Odia News Portal

ପ୍ରିୟବ୍ରତଙ୍କ ପରଲୋକରେ ଓସ୍‌ଜାର ଶୋକ

ଭୁବନେଶ୍ବର : ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ତଥା ଜଣାଶୁଣା କ୍ରୀଡ଼ା ପ୍ରଶାସକ ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଶା କ୍ରୀଡ଼ା ଦୁନିଆ ବି ଶୋକ ପ୍ରକାଶ କରିଛି। ମୁମ୍ବାଇରେ ଦେହାନ୍ତ ହେବା ପର୍ଯ୍ୟନ୍ତ ପ୍ରାୟ ଦୁଇ ଦଶନ୍ଧି ଧରି ସେ ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ (ଓସ୍‌ଜା)ର ଏବଂ ରାଜ୍ୟର ଅଗ୍ରଣୀ କ୍ରିକେଟ୍ କ୍ଲବ୍ ସହିଦ ସ୍ପୋର୍ଟିଂର ସଭାପତି ପଦରେ ଥିଲେ। ଗୋଟିଏ ଅବଧି ପାଇଁ ଭାରତୀୟ ଜୁଡ଼ୋ ସଂଘ (ଜେଏଫଆଇ)ର ଉପସଭାପତି ମନୋନୀତ ହୋଇଥିଲେ। ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ ପାଇଁ ସେ ସର୍ବେସର୍ବା ଥିଲେ। ୨୦୦୩ ମସିହାରେ ଓସ୍‌ଜାର ପୁନର୍ଗଠନ ପରଠାରୁ ସେ ଏହାର ସଭାପତି ପଦରେ ରହିଥିଲେ।

ତାଙ୍କ ସମୟରେ ଓଡ଼ିଶାରେ ଏକାଧିକ ଜାତୀୟ ପ୍ରତିଯୋଗିତା, ବେଲଟ୍ ପରୀକ୍ଷା ଏବଂ ୨୦୦୬ରେ ଇଣ୍ଡିଆ କପ୍ ଅନ୍ତର୍ଜାତୀୟ ଜୁଡ଼ୋ ପ୍ରତିଯୋଗିତା (କଟକ) ଅନୁଷ୍ଠିତ ହୋଇଥିଲା। ୨୦୦୮ ମସିହାରେ ଓସ୍‌ଜାର ସମ୍ପାଦକ ବିରଞ୍ଚି ଦାସଙ୍କ ହତ୍ୟା ପରଠାରୁ ସେ ଏହି ସଂଘର ତ୍ରାଣକର୍ତା ସାଜିଥିଲେ। ଓସ୍‌ଜା ପକ୍ଷରୁ ଏହାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ମୁଖ୍ୟ କାର୍ଯ୍ୟନିର୍ବାହୀ ଗୀତାଞ୍ଜଳି ପଣ୍ଡା, ବରିଷ୍ଠ ପ୍ରଶିକ୍ଷକ କନ୍ଦନ ମୁର୍ମୁ, ସବ୍ୟସାଚୀ ରଥ, ମନୋଜ ପଣ୍ଡା, ଶ୍ରଦ୍ଧାଞ୍ଜଳି ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସହିଦ ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ତତ୍ବାବଧାନରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। କ୍ଲବ୍‌ର ବିକାଶରେ ପ୍ରିୟବ୍ରତ ବାବୁଙ୍କ ପ୍ରମୁଖ ଭୂମିକା ରହିଥିଲା ବୋଲି ପଟ୍ଟନାୟକ ପ୍ରକାଶ କରିଥିଲେ।