ଭୁବନେଶ୍ୱର : କରୋନା କଟକଣା ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଲା । ଏଥିପାଇଁ ଜଣେ ନାଏବ ସରପଞ୍ଚ ନିଲମ୍ବିତ ହେବା ସହ ଗିରଫ ହୋଇଛନ୍ତି। ତାଙ୍କ ସମେତ ମୋଟ ୧୦ ଜଣ ଗିରଫ ହୋଇଛନ୍ତି । ଏଭଳି ଘଟଣା ନଜରକୁ ଆସିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଜେ.ଡଙ୍ଗାପଦର ପଞ୍ଚାୟତରେ ।
ଗଞ୍ଜାମ ସ୍ଥିତି ଉଦ୍ବେଗଜନକ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ କଟକଣା ଲାଗୁ କରାଯାଇଛି । ଏହାସତ୍ତେ୍ୱ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା କୋଭିଡ୍ କଟକଣା ଓ ନିୟମ ଉଲ୍ଲଂଘନ କରି ବେଆଇନ ଭାବେ ଏକ ନାମଯଜ୍ଞର ଆୟୋଜନ କରିଥିଲେ। ଏହାର ଭିଡିଓ ବି ଭାରରାଲ୍ ହୋଇଥିଲା। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଘଟଣାରେ ନାଏବ ସରପଞ୍ଚ ଶ୍ରୀ ଜେନାଙ୍କୁ ନିଲମ୍ବିତ କରିଛି ପଞ୍ଚାୟତିରାଜ ବିଭାଗ। କୃଷ୍ଣଚନ୍ଦ୍ର ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଇତିମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୂଜକ ଓ ଶ୍ରୀ ଜେନାଙ୍କ ସମେତ ୧୦ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।