ହସ୍ପିଟାଲ ଆଗରେ ପଡ଼ିରହିଲା କରୋନା ଯୋଦ୍ଧାଙ୍କ ଶବ। ୫ କି ୧୦ ମିନିଟ ନୁହେଁ ବରଂ ଘଣ୍ଟା ଘଣ୍ଟା ଧରି ହସ୍ପିଟାଲ ବାହାରେ ପଡ଼ିରହିଲା କରୋନା ଯୋଦ୍ଧାଙ୍କ ମୃତଦେହ । ସେ ପୁଣି ଆଉ କିଏ ନୁହେଁ ଖୋଦ ପୋଲିସ ଏ.ଏସ.ଆଇଙ୍କ ଶବ । ଏ.ଏସ.ଆଇଙ୍କ ମୃତ୍ୟୁ ପରେ ଶବ ଉଠାଇବାକୁ ଆସିଲେନି କେହି । ଏମିତିକି ନିଜ ସ୍ତ୍ରୀ ଆଉ ପୁଅ ମଧ୍ୟ ଛୁଇଁଲେନି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା କୋଦଳା ହସ୍ପିଟାଲ ସମ୍ମୁଖରେ । ମିଳିଥିବା ଖବର ଅନୁଯାୟୀ ଏ.ଏସ.ଆଇ ରବୀନ୍ଦ୍ର ନାଥ ବେହେରା ଭଞ୍ଜନଗର କୋର୍ଟରେ ଏ.ଏସ.ଆଇ ଥିଲେ । ଦୀର୍ଘବର୍ଷ ହେଲା ସେ ବେଗୁନିଆପଡାରେ ରହି ଆସୁଥିଲେ । ତେବେ ଗତ ୪ ଦିନ ହେବ ସେ ଥଣ୍ଡା କାଶରେ ପୀଡିତ ହେବାରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ମେଡିକାଲ ଆସିଥିଲେ କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ଗତକାଲି ରାତିରେ ସେ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟୁ ପରେ କରୋନା ସନ୍ଦେହରେ ତାଙ୍କ ଶବକୁ କେହି ବି ଛୁଇଁନଥିବା ବେଳେ ଶବ ଘଣ୍ଟା ଘଣ୍ଟା ଧରି ହସ୍ପିଟାଲ ସମ୍ମୁଖରେ ପଡିରହିଥିଲା । ନା ସ୍ଥାନୀୟ ଲୋକେ, ନା ହସ୍ପିଟାଲ କର୍ମଚାରୀ, ନା ପ୍ରଶାସନ..ଏମିତିକି ନିଜ ସ୍ତ୍ରୀ ଆଉ ପୁଅ ମଧ୍ୟ ତାଙ୍କ ଶବକୁ ଛୁଇଁନଥିଲେ । ଶେଷରେ ଅଂଟା ଭିଡ଼ିଥିଲେ ସାମ୍ବାଦିକ ।
ଗତ କିଛିଦିନ ତଳେ ଗଂଜାମରେ ମଧ୍ୟ ଠିକ ଏହିପରି ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେଉଁଠି କରୋନା ଶବକୁ ଉଠାଇବାକୁ କେହି ବି ଆସିନଥିଲେ । ଶେଷରେ ପିପିଇ କିଟ ପିନ୍ଧି ଶବକୁ କାନ୍ଧ ଦେଇଥିଲେ ୪ ସାମ୍ବାଦିକ । ଆଉ ଆଜି ମଧ୍ୟ ଠିକ ସେଇଆ ଘଟିଛି କୋଦାଳ ହସ୍ପିଟାଲ ସାମ୍ନାରେ । ଦୀର୍ଘ ସମୟ ପର୍ୟ୍ୟନ୍ତ ଶବଟି ପଡ଼ିରହିବା ପରେ ଶେଷରେ କାନ୍ଧ ଦେବାକୁ ପହଂଚିଥିଲେ ଦୁଇ ସାମ୍ବାଦିକ । ତେବେ ଆପଣ ଭାବନ୍ତୁ ତ ଯଦି କରୋନା ଯୋଦ୍ଧାଙ୍କୁ ଏପରି ସମ୍ମାନ ମିଳୁଛି ତେବେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ..? ସେମାନଙ୍କ ଶବକୁ ତ କେହି ଅନାଇବେ ବି ନାହିଁ ..? ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ କି ନୁହେଁ ? କାରଣ ସବୁ ବେଳେ ସବୁ ସମୟରେ ସାମ୍ବାଦିକମାନେ ହିଁ ଆସି ପହଂଚିବେ ତାର ତ କିଛି ମାନେ ନାହିଁ । ଆଉ ତା ଛଡା ଯଦି ସାମ୍ବାଦିକମାନେ ସେଠାରେ ନ ପହଂଚିଥାନ୍ତେ ତାହେଲେ କଣ ଏହି ଶବ ପଡିରହିଥାନ୍ତା ..?