Odia News Portal

ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ପୁରୀ : ପୁରୀରେ ଶସ୍ତା ମାଲ ପରିବହନର ମାଧ୍ୟମ ରହିଛି ଠେଲାବାଲା । ଠେଲାରେ କିଏ ଦୋକାନ ଦେଉଛି ତ ଅନ୍ୟ କିଏ ଠେଲାକୁ ମାଲ ପରିବହନରେ ନିୟୋଜିତ କରୁଛି । ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରୁ ଏବେ ମାଲ ଓହ୍ଲାଉନି । ସେହିଭଳି ବଜାର ବେପାରୀଙ୍କ ମୁଖ୍ୟ ଭରସା ଠେଲାଗାଡି ରହିଛି । ଦୋକାନ ବିଜାରକୁ ପ୍ରଶାସନ କରୋନା ସଂକ୍ରମଣ ଆଶଙ୍କାରେ ବନ୍ଦ କରି ଦେଇଛି । ଏହା ଦ୍ୱାରା ଠୋଲା ଗାଡିରେ ଛୋଟ ଛୋଟ ବେପାର କରୁଥିବା ଠେଲା ଦୋକାନୀମାନଙ୍କ ହାତବାନ୍ଧି ହୋଇଯାଇଛି । ସେହିଭଳି ରେଳ ଷ୍ଟେସନ, ବସଷ୍ଟାଣ୍ଡରୁ ମାଲ ପରିବହନକୁ ମଧ୍ୟ ଲକ୍‌ ଡାଉନରେ ବନ୍ଦ କରାଯିବା କାରଣରୁ ଠେଲାରେ ମାଲ ପରିବହନ ସମୂର୍ଣ୍ଣ ବନ୍ଦ ହୋଇଯାଇଛି ।

ନୟାଗଡର ମୋହନ ସାହୁ ଏବଂ ପେଣ୍ଠକଟାର ଏମ୍‌ ରାମଚନ୍ଦ୍ରଡୁ ଠେଲା ଚାଳକ କହିଛନ୍ତି ସକାଳେ ଭାଗ୍ୟରେ ଥିଲେ କେବଳ ଲକ୍ଷ୍ମୀ ବଜାରରୁ ଗୋଟିଏ ଭଡା ମିଳେ । ତାହା ବି ଠିକଣା ସମୟରେ ସକାଳୁ ସକାଳୁ ପହଞ୍ଚିଲେ ମିଳେ । ପନିପରିବା, ଗହମ, ଅଟା, ଚାଉଳ ଆଦି ଖାଦ୍ୟୃ ପଦାର୍ଥର ଠୋଲାରେ ପରିବହନକୁ ପ୍ରଶାସନ କଟକଣାରୁ ବାଦ ଦେଇଛି । ତେଣୁ କରି ଲକ୍ଷ୍ମୀ ବଜାର ହିଁ ଏବେ ଏକ ମାତ୍ର ଭରସା ରହିଛି । କିନ୍ତୁ ୧୨ ଠେଲାବାଲାଙ୍କ ମଧ୍ୟରୁ ସମସ୍ତଙ୍କ ଭାଗ୍ୟରେ ଦିନକୁ ଗୋଟିଏ ଭଡା ମିଳିବା ଭାଗ୍ୟରେ ଥିଲେ ହିଁ ସମ୍ଭବ ହୋଇଥାଏ ବୋଲି ଏମାନେ କହିଛନ୍ତି । ଏମାନଙ୍କ ପାଇଁ ବି କୌଣସି ସରକରୀ ସହାୟତା ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇନାହିଁ ।

ସହରର ପ୍ରମୁଖ ଶସ୍ତା ପରିବହନ ମାଧ୍ୟମ ହେଉଛି ରିକ୍ସା । ଦୂର ଗ୍ରାମାଞ୍ଚଳରୁ ଆସୁଥିବା ଲୋକଙ୍କ ଏକମାତ୍ର ଭରସା ରିକ୍ସା । ସହରରେ କରୋନା ଲକ୍‌ଡାଉନ ଲାଗିବା ଦିନରୁ ରିକ୍ସାବାଲାମାନେ ଉପାର୍ଜନ ହରାଇଛନ୍ତି । ପୁରୀ ସହରକୁ ଯାତ୍ରୀବାହୀ ବସ, ଟୁରିଷ୍ଟ ବସ ତଥା ଅନ୍ୟ ଦୂରାଞ୍ଚଳରୁ ଭଡ଼ାରେ ଯାତ୍ରୀ ନେଇ ଆସୁଥିବା ବସକୁ ସହର ଭିତରେ ପ୍ରବେଶ ମନା ହେବା ଦିନରୁ ରିକ୍ସାବାଲା ତାର ଉପାର୍ଜନ ହରାଇ ବସିଛି । ରିକ୍ସାମାଲିକ ଏମାନଙ୍କ କଥା ବୁଝେନାହିଁ । ରିକ୍ସା ଚାଲିଥିବା ପର୍ଯ୍ୟନ୍ତ ଭଲ ମନ୍ଦ ପଚାରି ରିକ୍ସା ମାଲିକ କିଛି ସହାୟତା ଦେଇଥାନ୍ତି । କିନ୍ତୁ ରିକ୍ସା ଚକ ବନ୍ଦ ପରେ ରିକ୍ସାଚାଳକ ନିରାଶ୍ରୟ ହୋଇ ପଡୁଛି । ଫୋନି ବେଳେ ଏମିତି ଅବସ୍ଥା ଦେଖା ଦେଇଥିଲା । ଏହାର ଏକ ବର୍ଷ ନ ପୂରୁଣୁ ପୁଣି ଏକ ଚଡ଼କ ରିକ୍ସାଚାଳକ ଉପରେ ପଡ଼ିଛ ।

ଲକ୍‌ଡାଉନ ଯୋଗୁ ବସ ଚଳାଚଳ ବନ୍ଦ ହେବା ପରେ ଏମାନେ ଆଉ ନିଜ ନିଜର ଗ୍ରାମକୁ ଫେରି ପାରିନାହାନ୍ତି । ଯାହା କିଛି ସଞ୍ଚୟ ରହିଛି ତାକୁ ବିନିଯୋଗ କରି ଦିନ କାଟୁଛନ୍ତି । ମୁଖ୍ୟତଃ ନୟାଗଡ, ଖୋର୍ଦ୍ଧା, ଗଞ୍ଜାମ, ବଲେଶ୍ୱର, ଭଦ୍ରକ ଇଲାକାରୁ ଏହି ରିକ୍ସାବାଲା ଶ୍ରୀକ୍ଷେତ୍ରରେ ମୁଣ୍ଡ ଗୁଞ୍ଜି ଉପାର୍ଜନ କରି ଆସୁଛନ୍ତି । କରୋନା ଅକାଳ ଚଡକ ପରେ ଏମାନେ ଉପାର୍ଜନ ହରାଇ ବସିଛନ୍ତି । ଗ୍ରାମକୁ ଯିବାକୁ ବସ୍‌ ନାହିଁ କି ପୁରୀରେ ଉପାର୍ଜନ ନାହିଁ । କେତେ ଦିନ ଏମିତି ଚଳିବେ ତାହା ନେଇ ଚନ୍ତିାରେ ଅଛନ୍ତି ଏହି ଲୋକମାନେ ।