Odia News Portal

ସଞ୍ଜୟ ଓ ପ୍ରଣବଙ୍କ ଜିଲ୍ଲା ଗସ୍ତକୁ ବିଜେପିର ଟାର୍ଗେଟ

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ଲୋକଙ୍କ ସାମ୍ନାକୁ ଯିବାକୁ ଡରୁଥିବା କିଛି ବିଜେପି ନେତା ଏବେ ବିଜେଡିର ଆଗଧାଡିର ନେତାଙ୍କ ଜିଲ୍ଲା ଗସ୍ତକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା । ଏହି ଦୁଇଜଣ ଯୁଆଡେ ଯାଉଛନ୍ତି ସେମାନଙ୍କ ନାଁରେ ବିଜେପି କିଛି ନା କିଛି ଅପପ୍ରଚାର ଚଳାଇବାରେ ଲାଗିଛି । ତେବେ ଏଥିରୁ ଦଳକୁ ସୁଫଳ ମିଳିବା ପରିବର୍ତ୍ତେ ଅଧିକ କ୍ଷତିଗ୍ରସ୍ତ ହେଉଥିବା ବିଜେପିର କିଛି କର୍ମୀ ଖୋଲାଖୋଲି କହୁଛନ୍ତି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦୁଇ ଦିନ ତଳେ ନବରଙ୍ଗପୁର ଗସ୍ତରେ ଯାଇଥିଲେ । ସେଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିବର୍ଦ୍ଧିତ କୋଠା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ କୋଭିଡ ପରିପ୍ରେକ୍ଷୀରେ ଡାକ୍ତରଖାନା ଜରୁରୀ ଥିବାରୁ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ କହିଥିଲେ । ସେହିଭଳି ଜିଲ୍ଲାବାସୀଙ୍କ ହାତକୁ କିଭଳି କାମ ମିଳିବ ସେଥିପାଇଁ ମିଶନ ଶକ୍ତି ଓ ପର୍ଯ୍ୟଟନ ଆଦି କାର୍ଯ୍ୟର ସମୀକ୍ଷା କରିଥିଲେ । ଗସ୍ତ କାଳରେ କେତେକ ସ୍ଥାନରେ ବୃକ୍ଷରୋପଣ ବି ଶ୍ରୀ ଦାସବର୍ମା କରିଥିଲେ । ସାଙ୍ଗରେ ଜିଲ୍ଲା ପ୍ରଶାସନ ଥିଲେ ।
ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ଭାବେ ଶ୍ରୀ ଦାସବର୍ମା ବେଶ୍‍ ସକ୍ରିୟ ଥିବାରୁ ବିଭିନ୍ନ ଜିଲ୍ଲା ଗସ୍ତ କରିବା ସହିତ ଯୋଜନା ଅର୍ଥ କିଭଳି ବ୍ୟୟ ହେଉଛି ଓ ଆଗାମୀ ଦିନରେ ଯୋଜନା କିଭଳି ପ୍ରସ୍ତୁତ ହେବ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି । ହେଲେ ବିଜେପି ଏବେ ପ୍ରଶ୍ନ କରିଛି ଦାସବର୍ମା କାହିଁକି କରୋନା ସମୟରେ ଗସ୍ତ କଲେ । ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ବିଜେପି ନେତାମାନେ ଚାହୁଁଛନ୍ତି ଯେ ବିଜେଡି ନେତାମାନେ ରାଜଧାନୀ ଛାଡି କୁଆଡେ ନଯାଆନ୍ତୁ । ବିଶେଷକରି ସାଧାରଣ ଲୋକଙ୍କ ପାଇଁ କୌଣସି କାମ ଯେଭଳି ନହୁଏ ସେଥିପାଇଁ ବିଜେପି ନେତାମାନେ ଏଭଳି ଉଦ୍ୟମ ଚଳାଇଥିବା ଆଲୋଚନା ହେଉଛିା  ରାଜନୀତି ପାଇଁ ଜନସ୍ୱାର୍ଥ କାର୍ଯ୍ୟରେ ବାଧା ନଦେବାକୁ ମଧ୍ୟ ସାଧାରଣରେ ମତପ୍ରକାଶ ପାଉଛି । କେବଳ ଶ୍ରୀ ଦାସବର୍ମା ନୁହନ୍ତି ସଂଗଠନ କାର୍ଯ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଳାକୁ ତୋଫାନୀ ଗସ୍ତ କରୁଥିବା ପ୍ରଣବଙ୍କୁ ମଧ୍ୟ ବିଜେପି ଟାର୍ଗେଟ କରୁଛି । ମୟୁରଭଞ୍ଜ ଜିଲ୍ଳା ଗସ୍ତ ସମୟରେ ଜନ୍ମଦିନକୁ ଆଳ କରି ବିଜେପି ଘେରିଥିଲା । ହେଲେ ଯେଉଁ ଅଭିଯୋଗ ଆଣି ବିଜେପି ପ୍ରଣବଙ୍କୁ ଘେରିବାପାଇଁ ଉଦ୍ୟମ ଚଳାଇଥିଲା ସେହି ସମାନ ଅଭିଯୋଗରେ ଦଳର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଛନ୍ଦି ହୋଇପଡିବାରୁ ଲୋକହସା ହେବା ସାର ହୋଇଥିଲା ।
ବିଜେପି ଏବେ ସଂଗଠନ କାର୍ଯ୍ୟ ପାଇଁ ଭର୍ଚୁଆଲ ସଭାସମିତି କରୁଥିବାବେଳେ ପ୍ରଣବ ଓ ସଞ୍ଜୟ ନିଜେ ଜିଲ୍ଲାକୁ ଯାଇ ଲୋକଙ୍କୁ ଭେଟୁଛନ୍ତି । ଏହା ଏବେ ବିଜେପିର ଗାତ୍ରଦାହ କରୁଥିବା ଲକ୍ଷ୍ୟ କରାଯାଉଛି । ବିଜେଡିର ଏହି ଦୁଇ ଆଗଧାଡିର ନେତାଙ୍କ ସହିତ ଅନ୍ୟ କିଛି ମନ୍ତ୍ରୀ ଓ ବିଧାୟକ ମଧ୍ୟ ବିଜେପି ଟାର୍ଗେଟରେ ରହିଛନ୍ତି । ବିଶେଷକରି କରୋନା ମୁକାବିଲା ପ୍ରସଙ୍ଗରେ ବିଜେପି ଜାଣିଶୁଣି କିଛି ପ୍ରସଙ୍ଗକୁ ଏଭଳି ଉତ୍‍ଥାପନ କରୁଛି ଯେଭଳି ଜିଲ୍ଲା ସ୍ତରର ନେତାମାନେ ବଦନାମ ହେବେ । ହେଲେ ସରକାର ଗ୍ରହଣ କରୁଥିବା ପଦକ୍ଷେପକୁ ସବୁଆଡୁ ସମର୍ଥନ ମିଳୁଥିବାରୁ ବିଜେପିର ଅଭିଯୋଗ ଦାନା ଧରୁନାହିଁ । ପ୍ରଣବ ପ୍ରକାଶ ଓ ସଞ୍ଜୟଙ୍କୁ ଟାର୍ଗେଟ କରି ବିଜେପି ଫେଲ ମାରିବା ପରେ ଆଗାମୀ ଦିନରେ ଅନ୍ୟ କେଉଁ ନେତାଙ୍କ ଆଡକୁ କମାଣ ଘୂରାଉଛି ତାହା ଉପରେ ଏବେ ସମସ୍ତେ ନଜର ରଖିଛନ୍ତି ।