ଭୁବନେଶ୍ୱର : ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବାପାଇଁ ପୁଲିସ୍ ବିଭାଗର ବଡ ବାବୁମାନେ ଯେତେ ପରାମର୍ଶ ଦେଲେ ବି ତାହାକୁ ଥାନା ସ୍ତରରେ ଅନେକ ମାନୁ ନାହାନ୍ତି । ବରଂ ଦୁଇ ପଟୁ ଆୟ- କାହାକୁ ନାହିଁ ପରବାୟ ନୀତିରେ କାର୍ଯ୍ୟ କରୁଥିବା ନେଇ ଆଲୋଚନା ହେଉଛି । ଏଭଳି ଆଲୋଚନା ପୁଣି ଆଉ କେଉଁଠି ନୁହେଁ, ଖୋଦ ରାଜଧାନୀରେ । ରାଜଧାନୀର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଥାନାରେ ଥିବା ଜଣେ ଦୁଇ ତାରକା ଯୁବ ଅଧିକାରୀଙ୍କ କାର୍ଯ୍ୟକଳାପ ଦେଖି ଲୋକେ ଏଭଳି ଆଲୋଚନା କରୁଛନ୍ତି । ବାବୁ ଚୋର, ଡାକୁଙ୍କୁ ଧରିବାରେ ଯେତେ ମାହାରି ନୁହନ୍ତି ଥାନାକୁ ମାମଲା ନେଇ ଆସୁଥିବା ଦୁଇ ପକ୍ଷଙ୍କୁ ଧରିବାରେ ତାହା ଠାରୁ ମାହାରି ବୋଲି କୁହାଯାଉଛି । ଯିଏ ମାଡ ଖାଇ ଆସିଲା ସିଏ ଦେଉଛି, ଯିଏ ମାଡ ଦେଇଛି ସିଏ ବି ଗଣୁଛି । ଯୁବ ଅଧିକାରୀ ଜଣଙ୍କ ଏଭଳି କାର୍ଯ୍ୟରେ ଏତେ ପାରଙ୍ଗମ ଯେ ଥାନା ବାବୁ ବି ତାଙ୍କ ଉପରେ ଶତ ପ୍ରତିଶତ ଭରସା କରି ଅଧିକାଂଶ ମାମଲାର ତଦନ୍ତକାରୀ ଅଫିସର (ଆଇଓ) ବନାଇ ଦେଉଛନ୍ତି ।

