Odia News Portal

କରୋନା ସଚେତନତା କାର୍ଯ୍ୟକ୍ରମ ଠାରୁ ଦୂରରେ ସମାଜସେବୀ

ଭୁବନେଶ୍ୱର : କରୋନା ମୁକାବିଲା ଲାଗି ସଚେତନତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ସମାଜସେବୀମାନେ କିନ୍ତୁ ଏହାଠାରୁ ବହୁ ଦୂରରେ । ଲୋକଙ୍କୁ ସଚେତନ ପାଇଁ ନାଁ ସେମାନେ ନିଜ ଆଡୁ ଆଗେଇ ଆସୁଛନ୍ତି ନାଁ ସରକାର ସେମାନଙ୍କୁ ଆସିବାପାଇଁ କହୁଛନ୍ତି । ଫଳରେ ଗାଁ ଗହଳ ଠାରୁ ସହର ପର୍ଯ୍ୟନ୍ତ ଲୋକଙ୍କୁ ଯେଭଳି ସଚେତନ କରାଯିବା କଥା ତାହା ହୋଇପାରୁନାହିଁ । ରାଜ୍ୟରେ କୌଣସି ଯୋଜନା କାର୍ଯ୍ୟକାରୀ ହେଲେ କିମ୍ବା ହେବା ପୂର୍ବରୁ ରାଜ୍ୟ ସରକାର ବେସରକାରୀ ସଂସ୍ଥା ଗୁଡିକର ସହାୟତା ନେଇଥାନ୍ତି । ଏହାର ଏକମାତ୍ର କାରଣ ହେଉଛି ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ନିକଟରେ ଆବଶ୍ୟକ ମାନବସମ୍ବଳ ନାହିଁ । ଜନନୀ ସୁରକ୍ଷା ହେଉ କିମ୍ବା ପଲ୍ସ ପୋଲିଓ ଅଥବା ସଡକ ସୁରକ୍ଷା ସବୁ ଯୋଜନାର ସଫଳତା ପଛରେ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭିନ୍ନ ଅଞ୍ଚଳରେ ଲୋକଙ୍କୁ ସହଜରେ ବୁଝି ପାରୁଥିବାରୁ ଏମାନେ ସହଜରେ ଲୋକଙ୍କୁ ବୁଝାଇ ବି ପାରିଥାନ୍ତି ।
ହେଲେ କରୋନା ସଚେତନତା କ୍ଷେତ୍ରରେ ସ୍ୱେଚ୍ଛାସେବୀ ସଂସ୍ଥା ଗୁଡିକ ମୂଳରୁ ଦୂରେଇ ରହିଛନ୍ତି । ଯଦିଓ କଟକଣା ଆରମ୍ଭରୁ କିଛି ସଂସ୍ଥା ପ୍ରବାସୀ ଓ ବେସାହାରାମାନଙ୍କୁ ଖାଦ୍ୟ ଯୋଗାଇ ଦେଇଥିଲେ ତାହା କିନ୍ତୁ ଅଳ୍ପ ଦିନ ମଧ୍ୟରେ ସୀମିତ ହୋଇଯାଇଥିଲା । କରୋନା ସଚେତନତା ଏହାର ଅର୍ନ୍ତଭୁକ୍ତ ନଥିଲା । ଯେତେବେଳେ କରୋନା ବିରୁଦ୍ଧରେ ଅସଲ ଯୁଦ୍ଧ ଆରମ୍ଭ ହେଲା ସେତେବେଳେ ସ୍ୱେଚ୍ଛାସେବୀ ସଂସ୍ଥା ଗୁଡିକ ମଇଦାନରୁ ଏକ ପ୍ରକାର ପ୍ରସ୍ଥାନ କରିଥିଲେ । ନାଁ ସେମାନେ ନିଜ ଆଡୁ ଆସିଲେ ନାଁ ସରକାର ସେମାନଙ୍କୁ ଦାୟିତ୍ୱ ଦେଲେ । କରୋନା ମୁକାବିଲାରେ ସରକାର ସରପଞ୍ଚଙ୍କୁ ଦାୟିତ୍ୱ ଦେଇଥିବାବେଳେ ସେମାନେ ଏବେ ଟିଏମ୍‍ସି ଗୁଡିକୁ ଠିକଣା ଭାବେ ପରିଚାଳନା କରିପାରୁନଥିବାର ଅନେକ ଅଭିଯୋଗ ଆସିବାରେ ଲାଗିଛି । ବିଶେଷକରି ଟିଏମ୍‍ସିରେ ଖାଦ୍ୟ ପେୟ ଓ ପରିଷ୍କାର ପରିଚ୍ଛନ୍ନତାରେ ଗୁରୁତର ତ୍ରୁଟି ପରିଲକ୍ଷିତ ହେଉଛି ।
ଏ କ୍ଷେତ୍ରରେ ସ୍ୱେଚ୍ଛାସେବୀ ସଂସ୍ଥା ଗୁଡିକୁ ଦାୟିତ୍ୱ ଦିଆଯାଇଥିଲେ ବିଶେଷ ଫାଇଦା ମିଳିଥାନ୍ତା ବୋଲି ଅନେକ ଅଧିକାରୀ ମତ ଦେଉଛନ୍ତି । ସେହିଭଳି ଆଶା ଓ ଅଙ୍ଗନବାଡି କର୍ମୀମାନେ ସ୍ୱାସ୍ଥ୍ୟ ସୂଚନା ସଂଗ୍ରହ କାର୍ଯ୍ୟରେ ଲାଗିଥିବାରୁ ଲୋକଙ୍କୁ ସଚେତନ କରିବା ସେମାନଙ୍କ ଆୟତ୍ତ ବାହାରେ ହୋଇଯାଇଛି । ତେଣୁ ଲୋକେ ଯେଭଳି ସଚେତନ ହେବାକଥା ତାହା ହୋଇପାରୁ ନାହିଁ । ବିଭିନ୍ନ ସମୟରେ ସରକାରୀ ପ୍ରକଳ୍ପ କାର୍ଯ୍ୟକାରୀ କରି କାୟା ବିସ୍ତାର କରିଥିବା ଏନ୍‍ଜିଓମାନଙ୍କ ସହଯୋଗ ନେଇ ରାଜ୍ୟ ସରକାର ତୁରନ୍ତ ଜନସଚେତନତା ସହିତ ଟିଏମ୍‍ସି ପରିଚାଳନା କରିବାକୁ କିଛି ଅବସରପ୍ରାପ୍ତ ଅଧିକାରୀ ମତ ଦେଉଛନ୍ତି ।