ଭୁବନେଶ୍ଵର : ସେ ସ୍ୱପ୍ନ ଦେଖନ୍ତି । ସ୍ୱପ୍ନ ଦେଖିବାକୁ ଖୁବ ଭଲ ବି ପାଆନ୍ତି । ନିଦ୍ରାରେ ନୁହେଁ ଆଖି ଖୋଲି ସେ ସ୍ୱପ୍ନ ଦେଖନ୍ତି ଆଉ ସେହି ସ୍ୱପ୍ନ ତାଙ୍କୁ ଶୋଇବାକୁ ଦିଏ ନାହିଁ ଯେପର୍ଯ୍ୟନ୍ତ ତାହା ସାକାର ନହୋଇଛି । ସେଇଥିପାଇଁ ତ ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଗରିବ ଯୁବକ ଯୁବତୀମାନଙ୍କ ଶିକ୍ଷା, ଉତଥାନ ଓ ଆତ୍ମନିଯୁକ୍ତି ପାଇଁ ସେ ଖୋଲିଛନ୍ତି । ଡ୍ରିମ ମ୍ୟାନେଜମେଣ୍ଟ କଲେଜ, କଳାହୀରାର ସହର ତାଳଚେରର, ଯେଉଁଠି ଅନେକ ଗରିବ ମେଧାବୀ ଛାତ୍ର ଛାତ୍ରୀ ବିନା ମୂଲ୍ୟରେ ବା ଅଳ୍ପ ମୂଲ୍ୟରେ ବୈଷୟିକ ଶିକ୍ଷା ଗ୍ରହଣ କରି ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହୋଇଅଛନ୍ତି । ଏହି କଲେଜ ମାଧ୍ୟମରେ ସେ ତାଙ୍କର ସ୍ୱପ୍ନ ସାକାର କରି ଚାଲିଛନ୍ତି ଦୀର୍ଘ ଛ’ ବର୍ଷ ଧରି । ସେ ହେଉଛନ୍ତି ଉକ୍ତ କଲେଜର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦୀପ୍ତିରଞ୍ଜନ ବିଶ୍ୱାଳ, ଏକ ଦରଦୀ ମଣିଷ, ଗରିବର ପେଟ ଚିହ୍ନୁନଥିବା ଈଶ୍ୱରଙ୍କ ଏକ ଅନବଦ୍ୟ ସୃଷ୍ଟି । ହାଡଭଙ୍ଗା ଶୀତରେ କମ୍ବଳ ବା ଶୀତବସ୍ତ୍ର ବଣ୍ଟନ ହେଉ ବା ଗରିବ ବିଧବା ନିଆଶ୍ରୀମାନଙ୍କୁ ଆର୍ଥିକ ସାହାଯ୍ୟ ହେଉ; ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷାଦାନ ହେଉ ବା ମାଗଣା କମ୍ପ୍ୟୁଟର ଶିକ୍ଷା ହେଉ, ବର୍ଷ ଧାରା ଚାଲିଥାଏ ଦୀପ୍ତିରଞ୍ଜନଙ୍କର ଜନହିତକର କାର୍ଯ୍ୟ ।
ସାରା ଜଗତର ମାନବ ସଭ୍ୟତାକୁ ଓ ମାନବ ସଭ୍ୟତାର ଭବିଷ୍ୟତକୁ ହଲଚଲ କରିଥିବା କରୋନା ମହାମାରୀ ସମୟରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗୁଡିକର ଗରିବ ମଣିଷ ମାନଙ୍କ ପାଇଁ ଦୀପ୍ତିରଞ୍ଜନ ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରି ତାଙ୍କ
ମୁହଁରେ ହସ ଫୁଟାଇଛନ୍ତି । ବାହାର ରାଜ୍ୟରେ ଫଶିରହିଥିବା ଓଡ଼ିଆ ଲୋକମାନଙ୍କୁ ଉଦ୍ଧାର ପାଇଁ ଦୀପ୍ତି ଆରମ୍ଭ କରିଛନ୍ତି ମିଶନ ‘ହୋମକମିଂ’ । ଏହି ମିଶନରେ ସେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନିଜର ଠିକଣା, ଇମେଲ ଓ ଫୋନନମ୍ବର ଦେଇ ଜଣାଇଥିଲେ । ତା ପରେ ଆରମ୍ଭ ହୋଇଗଲା ଶହଶହ ପ୍ରବାସୀ ଓଡ଼ିଆ ମାନଙ୍କର ଯୋଗାଯୋଗ । କେଉଁଠୁ ଓ କେମିତି ଆସିବେ । ବିନାମୂଲ୍ୟରେ ଟିକେଟ ବୁକିଂ ସହ ସେମାନଙ୍କର ସମସ୍ତ ଦାୟିତ୍ୱ ନେଇ ଓଡ଼ିଶାରେ ନିଜ ନିଜ ଘରକୁ ଆଣି ପହଞ୍ଚାଇଥିଲେ ଦୀପ୍ତି ।