ଜୟପୁର : ରାଜସ୍ଥାନ ରାଜନୀତିକ ସଙ୍କଟ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ପରେ ଶ୍ରୀ ଗେହଲଟ ତାଙ୍କ ସରକାରଙ୍କ ପାଖରେ ୧୦୨ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି।
ତେବେ ଏସମ୍ପର୍କରେ ଗେହଲଟ କୌଣସି ବିସ୍ତୃତ ସୂଚନା ଦେଇନାହାନ୍ତି। କେବଳ ଏହା ରାଜ୍ୟପାଳଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତକାର ଥିବା କହିଛନ୍ତି। ଏହାପୂର୍ବରୁ କଂଗ୍ରେସ ସରକାରଙ୍କୁ ଦୁଇ ଜଣ ଭାରତୀୟ ଟ୍ରାଇବାଲ ବିଧାୟକ ସମର୍ଥନ ଘୋଷଣା କରିଥିଲେ।
ଉଭୟ ସାମ୍ବାଦିକ ସମ୍ମିଳନୀ କରି ଅଶୋକ ଗେହଲଟ ସରକାରଙ୍କୁ ସମର୍ଥନ କରୁଥିବା ସୂଚନା ଦେଇଛନ୍ତି। ପୂର୍ବରୁ ଏମାନେ ଗେହଲଟ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ। ୧୦୨ ବିଧାୟକଙ୍କ ସମର୍ଥନ ହାସଲ କରିଥିବା ଗେହଲଟ ଏବେ ବି ସାମାନ୍ୟ ଆଶା ଆଶଙ୍କା ଭିତରେ ରହୁଛନ୍ତି। ଏଥିପାଇଁ ତାଙ୍କୁ ସମର୍ଥନ କରୁଥିବା ସମସ୍ତ ବିଧାୟକ ଜୟପୁରର ଫେୟାରମଣ୍ଟ ହୋଟେଲରେ ରହିଛନ୍ତି।