ଭୁବନେଶ୍ୱର : ଅର୍ଥ ବିଭାଗ ଖର୍ଚ୍ଚକାଟ୍ ପାଇଁ ଗତ ସାତ ତାରିଖରେ ଯେଉଁ ନିର୍ଦ୍ଦେଶନାମା ଜାରି କରିଛି ତାହା ଦ୍ୱାରା ରାଜ୍ୟର ବିଭିନ୍ନ ସରକାରୀ ଦପ୍ତର ଓ ସଂସ୍ଥାରେ କାର୍ଯ୍ୟରତ ଲକ୍ଷାଧିକ କର୍ମଚାରୀ ଛଟେଇ ହୋଇଯିବେ । ରୋଜଗାର ବନ୍ଦ ଯୋଗୁଁ କରୋନା କାଳରେ ସେମାନଙ୍କ ଘରେ ଚୂଲି ଜଳିବ ନାହିଁ । ପିଲାଙ୍କ ପାଠପଢା ଓ ସ୍ୱାସ୍ଥ୍ୟ କଥା ଚିନ୍ତା କରି ଅନେକଙ୍କ ନିଦ ହଜିଗଲାଣି । କାରଣ କରୋନା କାଳରେ ସେମାନେ ଅନ୍ୟ ରୋଜଗାରପନ୍ଥା ବି ଗ୍ରହଣ କରିପାରିବେ ନାହିଁ । ତେଣୁ ସରକାର ମାନବିକତା ଦୃଷ୍ଟିକୋଣରୁ ଏଭଳି ନିର୍ଦ୍ଦେଶନାମାର ସଂଶୋଧନ ପାଇଁ ଦାବି ହେଉଛି । ସରକାର ଆର୍ଥିକ ମାନ୍ଦାବସ୍ଥାରୁ ତ୍ରାହି ପାଇବାପାଇଁ ବିଭିନ୍ନ ଖର୍ଚ୍ଚ ଉପରେ କଟକଣା ଲଗାଇଛନ୍ତି । କଟକଣାରେ କୁହାଯାଇଛି ଯେ ଠିକା କର୍ମଚାରୀଙ୍କୁ ଚୁକ୍ତି ମୁତାବକ ତାଙ୍କ ବେତନ ଦିଆଯିବ । କିନ୍ତୁ କରୋନା ଲକ୍ଡାଉନ୍ କାଳରେ ତାଙ୍କର ଚୁକ୍ତି ଅବଧି ଶେଷ ହେଉଥିଲେ ତାହା ଆଉ ପୂର୍ବଭଳି ଆପଣାଛାଏଁ ନବୀକରଣ ହେବାନହିଁ । ସେଥିପାଇଁ ଅର୍ଥ ବିଭାଗରୁ ଅନୁମଦୋନ ନେବାକୁ ପଡିବ । ଏ ସର୍ତ୍ତ କିନ୍ତୁ ଅବସରପ୍ରାପ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେବନାହିଁ । ଅର୍ଥ ବିଭାଗର ଏହି ଆଦେଶନାମା ସକାଶେ ଅନେକ ଠିକା କର୍ମଚାରୀ ଜୀବିକା ହରାଇବା ଆଶଙ୍କାରେ ପ୍ରମାଦ ଗଣିଲେଣି । ଏଠାରେ ଉଲ୍ଲେଖନୀୟ ଯେ ଏ ଠିକା କର୍ମଚାରୀଙ୍କୁ ସରକାର ସବୁବେଳେ ଅବହେଳାର ଅଭିଯୋଗ ହେଉଛି ।
କର୍ମଚାରୀ ନେତାଙ୍କ କହିବା ଅନୁଯାୟୀ ଏମାନେ ଦୀର୍ଘ ବର୍ଷ ଧରି ନିୟମିତ କାମ କରିଆସୁଥିଲେ ହେଁ ସେମାନଙ୍କୁ ସ୍ଥାୟୀ କରାଯାଉନାହିଁ । ବାର ପନ୍ଦର ବର୍ଷ ଦରି କେବଳ ସ୍ୱଳ୍ପ ଦରମା ଏମାନଙ୍କୁ ଦିଆଯାଏ । ଷଷ୍ଠ ବେତନ କମିଶନ କାଳରେ ମୋଟ ୭୧୦୦ ଟଙ୍କା ପାଉଥିଲେ । ଆଶା କରୁଥିଲେ ସପ୍ତମ ବେତନ ହାରେ ମୂଳ ଦରମା ଆକାରୋର ୧୯,୯୯୦ ପାଇବେ । କିନ୍ତୁ ସରକାର ମାତ୍ର ୮୮୮୦ ଟଙ୍କା ଦେଲେ । ଏହି ଉଚ୍ଚ ଶିକ୍ଷିତ, ଦକ୍ଷ କର୍ମଚାରୀମାନେ ଗୋଟିଏ କୁଶଳୀ ଦିନ ମଜୁରୀଆ ଠାରୁ ମଧ୍ୟ କମ୍ ବେତନ ପାଇଥାନ୍ତି । ଏପରି ସ୍ତିତିରେ କାଳ କାଟୁଥିବାବେଳେ ଏବେ ତାଙ୍କ ଉପରେ କରୋନା ମାଡ ପଡିଛି । ଉାନବିକ ଅଧିକାର କର୍ମୀ ଓ ସମାଜସେବୀଙ୍କ କହିବା ଅନୁଯାୟୀ ଅର୍ଥ ବିଭା ଏପରି କଟକଣା ଲଗାଇବା ସମୟରେ ସରକାରଙ୍କ କରୋନା ସହାୟତା ବିଷୟ ଭୁଲି ଯାଇଛନ୍ତି ।
କରୋନା କାଳରେ ସରକାର ଉଠାଦୋକାନ, ପରିବା ବିକାଳି, ରିକ୍ସା ଚାଳକ, ଛୋଟ ବ୍ୟବସାୟୀ ଏପରିକି ଭିକାରୀମାନଙ୍କୁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମାଗଣା ଖାଇବା ବ୍ୟବସ୍ଥା କରୁଥିବାବେଳେ ଦୀର୍ଘଦିନ ଧରି ସରକାରଙ୍କ କାମ କରି ଆସୁଥିବା ଏହି ସ୍ୱଳ୍ପ ବେତନଭୋଗୀ କର୍ମଚାରୀଙ୍କୁ ମାନ୍ଦାବସ୍ଥା ଆଳରେ ପେଟରେ ଲାତ ମାରିବା ଠିକ୍ ହୋଇନାହିଁ । କେତକ କର୍ମଚାରୀଙ୍କ କହିବା ଅନୁଯାୟୀ ସରକାର ଆବଶ୍ୟକତା ନଥିବା ସ୍ଥଳେ ଯେଉଁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମୋଟା ଅଙ୍କର ପାଉଣା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଇ ପୁନଃ ନିଯୁକ୍ତ କରୁଛନ୍ତି, ତାଙ୍କୁ ଛଟେଇ କରି ସେହି ଅର୍ଥରେ ଏହି ଠିକା କର୍ମଚାରୀଙ୍କୁ ବେତନ ଦିଅନ୍ତୁ । ଏମାନଙ୍କୁ ମୁଣ୍ଡରେ ପରିବାର, ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟର ଯେଉଁ ବୋଝ ରହିଛି ସରକାର ତାହାକୁ ମାନବିକତା ଦୃଷ୍ଟିକୋଣରୁ ବିଚାର କରିବା ଆବଶ୍ୟକ ।