କେନ୍ଦ୍ରାପଡ଼ା : ହାଇଦ୍ରାବାଦ୍ରେ ଦେଖାଚାହାଁ । କ୍ରମେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ସଂପର୍କ । ପରେ ସଂପର୍କ ନେଇଥିଲା ପ୍ରେମର ରୂପ । ତୃତୀୟଲିଙ୍ଗି ବା କିନ୍ନର ହୋଇଥିବା ଜାଣି ମଧ୍ୟ ଯୁବକ ଜଣକ ତାଙ୍କୁ ନିଜ ଜୀବନସାଥୀ ଭାବେ ବାଛି ନେଇଥିଲେ । କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଉପସ୍ଥିତିରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି । ଏଭଳି ଏକ ଚର୍ଚ୍ଚିତ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ ।
ରାଜନଗର ବ୍ଲକ୍ ଖଣ୍ଡେଇପଡ଼ା ଗ୍ରାମର କାହ୍ନୁ ଚରଣ ସାହୁ ଦୀର୍ଘ ବର୍ଷ ହେବ ହାଇଦ୍ରାବାଦରେ ରହି ରଡ୍ ବାଇଣ୍ଡିଂ କାମ କରୁଥିଲେ । ସେଠାରେ ତାଙ୍କର ଦେଖା ହୁଏ ମହାକାଳପଡ଼ା ବ୍ଲକ୍ ଲାଞ୍ଜୁଡ଼ା ଗ୍ରାମର କଣ୍ଢେଇଙ୍କ ସହ । ଉଭୟ ଏକତ୍ର ଗୋଟିଏ ସ୍ଥାନରେ କାମ କରୁଥିବାରୁ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ସଂପର୍କର ସେତୁ । କ୍ରମେ ଏହି ସଂପର୍କ ପ୍ରେମର ରୂପ ନେଇଥିଲା । କଣ୍ଢେଇ କିନ୍ନର ବୋଲି ଜାଣି ମଧ୍ୟ କାହ୍ନୁ ତାଙ୍କୁ ଜୀବନସାଥୀ ରୂପେ ଗ୍ରହଣ କରିବାକୁ ସ୍ଥିର କରିଥିଲେ । ଏପରିକି ଉଭୟ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ଇତିମଧ୍ୟରେ କରୋନା ଜନିତ ଲକ୍ଡାଉନ୍ ଯୋଗୁଁ କାମଧନ୍ଦା ବନ୍ଦ ହେବାରୁ ଉଭୟ କାହ୍ନୁ ଓ କଣ୍ଡେଇ ନିଜ ଭିଟାମାଟି କେନ୍ଦ୍ରାପଡ଼ା ଚାଲିଆସିଥିଲେ । କାହ୍ନୁ ନିଜ ଘରକୁ ନଯାଇ କେନ୍ଦ୍ରାପଡ଼ା ଶ୍ୟାମସୁନ୍ଦରପୁରଠାରେ ରହୁଥିବା କେତେଜଣ କିନ୍ନରଙ୍କ ମେଳରେ କଣ୍ଢେଇଙ୍କ ସହ ଏକାଠି ରହୁଥିଲେ। ଘର ଲୋକେ ସେମାନଙ୍କ ସଂପର୍କ ବିଷୟରେ ଜାଣି କଣ୍ଢେଇଙ୍କଠାରୁ ଅଲଗା ହେବା ପାଇଁ କାହ୍ନୁଙ୍କୁ ଯେତେ ବୁଝାଇଲେ ମଧ୍ୟ କିଛି ଫଳ ହେଲା ନାହିଁ । ପରେ ଘଟଣା ସଂକ୍ରାନ୍ତରେ କାହ୍ନୁଙ୍କ ମାମୁ ଗଗନ ବିହାରୀ ଲେଙ୍କା ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା । ଏତଲା ଭିତ୍ତିରେ ସଦର ପୁଲିସ ଉଭୟଙ୍କୁ ଶ୍ୟାମସୁନ୍ଦରପୁରରୁ ଉଦ୍ଧାର କରିଛି । ଉଭୟ ସାବାଳକ ହୋଇଥିଲା ବେଳେ ପରସ୍ପରକୁ ବିବାହ କରିବାକୁ ଜଣାଇବା ପରେ ପୁଲିସ ଉପସ୍ଥିତିରେ ସୋମବାର ବିଳମ୍ବିତ ରାତିରେ ସେମାନଙ୍କ ବିବାହ ସଂପନ୍ନ ହୋଇଥିବା ସଦର ଆଇଆଇସି ପ୍ରମୋଦ ମଲିକ ସୂଚନା ଦେଇଛନ୍ତି ।
ଏ ପ୍ରକାର ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି । ପୂର୍ବରୁ ଅବଶ୍ୟ ଜିଲ୍ଲାରେ ଦୁଇ ଜଣ ଯୁବତୀ ସମଲିଙ୍ଗୀ ବିବାହ କରିଛନ୍ତି । ହେଲେ କେହି ଯୁବକ ସମଲିଙ୍ଗୀ ବା ତୃତୀୟଲିଙ୍ଗି ବିବାହ କରିନଥିଲେ ବୋଲି ଅନେକ ସାମାଜିକ କର୍ମୀ ମତ ଦେଇଛନ୍ତି ।