ଭୁବନେଶ୍ୱର : କରୋନା ମହାମାରୀରେ ଏବେ ରାଜ୍ୟରେ ଲଗାତାର ଭାବେ ମୁଣ୍ଡ ଗଡୁଛି । ସ୍ଥିତି ବି ସଙ୍ଗୀନ ହେଉଛି । ହେଲେ ଏଭଳି ସ୍ୱାସ୍ଥ୍ୟ ସଙ୍କଟ ସମୟରେ ଆର୍ନ୍ତଜାତୀୟ ସଂସ୍ଥା ଗୁଡିକର ନିରବତା ସମସ୍ତଙ୍କୁ ଆ୧⁄୨ର୍ଯ୍ୟ କରିଛି । ସ୍ୱାସ୍ଥ୍ୟସେବା ସହିତ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ଆର୍ନ୍ତଜାତୀୟ ସଂଗଠନ ଗୁଡିକ କାହିଁକି ନିରବ ରହିଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି । ଆର୍ନ୍ତଜାତୀୟ ସଂଗଠନ ବିଶେଷକରି ୟୁନିସେଫ୍, ୟୁଏନ୍ଏଫ୍ପିଏ, ଅକ୍ସଫାମ୍, ଆକ୍ସନଏଡ୍, ଏଡ୍ ଏଟ୍ ଆକ୍ସନ, ସେଭ୍ଦିଚିଲ୍ଡ୍ରେନ, ୟୁଏନ୍ଡିପି, ଭଳି ଅନେକ ଗୁଡିଏ ଆର୍ନ୍ତଜାତୀୟ ସ୍ତରର ସଂଗଠନର ଦପ୍ତର ଓ ଏହାର କର୍ମକର୍ତ୍ତା ରାଜ୍ୟରେ ରହିଛନ୍ତି । ଏମାନେ ପ୍ରାୟ ବର୍ଷ ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବା, ଖାଦ୍ୟ ସୁରକ୍ଷା ଓ ସଚେତନତା ଆଦି କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି । ବିଶେଷକରି ରାଜ୍ୟ ସ୍ତରର ଏନ୍ଜିଓମାନଙ୍କ ସହଯୋଗରେ ଏମାନେ ରାଜ୍ୟରେ ବିଭିନ୍ନ ପ୍ରକାର ସଚେତନତା, ପୁନରୁଦ୍ଧାର, ଜୀବିକା ପ୍ରକଳ୍ପ ଆଦି କାର୍ଯ୍ୟକାରୀ କରିଥାନ୍ତି । ସାମୂହିକ ଟୀକାକରଣ ଯୋଜନା ଇନ୍ଦ୍ରଧନୁଷ, ଖାଦ୍ୟ ନିରାପତ୍ତା ଯୋଜନା ସଂକ୍ରାନ୍ତରେ ସଚେତନତା, ପଲ୍ସ ପୋଲିଓ, ପ୍ରବାସୀ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇବା ଓ ଅନ୍ୟ ରାଜ୍ୟରୁ ଉଦ୍ଧାର ଆଦିର ସଫଳତା ପଛରେ ଏମାନଙ୍କର ବେଶ୍ ଅବଦନା ରହିଛି ।
ହେଲେ କରୋନା ମହାମାରୀ ସମୟରେ ଏମାନଙ୍କ ମଧ୍ୟରୁ ଅନେକ ଏକ ପ୍ରକାର ନିରବ । ନାଁ ଏମାନେ ଆଗକୁ ଆସୁଛନ୍ତି ନା ରାଜ୍ୟ ସ୍ତରର ସଂସ୍ଥା ଗୁଡିକୁ ସହାୟତା କରି ଆଗକୁ ଛାଡୁଛନ୍ତି । ବିଦେଶୀ ଅର୍ଥରେ ଅତିତରେ ଓଡିଶାରେ ଅନେକ କାର୍ଯ୍ୟ କରି ସଫଳତା ସାଉଁଟିଥିବା ସଂସ୍ଥା ବି ଏବେ ନିରବ । ଏମାନଙ୍କ ମଧ୍ୟରୁ କିଛି କେବଳ ଏବେ ୱେବନାରରେ ମାତିଥିବା ଲକ୍ଷ୍ୟ କରାଯାଉଛି । ଆଉ କିଛି ତ ୱେବନାରରେ ବିଭିନ୍ନ ଜାତୀୟ ଓ ଆର୍ନ୍ତଜାତୀୟ ସଂସ୍ଥା ଓ ବିଶେଷଜ୍ଞଙ୍କ ସହିତ ଆଲୋଚନା କରି ତାହାର କିଭଳି ପ୍ରଚାର