କୋରାପୁଟ: କୋରାପୁଟ ଜିଲ୍ଲା ବାୟାଗୁଡ଼ାରେ ଚାଲାଣ ବେଳେ ଦୁଇ ଟନରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୪୨ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ଏହି ଘଟଣାରେ ଗୋଟିଏ ଟ୍ରକ, ବୋଲେରୋ ଓ ଗୋଟିଏ ପିକ୍ଅପ ସହ ତିନିଟି ବାଇକ ଜବତ କରିଛି କୋରାପୁଟ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ କୋରାପୁଟ ବାୟାଗୁଡ଼ାରୁ ଛତିଶଗଡ଼ ରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା । ଏହ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି ।
ସେହିପରି ଲମତାପୁଟରେ ଦେଢ଼ କୁଇଣ୍ଟାଲ ଗଞ୍ଜେଇ ସହ ୨ଟି କାରକୁ ଜବତ କରାଯାଇଛି । ଜଲାପୁଟ ଅଞ୍ଚଳରୁ ଦୁଇଟି କାରରେ ଗଞ୍ଜେଇ ପ୍ୟାକେଟ ବିହାରକୁ ଚାଲାଣ କରାଯାଉଥିବା ବେଳେ ଶଗର ଚକ ନିକଟରେ ପୋଲିସ ହାବୁଡ଼ରେ ପଡ଼ିଥିଲା । ପୋଲିସ ଗଞ୍ଜେଇ ସହ କାରକୁ ଜବତ କରିଥିବା ବେଳେ ୩ ଜଣଙ୍କୁ ଅଟକ ରଖାଯାଇଛି । କୋରାପୁଟରେ ଗଞ୍ଜେଇ ଚୋରା ଚାଲାଣ କାରବାରକୁ ମୂଳପୋଛ କରିବା ପାଇଁ ପୋଲିସ ପକ୍ଷରୁ ଜୋରଶୋର ଉଦ୍ୟମ ଜାରି ରହିଛି । ଦୁଇ ବର୍ଷ ପୂର୍ବରୁ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ମିଶନ “ଗ୍ରୀନ କ୍ଲିନ”କୁ ଏକ ବଡ଼ ସଫଳତା ମିଳିଛି । ବିଶେଷକରି ଲମତାପୁଟ, ଚନ୍ଦନପୁର ଓ ପଟାଙ୍ଗୀ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ଗଞ୍ଜେଇ ଚାଲାଣ ଅଧିକ ହେଉଛି ।