖି ଉଭୟ ସଭାପତି ଓ ସାଧାରଣ ସମ୍ପାଦକଙ୍କୁ ଚିଠି ଲେଖିଲେ । ଦ୍ୱିତୀୟ ଭୁଲ ଆକାରରେ ଖର୍ଚ୍ଚ ଆକଳନ କରି ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ନ ମାଗି ପୂର୍ବ ବର୍ଷର ଖର୍ଚ୍ଚ ୨୦% ଅଧିକ ଅର୍ଥ ଦେବାକୁ କହିଲେ । ଏହା ନେତାଙ୍କୁ ସୁହାଇଲା । ଉଭୟ ସଭାପତି ଓ ସାଧାରଣ ସମ୍ପାଦକ ନୀରବ ହୋଇ ବସିପଡ଼ିଲେ । ନେତା ନିର୍ବାଚନ ଚାହୁଁ ନ ଥିବା ବେଳେ ନିର୍ବାଚନ କମିଶନଙ୍କ ଏପରି ବେପରୁଆ କାମ ନେତାଙ୍କୁ ଖୋରାକ ଯୋଗାଇଲା । ଏହାରି ଭିତରେ କରୋନା ସମସ୍ୟା ଆସିଗଲା । କଙ୍କଡ଼ାକୁ ଗୋଳିଆ ପାଣି ପରି ନେତାଙ୍କୁ ଏହା ବେଶ୍ ସୁହାଇଲା । ନିର୍ବାଚନ କମିଶନଙ୍କୁ ମଧ୍ୟ ଆଳ ମିଳିଗଲା । ସମସ୍ତେ ନିରବ ହୋଇରହିଲେ । ଇତିମଧ୍ୟରେ ନିର୍ବାଚନ ଏକବର୍ଷ ଘୁଞ୍ଚିଗଲାଣି । ସଚିବାଳୟ ସେବା ସଂଘର ଇତିହାସରେ ଏହା ଏକ କଳା ଅଧ୍ୟାୟ ବୋଲି ଲୋକ କହିଲେଣି । କିନ୍ତୁ ନା ନେତାଙ୍କୁ ଲାଜ ଅଛି ନା କମିଶନର ଦାୟିତ୍ୱ ଅଛି । ଅପରପକ୍ଷରେ କ୍ୟାଡରରେ ଦିନକୁ ଦିନ ସମସ୍ୟା ବଢ଼ି ଚାଲିଛି । ପଦବୀ ଖାଲିଥାଇ ମଧ୍ୟ କର୍ମଚାରୀ ବିନା ପଦୋନ୍ନତିରେ ଅବସର ନେଉଛନ୍ତି । ବର୍ଷ ଅଧା ହେବାକୁ ବସିଲାଣି । ନା ପଦକ୍ରମ ତାଲିକା ପ୍ରକାଶ ପାଇଛି, ନା ପଦୋନ୍ନତି ପାଇଁ କମିଟି ବସୁଛି ।
ସଭ୍ୟ/ସଭ୍ୟା କୌଣସି ମସ୍ୟାରେ ପଡ଼ିଲେ ତାଙ୍କ କଥା ବୁଝିବାକୁ କେହି ନାହିଁ । ଏ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଛନ୍ଦି ହେଲାଣି ତ କିଏ ଅଧିକାରୀଙ୍କ ଆକ୍ରୋଶର ଶିକାର ହେଲାଣି । ବର୍ତ୍ତମାନ ସଭ୍ୟ/ସଭ୍ୟା ନିଜ ସମସ୍ୟା ପାଇଁ ନିଜେ ଲଢ଼ୁଛନ୍ତି । ସଂଘ ବୋଲି କିଛି ନାହିଁ । ପୁଣି ବିଧି ଅଧିକାରୀଙ୍କ ଆକ୍ରମଣ ଜାରି ରହିଛି । ତାକୁ ମଧ୍ୟ ନେତାଏ ଅଣଦେଖା କରିଚାଲିଛନ୍ତି । ଅଭିଯୋଗ ଅନୁଯାୟୀ ଗୋଷ୍ଠୀ କନ୍ଦଳ ସଂଘକୁ ଏପରି ସ୍ତରକୁ ନେଇ ଆସିଛି । କେତେକ ସଭ୍ୟଙ୍କ କହିବାନୁଯାୟୀ ତୁରନ୍ତ ନିର୍ବାଚନ ନହେଲେ ଉଭୟ ସଂଘ ଓ କ୍ୟାଡର ଆଗକୁ ଅଧିକରୁ ଅଧିକ କ୍ଷତିଗ୍ରସ୍ତ ହେବ । ସରକାର ଦପ୍ତର, ବଜାର, ହାଟ, ଗାଡ଼ି ସବୁ ଚଲାଇବାକୁ ଅନୁମତି ଦେଇସାରିଥିବା ବେଳେ କରୋନାର ବାହାନା ନେଇ ନିର୍ବାଚନକୁ ଅଧିକ ବିଳମ୍ବ କରିବା ଠିକ୍ ନୁହେଁ ବୋଲି ମତପ୍ରକାଶ ପାଇଛି । ‘ନିର୍ବାଚନ କର ନଚେତ୍ ଇସ୍ତଫା ଦିଅ’ ବୋଲି କେତେକ ସଭ୍ୟ କମିଶନଙ୍କୁ ଚେତାବନୀ ଦେଇଛନ୍ତି ।