ଆନନ୍ଦପୁର : ପୁଣି ଜଣେ ମହିଳାଙ୍କଠାରୁ ହୋଇଛି ଲୁଟ୍। ଆନନ୍ଦପୁର ପୌରାଞ୍ଚଳ ଶାଳପଡା ବଜାର ନିକଟରେ ଜଣେ ମହିଳାଙ୍କଠାରୁ ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ ପଲସରରେ ଆସି ମହିଳାଙ୍କଠାରୁ ଝାମ୍ପି ନେଇଛନ୍ତି ଭ୍ୟାନିଟି ବ୍ୟାଗ୍ । ଏ ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ମହିଳା ଜଣଙ୍କ ଶାଳପଡା ଜଳସମ୍ପଦ ବିଭାଗର ଜମି ଅଧିଗ୍ରହଣ ସେକ୍ସନର କମ୍ପ୍ୟୁଟର ଅପରେଟର ଭାବେ କାମ କରନ୍ତି । ତାଙ୍କ ନାଁ ସବିତା ନାୟକ । ସେ ଆଜି ନିଜ ସାଇକେଲ ଯୋଗେ ଶାଳପଡା ବଜାରକୁ ମାର୍କେଟିଂ କରିବାକୁ ଆସୁଥିବା ସମୟରେ ପଛପଟୁ ଦୁଇ ଜଣ ଦୃର୍ବୃତ୍ତ ଏକ କଳା ପଲସରରେ ଆସି ତାଙ୍କ ନିକଟରୁ ଭ୍ୟାନିଟି ବ୍ୟାଗଟି ଝାମ୍ପି ନେଇ ଦୃତଗତିରେ ପଳାଇଥିଲେ । ବ୍ୟାଗରେ ତାଙ୍କ ମୋବାଇଲ ଫୋନ୍ ଓ ନଗଦ ଟଙ୍କା ରହିଥିବା କହିଛନ୍ତି ସବିତା । ଏ ନେଇ ଥାନାରେ ଅଭିଯୋଗ ପରେ ଘସିପୁରା ପୋଲିସ ତଦନ୍ତ ଆରମ୍ଭ କରିଛି ।