ପ୍ରସାର ହେବ ସେ ଦିଗରେ ଧ୍ୟାନ ଦେଉଛନ୍ତି । କେତେକ ସଂସ୍ଥାର କର୍ମକର୍ତ୍ତା ଗଣମାଧ୍ୟମରେ କେବଳ ପରାମର୍ଶ ଦେଇ ତାଙ୍କର କାମ ସାରିଦେଉଛନ୍ତି । କ୍ଷେତ୍ର ସ୍ତରରେ ଏମାନଙ୍କ ମଧ୍ୟରୁ ଅନେକଙ୍କ ଦେଖାଦର୍ଶନ ମିଳୁନାହିଁ । ବର୍ତ୍ତମାନ କରୋନା ମାଡରେ ଲୋକେ ଜୀବନ ଜୀବିକା ହରାଇବାରେ ଲାଗିଛନ୍ତି । ଛୋଟ ଛୋଟ ଶିଶୁମାନେ ଧିରେ ଧିରେ ଅପପୁଷ୍ଟିର ଶିକାର ହେବା ଆରମ୍ଭ କଲେଣି । ପିଲାଙ୍କ ପାଠପଢା ବି ଧିରେ ଧିରେ ପ୍ରଭାବିତ ହେଲାଣି । ଗରିବ ପିଲାମାନଙ୍କ ନିକଟରେ ସାଧନ ଅଭାବରୁ ସେମାନେ ଅନ୍ଲାଇନ୍ ପାଠପଢା ଠାରୁ ଦୂରରେ । ପ୍ରବାସରୁ ଫେରିଥିବା ଲୋକେ ପେଟ ଚାଖଣ୍ଡକ ପାଇଁ ପୁଣି ଲେଉଟାଣି ଆରମ୍ଭ କଲେଣି । ଲୋକଙ୍କୁ କରୋନା କବଳରୁ ରକ୍ଷାପାଇଁ ସଚେତନ କରିବାକୁ ସରକାର ନାକେଦମ ହେଉଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ସବୁକିଛି ବିଗିଡିବାରେ ଲାଗିଛି । ଏଭଳି ସ୍ଥିତିରେ ଆର୍ନ୍ତଜାତୀୟ ସଂସ୍ଥାର ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ କେତେକ ଆର୍ନ୍ତଜାତୀୟ ସଂସ୍ଥା କିଛିଦିନ ହେଲା ରାଜ୍ୟରେ ନିଜେ ସବୁକିଛି କାର୍ଯ୍ୟକାରୀ କରିବାରେ ଲାଗିଛନ୍ତି । ପୂର୍ବଭଳି ଆଉ ରାଜ୍ୟସ୍ତରୀୟ ସଂସ୍ଥାର ସହଯୋଗ ନେଉନାହାନ୍ତି । ଏହାର କାରଣ ଅର୍ଥ ବୋଲି ଅନେକ ମତ ଦେଉଛନ୍ତି ।
ଯେଉଁ ସଂସ୍ଥା ଅର୍ଥ ସହାୟତା ଦେଇ କାର୍ଯ୍ୟ ତଦାରଖ କରିବା କଥା ସେହି ସଂସ୍ଥା ନିଜେ କ୍ଷେତ୍ରକୁ ଓହ୍ଲାଇବାରୁ ବିଚିତ୍ର ଅବସ୍ଥା ସୃଷ୍ଟି ହୋଇଛି । କାରଣ ବହୁ ଆର୍ନ୍ତଜାତୀୟ ସଂସ୍ଥା ନିକଟରେ ଏଭଳି କାର୍ଯ୍ୟ ପାଇଁ ମାନବସମ୍ବଳର ଘୋର ଅଭାବ ରହିଛି । ଏମାନେ ଯୋଜନାର ତଦାରଖ ଭଲ ଭାବେ କରିପାରିବେ । ହେଲେ ନିଜେ ତାହାକୁ କ୍ଷେତ୍ର ସ୍ତରରେ କାର୍ଯ୍ୟକାରୀ କରିବା ସହଜ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତିା ତେବେ ଏହି ଆର୍ନ୍ତଜାତୀୟ ସଂଗଠନ ଗୁଡିକ ମଧ୍ୟରୁ କେତେକରେ ଓଡିଶାର ଲୋକେ ପୁରୋଧା ସାଜିବାପରେ ଏଭଳି ଅବସ୍ଥା ସୃଷ୍ଟି ହେବା ନେଇ ବି ଆଲୋଚନା ଚାଲିଛି । ତେବେ ସେ ଯାହା ହେଉ ମହାମାରୀ ସମୟରେ ଏମାନେ ନିରବ ନରହି ସହାୟତାର ହାତ ବଢାଇବାକୁ ମତପ୍ରକାଶ ପାଉଛି ।