Odia News Portal

ସଚିନଙ୍କ ସହ ୧୮ ଜଣ ବିଧାୟକଙ୍କୁ ୨୪ ତାରିଖ ଯାଏଁ ହାଇକୋର୍ଟ ଦେଲେ ମହଲତ

ରାଜସ୍ଥାନ : ସଚିନ ପାଇଲଟ୍‌ଙ୍କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସମୟ ଦେଲେ ରାଜସ୍ଥାନ ହାଇକୋର୍ଟ । ୨୪ ଜୁଲାଇ ପର୍ଯ୍ୟନ୍ତ ରାଜସ୍ଥାନର ଯୁବନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ଓ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବେନି ବିଧାନସଭା ବାଚସ୍ପତି ସିପି ଯୋଶୀ । ରାଜସ୍ଥାନ ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। କିଛି ଦିନ ହେବ ରାଜସ୍ଥାନ ରାଜନୀତିରେ ଜାରି ରହିଥିବା ସଂଘର୍ଷ ପୂର୍ଣ୍ଣ ସ୍ଥିତି ପରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ତାଙ୍କ ସହ ୧୮ ଜଣ ବିଧାୟକଙ୍କୁ ଦଳରୁ ବହିସ୍କୃତ କରାଯାଇଥିଲା । ଏହା ସହ ବିଧାନସଭା ବାଚସ୍ପତି ସିପି ଯୋଶୀ ଏହି ୧୯ଜଣଙ୍କୁ ଅଯୋଗ୍ୟ ଘୋଷଣା କରି ନୋଟିସ ପଠାଇଥିଲେ ।

ବାଚସ୍ପତିଙ୍କ ଦ୍ୱାରା ଜାରି ହୋଇଥିବା ଏହି ନୋଟିସ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସଚିନ୍‌ ପାଇଲଟ ଓ ଅନ୍ୟ ୧୮ ଜଣ ବିଦ୍ରୋହୀ ବିଧାୟକ । ଏହି ମାମଲାର ଗତ ଶୁକ୍ରବାର ଠାରୁ ଶୁଣାଣି ଆରମ୍ଭ ହୋଇଥିଲା । ଆଜି ସକାଳ ସୁଦ୍ଧା ସମସ୍ତ ପକ୍ଷ ନିଜ ନିଜର ଦସ୍ତାବିଜ୍‌ ଦାଖଲ କରିଛନ୍ତି। ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ଖଣ୍ଡପୀଠ।