Odia News Portal

୧୩ରୁ ରାଜ୍ୟରେ ମୌସୁମୀ ସକ୍ରିୟ, ବର୍ଷା ବଢ଼ିବ

ଭୁବନେଶ୍ୱର : ମୌସୁମୀ ସକ୍ରିୟ ନାହିଁ। ଦକ୍ଷିଣ ପୂର୍ବ ଉତ୍ତର ପ୍ରଦେଶରୁ ଦକ୍ଷିଣ ଛତିଶଗଡ଼ ଉପର ଦେଇ ଯାଇଥିବା ଟ୍ରଫଲାଇନ୍‌ ପ୍ରଭାବରେ କିଛି କିଛି ଜାଗାରେ ବର୍ଷା ହେଉଛି । ହେଲେ ଜୁଲାଇରେ ଯେତିକି ବର୍ଷା ହେବା କଥା, ସେମିତି ବର୍ଷା ନାହିଁ । ଅଧା ରାଜ୍ୟରେ ବର୍ଷା ଅଭାବ ସ୍ଥିତି । ୨୧%ରୁ ୬୧% କମ୍‌ ବର୍ଷା ହୋଇଛି ୧୬ ଜିଲ୍ଲାରେ । ବର୍ଷା ନଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରୁନି । ଆକାଶକୁ ଅନେଇ ବସିଛି ଚାଷୀ ।

ପାଣିପାଗ ପୂର୍ବାନୁମାନ ଆଶା ଦେଖାଇଛି, ଆସନ୍ତା ୧୩ରୁ ରାଜ୍ୟରେ ମୌସୁମୀ ସକ୍ରିୟ ହେବ। ବର୍ଷା ବଢ଼ିବ। ଜୁଲାଇ ମାସରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥାଏ। ମାତ୍ର ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗତ ଜୁଲାଇ ୨ରୁ ୮ ତାରିଖ ଭିତରେ ରାଜ୍ୟରେ ଯେତିକି ବର୍ଷା ହେବା କଥା, ତା’ଠାରୁ ୧୦% କମ୍‌ ରହିଛି । ଏହି ସମୟ ଭିତରେ ରାଜ୍ୟରେ ୭୨.୩ ମିମି ବର୍ଷା ହେବା କଥା। ହେଲେ ୬୪.୮ ମିମି ବର୍ଷା ହୋଇଛି ।

ଜୁଲାଇର ପ୍ରଥମ ସପ୍ତାହରେ ଅଧା ରାଜ୍ୟରେ ବର୍ଷା ଅଭାବ ପରିସ୍ଥିତି ସୃଷ୍ଟି ହୋଇଛି । ୧୬ ଜିଲ୍ଲାରେ କମ୍‌ ବର୍ଷା ହୋଇଛି। ନୟାଗଡ଼ ସ୍ଥିତି ପୂରା ସଙ୍ଗୀନ । ନୟାଗଡ଼ରେ ମାତ୍ର ୨୭ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକଠାରୁ ୬୧% କମ୍‌ ।

ଜୁଲାଇ ୨ରୁ ୮ ତାରିଖ ଭିତରେ ଦେବଗଡ଼ରେ ୫୦% କମ୍‌ ବର୍ଷା ହୋଇଥିବାବେଳେ କଟକରେ ୪୮% କମିଯାଇଛି ବର୍ଷା। ସୋନପୁରରେ ସ୍ୱାଭାବିକଠାରୁ ୪୫% କମ୍‌ ବର୍ଷା ହୋଇଥିବାବେଳେ ଖୋର୍ଦ୍ଧାରେ ୩୯% କମିଛି ବର୍ଷା। ଏହି ସମୟରେ ପୁରୀରେ ସ୍ୱାଭାବିକଠାରୁ ୩୭%, କେନ୍ଦୁଝରରେ ୩୫%, ଢେଙ୍କାନାଳରେ ୩୩%, ନୂଆପଡ଼ାରେ ୩୩%, ଅନୁଗୁଳରେ ୩୨%, ସମ୍ବଲପୁରରେ ୩୨%, ବାଲେଶ୍ୱରରେ ୨୯%, ମୟୂରଭଞ୍ଜରେ ୨୮%, ବରଗଡ଼ରେ ୨୪%, ବଲାଙ୍ଗିରରେ ୨୪%, କଳାହାଣ୍ଡିରେ ୨୧% କମ୍‌ ବର୍ଷା ହୋଇଛି ।

ଚଳିତବର୍ଷ ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ମୋଟ ମୌସୁମୀ ବର୍ଷା ପରିମାଣ ୩୪୦.୬ ମିମି ରହିଛି । ଏହା ସ୍ୱାଭାବିକଠାରୁ ମାତ୍ର ୫% ଅଧିକ । ହେଲେ ୬ ଜିଲ୍ଲାରେ ବର୍ଷା ଅଭାବ ରହିଛି । ପୁରୀରେ ସ୍ୱାଭାବିକଠାରୁ ୪୨% କମ୍‌ ବର୍ଷା ହୋଇଥିବାବେଳେ ଯାଜପୁରରେ ୩୫%, କେନ୍ଦ୍ରାପଡ଼ାରେ ୩୪%, ଖୋର୍ଦ୍ଧାରେ ୩୨%, କଟକରେ ୩୦% ଓ ସୋନପୁରରେ ୨୧% କମ୍‌ ବର୍ଷା ହୋଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ମୌସୁମୀ ରାଜ୍ୟରେ ସକ୍ରିୟ ନଥିବାରୁ ବିଶେଷ ବର୍ଷା ହେଉନାହିଁ । ଓଡ଼ିଶା ଉପରେ କୌଣସି ଟ୍ରଫ୍‌ଲାଇନ୍‌ ମଧ୍ୟ ନାହିଁ । ଅନୁମାନ କରାଯାଉଛି, ଆସନ୍ତା ୧୩ ତାରିଖବେଳକୁ ମୌସୁମୀ ରାଜ୍ୟରେ ସକ୍ରିୟ ହେବ । ଏହି ସମୟରେ ଓଡ଼ିଶା ଉପରେ ଟ୍ରଫ୍‌ଲାଇନ୍‌ ରହିପାରେ କିମ୍ବା ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ । ନଚେତ୍‌ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସମ୍ଭାବନା ମଧ୍ୟ ରହିଛି । ଏହା ରାଜ୍ୟରେ ବର୍ଷା କରାଇବ । ବିସ୍ତୃତ ଅଞ୍ଚଳରେ ବର୍ଷା ହେବ । ଅନେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ ।
ଆଜି  (ରବିବାର) ରାଜ୍ୟର ଅନେକ ଜାଗାରେ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

ଶନିବାର ରାଜ୍ୟର ଅନେକ ଜାଗାରେ ପାଗ ମେଘୁଆ ଥିବାବେଳେ ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇଛି। ସକାଳୁ ସନ୍ଧ୍ୟା ସୁଦ୍ଧା ମାଲକାନଗିରିରେ ୧୮.୪ ମିଲିମିଟର, ଟିଟିଲାଗଡରେ଼ ୭.୨ ମିିମି, ଭବାନୀପାଟଣାରେ ୫ ମିମି, ସମ୍ବଲପୁରରେ ୨ ମିମି ବର୍ଷା ହୋଇଛି। ସନ୍ଧ୍ୟାରେ ଭୁବନେଶ୍ୱରରେ ମଧ୍ୟ ଅସରାଏ ବର୍ଷା ହୋଇଛି।