Odia News Portal

ବେସାହାରା ୫ ଭାଇଭଉଣୀଙ୍କୁ ସାହା ହେଲେ ବିଧାୟକ

ଯାଜପୁର : ବାପା ଓ ମା’ଙ୍କୁ ହରାଇଥିବା ନାବାଳକ ୫ ଭାଇ-ଭଉଣୀଙ୍କର ସମସ୍ତ ଦାୟିତ୍ୱ, ଯାଜପୁର ଜିଲ୍ଲା ପ୍ରଶାସନ ହାତକୁ ନେଇଛନ୍ତି। ଗତ ବୁଧବାର ମା’ କୁନି ଯାମୁଦାଙ୍କ ମୃତ୍ୟୁ ପରେ ବେସାହାର ହୋଇ ଯାଇଥିବା ଦାନଗଦି ବ୍ଲକ ଚାନ୍ଦିଆ ପଞ୍ଚାୟତ ଠାକୁରାସାହିର ଏହି ଅସହାୟ ଭାଇ-ଭଉଣୀଙ୍କୁ ମାସିକ ୧୦ହଜାର ଟଙ୍କାର ସହାୟତା ରାଶି ମିଳିବ। ୧୮ବର୍ଷ ହେବା ଯାଏଁ ପ୍ରତ୍ୟେକ ନାବାଳକ ଭାଇ-ଭଉଣୀଙ୍କୁ ମାସିକ ୨ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଶିଶୁ ପ୍ରଯତ୍ନ କେନ୍ଦ୍ରରେ ରଖି ସେମାନଙ୍କର ପାଠ ପଢ଼ାର ଦାୟିତ୍ୱ ଜିଲ୍ଲା ପ୍ରଶାସନ ନେବ। ଏଥିପାଇଁ ଶୁକ୍ରବାର(ଜୁଲାଇ୨୪) ଯାଜପୁର ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧିକାରୀ ସ୍ୱର୍ଗତ ଯାମୁଦାଙ୍କ ଘରକୁ ଯିବେ। ପୂର୍ବରୁ ଯକ୍ଷ୍ମା ରୋଗରେ ବାପାଙ୍କୁ ହରାଇଥିବା ଗରିବ ଆଦିବାସୀ ଭାଇଭଉଣୀ, ବୁଧବାର ମାଙ୍କୁ ହରାଇବାର ମୃତ୍ୟୁ ଖବର ଶୁଣି ପ୍ରଥମେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ, ଠାକୁରାସାହି ଯାଇ ସେମାନଙ୍କୁ ଭେଟିଥିଲେ ।

ନିଜସ୍ୱ ଉଦ୍ୟମରେ ଏକ ଘର ନିର୍ମାଣ କରିବାକୁ ସ୍ଥିର କରିଥିଲେ । ଏପରିକି ଯାମୁଦା ଦମ୍ପତ୍ତି କରିଥିବା ସମସ୍ତ ଋଣ, ଯେପରି କୁନି ପିଲାମାନଙ୍କ ମୁଣ୍ଡରେ ପଡିବ ନାହିଁ, ତାର ମଧ୍ୟ ବ୍ୟବସ୍ଥା କରିଛନ୍ତି ବିଧାୟକ ଘଡ଼ାଇ । ତେବେ ବେସାହାର ଭାଇଭଉଣୀଙ୍କୁ କିପରି ନିୟମିତ ସରକାରୀ ସହାୟତା ମିଳିପାରିବ ସେନେଇ ଯାଜପୁର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ଭେଟିଥିଲେ ସୁକିନ୍ଦା ବିଧାୟକ। ଫଳରେ ଗରିବ ଆଦିବାସୀ ସଞ୍ଜୁ(୧୬), ଲକ୍ଷ୍ମୀ(୧୪), ଦୀନବନ୍ଧୁ(୧୨),ସୁଦର୍ଶନ(୧୦) ଏବଂ ସାନଭାଇ ନଗେନ(୮ବର୍ଷ)ଙ୍କୁ ଆର୍ଥିକ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାଜପୁର ଜିଲ୍ଲା ପ୍ରଶାସନ।