ଭୁବନେଶ୍ୱର : ଟାଟା ପାୱାର ହାତକୁ ସେସୁର ବିଜୁଳି ବ୍ୟବସ୍ଥା ଯିବାପରେ ବିଜୁଳି ଗ୍ରାହକ ଅଧିକ ଛଟପଟ ହେଉଛନ୍ତି । ଘନ ଘନ ବିଜୁଳି କାଟ ସାଙ୍ଗକୁ କରେନା ମହାମାରୀ ସମୟରେ ବିଲ୍ ଆଦାୟର ସମୟସୀମା ହ୍ରାସ ଏବେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢାଇବାରେ ଲାଗିଛି । ଟାଟା ପାୱାର ହାତକୁ ସେସୁର ମାଲିକାନା ଯିବାପରେ ଅନେକ ଭାବିଥିଲେ ବିଜୁଳି ବ୍ୟବସ୍ଥାରେ ଉନ୍ନତି ଆସିବ । ପୂର୍ବଭଳି ଆଉ ବିଜୁଳି କାଟ୍ ହେବନାହିଁ । ଯେଉଁଠି ବିଜୁଳି କଟିବ ସେଠାରେ ଫୋନ୍ କଲାମାତ୍ରେ ଲାଇନ୍ ଫେରିଆସିବ । କମ୍ପାନୀ ୨୪ ଘଣ୍ଟିଆ ବିଜୁଳି ଯୋଗାଇବ । ହେଲେ ଟାଟା ପାୱାର ନିୟବଣକୁ ଯାଇଥିବା ଗାଁ ଗହଳ ତ ଦୂରରକଥା ଖୋଦ୍ ରାଜଧାନୀରେ ଏବେ ଘନ ଘନ ବିଜୁଳି କାଟ୍ ରେ ଲୋକେ ଆକ୍ତାବାକ୍ତା ହୋଇ ଯାଉଛନ୍ତି । ଲୋକସେବା ଭବନ ଓ ରାଜଭବନ ଆଖପାଖରେ ଥିବା ଗ୍ରାହକ ଏବେ ବିଜୁଳି କାଟ୍ରେ ଅତିଷ୍ଠ । ବର୍ଷା ଦିନରେ ବି ବାରମ୍ବାର ଲାଇନ୍ ଯାଉଥିବାରୁ ଲୋକେ ଇନଭର୍ଟର କିଣିବାରେ ଲାଗିଛନ୍ତି । ବିଜୁଳି କଟିଲାମାତ୍ରେ ଲୋକେ ଅଭିଯୋଗ କରୁଛନ୍ତି । ହେଲେ ଉତ୍ତର ମିଳୁଛି ଶୀଘ୍ର ଆସିଯିବ, ଗଛ କଟା ଚାଲିଛି, ଆମ ଲୋକେ ଯାଇଛନ୍ତି ସଜାଡିଦେବେ ଇତ୍ୟାଦି ।
କୌଣସି ଅଞ୍ଚଳରେ ମନ୍ତ୍ରୀ ମହାଶୟଙ୍କର ଦେଖାଦର୍ଶନ ନାହିଁ କି ତାଙ୍କ ଫୋନ୍ ନମ୍ବର ବି ଅଧିକାଂଶ ଗ୍ରାହକଙ୍କ ହାତରେ ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଲକ୍ଷାଧିକ ଗ୍ରାହକଙ୍କ ପାଇଁ ଅଭିଯୋଗ କରିବାକୁ ସେସୁ ଯେଉଁ ଗୋଟିଏ ଲ୍ୟାଣ୍ଡଲାଇନ୍ ନମ୍ବର ଦେଇଥିଲା ଟାଟା ସେଥିରେ କାମ ଚଳାଇ ନେଉଛି । ବିଜୁଳି କାଟ୍ କିଭଳି କମିବ ସେଥି ଉପରେ ଗୁରୁତ୍ୱ ନଦେଇ ଟାଟା କର୍ତ୍ତୃପକ୍ଷ କିଭଳି ବିଲ୍ ଆଦାୟ କରିବେ ତାହା ଉପରେ ଜୋର ଦେଉଛନ୍ତି । ପୂର୍ବରୁ ବିଲ୍ ପ୍ରସ୍ତୁତ ହେବାର ୧୫ ଦିନରେ ଭିତରେ ଅର୍ଥ ପଇଠର ସୁବିଧା ଥିବାବେଳେ ଏବେ ତାହା ୭ଦିନକୁ କମାଇ ଦିଆଯାଇଛି । ଲୋକେ କିଭଳି ତୁରନ୍ତ ବିଲ୍ ପଇଠ କରିବେ ଓ କମ୍ପାନୀ ଖାତକୁ ଟଙ୍କା ଯିବ ତାହାର ବାଟ ଖୋଲିଛି । ହେଲେ ଗ୍ରାହକମାନେ କିଭଳି ବିଜୁଳି କାଟ୍ରୁ ରକ୍ଷା ପାଇବେ ତାହାର କୌଣସି ବାଟ ନାହିଁ । ଟାଟା କର୍ତ୍ତୃପକ୍ଷ ସେସୁକୁ ହାତେଇବା ପରେ ଏବେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିବାରୁ ସହର ଠୁ ଗାଁ ଗହଳ ପର୍ଯ୍ୟନ୍ତ ପୂର୍ବରୁ ଥିବା କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବାରେ ଲାଗିଛନ୍ତି । ଲକ୍ଡାଉନ୍ ଓ କରୋନା କଟକଣା ନଥିଲେ ରାଜଧାନୀରେ ଆସି ଧାରଣାରେ ବସନ୍ତେଣି ।
ଗାଁ ଗାଁରେ ଏବେ ଘନ ଘନ ବିଜୁଳି କାଟ୍ରେ ଲୋକେ ଅତିଷ୍ଠ ହେଉଥିବାବେଳେ ଶୁଣିବାକୁ କେହି ନାହିଁ । ବିଭିନ୍ନ କମ୍ପାନୀ ଦ୍ୱାରା ନିଯୁକ୍ତ ଯୁବକମାନେ ସେମାନଙ୍କୁ ଟାଟା କର୍ତ୍ତୃପକ୍ଷ ରଖିବେ କି ତଡିବେ ସେହି ଦ୍ୱନ୍ଦରେ ଥିବାରୁ ଆଉ କାମ କରୁନାହାନ୍ତି । ସରକାର ବି ଟାଟା ହାତରେ ସେସୁକୁ ଟେକିଦେଇ ନିଶ୍ଚିତରେ ବସିଛନ୍ତି । ଗ୍ରାହକମାନେ କିଭଳି ସେବା ପାଉଛନ୍ତି ତାହାର ହିସାବ କରିବାକୁ କେହି ନାହିଁ । ଏପରିକି ଲକ୍ଡାଉନ୍ ସମୟରେ ଅଧିକ ବିଲ୍ ଆସିବା ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଥିଲେ ମଧ୍ୟ ସେଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି । ଏହାକୁ ନେଇ ବି ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଟାଟା ହାତରେ ଏଭଳି ଅବସ୍ଥା ଦେଖି କିଛି ଗ୍ରାହକ ଏବେ ମହରଗରୁ ଯାଇ କାନ୍ତାରରେ ପଡିବା ଅବସ୍ଥା ହେଲାଣି ବୋଲି କହିବାକୁ ପଛାଉ ନାହାନ୍ତି ।