Odia News Portal

ରାଜନୀତିକୁ ଉଚ୍ଚଶିକ୍ଷିତ ଛାତ୍ରଙ୍କ ବଦଳରେ ଆସିପାରନ୍ତି ଗାଁ ଟାଉଟର

ଭୁବନେଶ୍ୱର : ଆଗାମୀ ଦିନରେ ଶିକ୍ଷାନୁଷ୍ଠାନରୁ ଆଉ ଯୁବ ନେତା ବାହାରିବେନି । ଗାଁ ଗହଳର ଟାଉଟରମାନେ ନୂଆ ନେତାଭାବେ ରାଜନୀତିକୁ ଆସିବେ । ଏମାନଙ୍କ ହାତରେ ରାଜ୍ୟର ଭବିଷ୍ୟତ ରହିବ ବୋଲି ମତ ଦେଉଛନ୍ତି ରାଜ୍ୟର ଅନେକ ବରିଷ୍ଠ ନେତା ଓ ରାଜନୈତିକ ବିଶ୍ଲେଷକ । କରୋନା ମହାମାରୀ ଯୋଗୁଁ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକରେ ତାଲା ପଡିବା ଓ ନିକଟ ଭବିଷ୍ୟତରେ ନିର୍ବାଚନ ସମ୍ଭାବନା ନଥିବାରୁ ଏଭଳି ଆଶଙ୍କା ପ୍ରକାଶ କରାଯାଉଛି । ଗତ କିଛି ବର୍ଷ ଧରି ରାଜ୍ୟର ନାମୀ ଦାମୀ ଶିକ୍ଷାନୁଷ୍ଠାନରେ ନିର୍ବାଚନ ବନ୍ଦ ରହୁଛି । ଅଧିକାଂଶ ସ୍ଥାନରେ ଗଣ୍ଡଗୋଳ ଆଶଙ୍କାରେ କର୍ତ୍ତୃପକ୍ଷ ହେଉ କିମ୍ବା ସରକାର ନିର୍ବାଚନକୁ ସ୍ଥଗିତ ରଖୁଛନ୍ତି । ତେଣୁ ଯେଉଁମାନେ ଛାତ୍ର ରାଜନୀତିରୁ ରାଜେନୌତିକ କ୍ୟାରିଅର ଆରମ୍ଭ କରିବାକୁ ଇଚ୍ଛୁକ ଥିଲେ ସେମାନେ ଧିରେ ଧିରେ ଏ ଦିଗରୁ ମୁହଁ ଫେରାଇବାରେ ଲାଗିଛନ୍ତି । ତେବେ ଯେଉଁ କେତେକ ଶିକ୍ଷାନୁଷ୍ଠାନରେ ର୍ନିବାଚନ ହେଉଥିଲା ସେଠାରୁ ବିଭିନ୍ନ ରାଜନୈତିକ ଦଳର ସମର୍ଥନରେ ଯୁବ ନେତାମାନେ ନିର୍ବାଚନ ଲଢିବା ସହିତ ରାଜନୀତିରେ ପାଦ ରଖୁଥିଲେ । ଏହା ରାଜନୀତିର ପ୍ରଥମ ପାହାଚ ହୋଇଥିବାବେଳେ ଶିକ୍ଷାନୁଷ୍ଠାନରୁ ଆସୁଥିବା ଛାତ୍ରନେତାମାନେ ଭବିଷ୍ୟତର ଜଣେ ଜଣେ ଭଲ ରାଜନେତା ହୋଇପାରିବେ ବୋଲି ଆଶା କରାଯାଉଥିଲା ।
କାରଣ ଅତୀତରେ ଛାତ୍ର ରାଜନୀତିକୁ ଆସି ଅନେକ ଯୁବ ପ୍ରତିଭା ଆଜିର ଦିନରେ କେନ୍ଦ୍ର ଠାରୁ ଆରମ୍ଭକରି ରାଜ୍ୟ ସରକାରରେ ମବୀ ଭାବେ ସ୍ଥାନ ପାଇଛନ୍ତି । ଅନେକ ଛାତ୍ରନେତା ଏବେ ରାଜ୍ୟ ବିଧାନସଭାର ସଦସ୍ୟ ଅଛନ୍ତି । ଯଦିଓ କିଛି ଯୁବନେତା ପାରିବାରିକ ରାଜନୀତିରୁ ଆସିଛନ୍ତି, କିନ୍ତୁ ଛାତ୍ର ରାଜନୀତିରେ ସେମାନଙ୍କର ଯୋଗଦାନ ରହିଛି । ଛାତ୍ର ଜୀବନରୁ ସଂଗଠନ ସମ୍ଭାଳିବାର ତାଲିମ ଛାତ୍ର ରାଜନୀତିରୁ ଆରମ୍ଭ ସହିତ ବରିଷ୍ଠ ମାନଙ୍କ ଠାରୁ ମଧ୍ୟ ରାଜନୀତିର ପାଠ ଏହିଠାରେ ହିଁ ପଢାଯାଇଥାଏ । ତେଣୁ କଲେଜ ନିର୍ବାଚନ ସମୟ ଆସିଲେ କେବଳ ଛାତ୍ରନେତା ନୁହନ୍ତି ବିଭିନ୍ନ ରାଜନୈତିକଦଳର ବଡ ବଡ ନେତା ବି ଗଡ ରକ୍ଷା ପାଇଁ ପାଗ ଭିଡିଥାନ୍ତି । ହେଲେ ଗତ କିଛିବର୍ଷ ଧରି ଛାତ୍ର ରାଜନୀତିରେ ଏକ ପ୍ରକାର ପୂର୍ଣ୍ଣ ଛେଦ ପଡିଛି । ରାଜ୍ୟର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ ବାଣୀବିହାର ସମେତ ରେଭେନ୍ସା, ବିଜେବି ଭଳି ମହାବିଦ୍ୟାୟରେ ନିର୍ବାଚନ ବାତିଲ ହେଉଥିବାରୁ କେହି ଆଉ ପୂର୍ବଭଳି ଏଥିପ୍ରତି
ମନ ଦେଉନାହାନ୍ତି ।
ଅଧିକାଂଶ ସ୍ଥାନରେ ନିର୍ବାଚନ ବଦଳରେ ଚାଲିଛି ଚୟନ ରାଜନୀତି । ଏଥିରେ ଶିକ୍ଷାନୁଷ୍ଠାନରେ ସିନା ନେତା ଚୟନ ହେଉଛନ୍ତି କିନ୍ତୁ ସେମାନେ ରାଜନୀତି ଠାରୁ ଏକ ପ୍ରକାର ଦୂରରେ ରହୁଛନ୍ତି । ଏହି ଶିକ୍ଷିତ ଯୁବକ ମାନେ ରାଜନୀତି ଅପେକ୍ଷା ଚାକିରିଟିଏ କିଭଳି କରିବେ ସେଥିପାଇଁ ଅଧିକ ଧ୍ୟାନ ଦେଉଛନ୍ତି । ତେଣୁ ଶିକ୍ଷାନୁଷ୍ଠାନ ରାଜନୀତିରେ ଏକ ପ୍ରକାର ତାଲା ପହିଲାଣି । କରୋନା ପ୍ରଭାବରେ ଚଳିତବର୍ଷ କଲେଜ ନିର୍ବାଚନ ବନ୍ଦ ହେବା ନିଶ୍ଚିତ । ଆଗାମୀ ଦିନରେ ହେବ ନାହିଁ ତାହା ସନ୍ଦେହରେ । କଲେଜରୁ ଛାତ୍ରନେତା ବାହାରିବାର ଏକ ପ୍ରକାର ବାଟ ବନ୍ଦ । ତେଣୁ ଶିକ୍ଷାନୁଷ୍ଠାନ ବଦଳରେ ଏଣିକି ଗାଁ ଗହଳରୁ ଯେଉଁ ନେତା ବାହାରିବେ ସେମାନଙ୍କର ପାଠ ଅପେକ୍ଷା ଶାଠ ଅଧିକ ରହିବ ବୋଲି କୁହାଯାଉଛି । ଗାଁରେ ଟାଉଟରୀ କରୁଥିବା ଅନେକ ଯୁବକ ଏଇ ମଉକାରେ ପ୍ରତ୍ୟେକ୍ଷ ରାଜନୀତିରେ ଆସ୍ଥାନ ଜମାଇବେ ବୋଲି ଆଶଙ୍କା ପ୍ରକାଶ ପାଉଛି । ଏଥିଯୋଗୁଁ ଆଗାମୀ ଦିନରେ ରାଜନୀତି କ୍ଷେତ୍ରରେ ଯେଉଁ ସଙ୍କଟ ସୃଷ୍ଟିହେବ ତାହା ଭବିଷ୍ୟତ ପାଇଁ ଶୁଭଙ୍କର ନୁହେଁ ବୋଲି ବିଶେଷଜ୍ଞ ମାନେ ମତ ଦେଉଛନ୍ତି ।