Odia News Portal

ଆଦିତ୍ୟ ଦାଶ ମୃତ୍ୟୁ ମାମଲା, ଆଦିତ୍ୟଙ୍କ ଶାଶୂ ଓ ଶଳାଙ୍କୁ ଜେରା

ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ରହସ୍ୟମୟ ହେବାରେ ଲାଗିଛି। ଏହି ବୁଢ଼ିଆଣୀ ଜାଲର ଖିଆ  ଖୋଜିବା ପାଇଁ ଜିଆର୍‌ପି ଗତକାଲି ଆଦିତ୍ୟଙ୍କ ବାପା, ମାଆ ଓ ସ୍ତ୍ରୀ ବିଦ୍ୟାଶ୍ରୀଙ୍କୁ ପଳାସପଲ୍ଲୀ ସ୍ଥିତ ଭଡ଼ା ଘରେ ଜେରା କରିଥିଲା। ଆଜି ଜିଆର୍‌ପି ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇ ରହୁଥିବା କଟକ କାଜି ବଜାର ସ୍ଥିତ ଘରକୁ ଯାଇ ପଚରାଉଚରା କରିଛି। ଘଣ୍ଟାଏରୁ ଅଧିକ ସମୟ ଧରି ସେମାନଙ୍କୁ ଜିଆର୍‌ପି ପଚରା ଉଚୁରା କରିଥିଲା। ଆଦିତ୍ୟ-ବିଦ୍ୟାଶ୍ରୀଙ୍କ ପାରିବାରିକ ସମ୍ପର୍କ କେମିତି ଥିଲା? ଉଭୟଙ୍କ ଭିତରେ କେବେ ପାଟି ତୁଣ୍ଡ ହେଉଥିଲା କି? ରାତିରେ ଆଦିତ୍ୟ ବାହାରକୁ ଚାଲିଯିବା ପରେ ବିଦ୍ୟାଶ୍ରୀଙ୍କୁ ଫୋନ୍‌ କରିଥିଲେ କି? ଏମିତି ଅନେକ ପ୍ରଶ୍ନ ଜିଆର୍‌ପି ପଚାରିଥିବା ଜଣାପଡ଼ିଛି।

ଗତକାଳି ସନ୍ଧ୍ୟାରେ ଜିଆର୍‌ପି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପା-ମାଆଙ୍କୁ ସାଢ଼େ ୩ ଘଣ୍ଟା ଧରି ଜେରା କରିଥିଲା। ଜିଆର୍‌ପି ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଆଦିତ୍ୟଙ୍କ ସୁନ୍ଦରପଦାସ୍ଥିତ ଘରକୁ ଯାଇ ୩ ଜଣଙ୍କୁ ମାରାଥନ ଜେରା କରିଥିଲା।

ପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଲୋକ ପାଇଲଟଙ୍କ ବୟାନ ପୂରା ମାମଲାକୁ ଆହୁରି ରହସ୍ୟ ଘେରକୁ ଟାଣି ନେଇଛି। ଲିଙ୍ଗରାଜ ରୋଡ୍‌ ଷ୍ଟେସନ୍‌ ନିକଟ ସିସିଟିଭି ଫୁଟେଜକୁ ତଦନ୍ତ କରି ଆଦିତ୍ୟଙ୍କୁ ପୁରୁଷୋତ୍ତମ ଏକ୍ସପ୍ରେସ୍ ଧକ୍କା ଦେଇଥାଇପାରେ ବୋଲି ଜିଆର୍‌ପି ଅନୁମାନ କରୁଥିଲା। କିନ୍ତୁ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଲୋକୋ ପାଇଲଟ୍‌ ବିଷ୍ଣୁଚରଣ ସେଠୀ କହିଛନ୍ତି, ଘଟଣା ଦିନ ସେ ଚଳାଉଥିବା ଟ୍ରେନ ସହ କାହାର ଧକ୍କା ହୋଇନି। ଲିଙ୍ଗରାଜ ଷ୍ଟେସନଠୁ ୨୦୦ ମିଟର ଦୂରରେ ଆଉ ଦୁଇଟି ସିସିଟିଭି ଫୁଟେଜ ମଧ୍ୟ ପୁଲିସ ଉଦ୍ଧାର କରିଛି। ଏଭଳି ସ୍ଥିତିରେ ଆଦିତ୍ୟଙ୍କ ପତ୍ନୀ ଓ ବାପା-ମା’ଙ୍କ ବୟାନ ବେଶ୍ ଗୁରୁତ୍ୱ ବହନ କରୁଛି।