ଭୁବନେଶ୍ୱର : ମାଛ ହାଟ ପାଇଁ ସାଧାରଣ ଲୋକଙ୍କ ଠାରୁ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଛଟପଟ । ଚାରି ନମ୍ବର ମାଛ ହାଟରେ କରୋନା ବ୍ୟାପିବା ପରେ ଏଭଳି ଦୃଶ୍ୟ ସେଠାରେ ଦେଖିବାକୁ ମିଳିଛି । ସମ୍ପୃକ୍ତ ଅଞ୍ଚଳକୁ ବିଏମ୍ସି କର୍ତ୍ତୃପକ୍ଷ ସିଲ୍ କରିଦେବାପରେ ହାଟରେ ଥିବା ଅନ୍ୟ ଦୋକାନୀଙ୍କ ଠାରୁ ଆରମ୍ଭକରି ଉଠାଦୋକାନ ଓ ହାଟ ପାଶ୍ୱର୍ରେ ଥିବା ଦୋକାନୀମାନେ ମଧ୍ୟ ହାତବାନ୍ଧି ବସିଗଲେଣି । ଚାରି ନମ୍ବର ମାଛ ମାର୍କେଟ ହେଉଛି ରାଜଧାନୀର ସବୁଠାରୁ ବଡ ମାଛ ହାଟ । ଏଠାରୁ କେବଳ ରାଜଧାନୀର ଅଞ୍ଚଳକୁ ନୁହେଁ ଉପକୂଳବର୍ତ୍ତୀ ଜିଲ୍ଲାର ବହୁ ସ୍ଥାନକୁ ମାଛ ଯାଇଥାଏ । ଦିନ ରାତି ହୋଲେସେଲ ମାଛ ହାଟରେ ଶହ ଶହ ଲୋକ କାମ କରିଥାନ୍ତି । ମାଛ ହାଟ ଭିତରେ ଛୋଟ ରାଜଧାନୀରେ କରୋନା କାଟର ବସ୍ତି ବି ରହିଛି । ତେବେ ଏଠାରେ କରୋନା ଭୂତାଣୁ ମିଳିବାପରେ ବିଏମ୍ସି ପକ୍ଷରୁ ସମଗ୍ର ମାଛହାଟ ସମେତ ଆଖପାଖରେ ଥିବା ଦୋକାନ ଗୁଡିକୁ ବି ବନ୍ଦ କରି ଦିଆଯାଇଛି । ଲଗାତାର ଭାବେ ମାଛ ହାଟରୁ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ବିଏମ୍ସିର କଣ୍ଟେନମେଣ୍ଟ ଜୋନ୍ କେବେ ହଟିବ ଜଣାନାହିଁ ।
ମାଛ ହାଟ ସମେତ ଚାରି ନମ୍ବର ମାର୍କେଟରେ ଥିବା ଡାଲିଚାଉଳ ଦୋକାନ ଠାରୁ ଆରମ୍ଭ କରି ମନୋହରୀ ଦୋକାନ ପର୍ଯ୍ୟନ୍ତ ସବୁକିଛି ବନ୍ଦ । ଦୋକାନୀମାନେ ହାତବାନ୍ଧି ବସିଛନ୍ତି । ହାଟ ପାଶ୍ୱର୍ ଅଞ୍ଚଳରେ ଥିବା ହୋଟେଲ ଓ ଅନ୍ୟାନ୍ୟ ପ୍ରାୟ ସମସ୍ତ ଦୋକାନ ବନ୍ଦ ରହିଛି । ଅନ୍ୟ କେଉଁ ଦୋକାନ ନହେଲେ ବି କଟକଣା ଭିତରେ ଡାଲି ଚାଉଳ ଭଳି ଦୋକାନ ଖୋଲାଯାଇ ପାରଥାନ୍ତା । କିନ୍ତୁ ସେମାନଙ୍କ ବେପାର ଠପ୍ ହୋଇଯାଇଛି । ଏଥିଯୋଗୁଁ କେବଳ ବ୍ୟବସାୟୀମାନେ ମୁଣ୍ଡରେ ହାତଦେଇ ବସି ନାହାନ୍ତି ସ୍ଥାନୀୟ ଅଞ୍ଚଳବାସୀ ବି ହଟହଟା ହେଉଛନ୍ତି । କାରଣ ଦୂରକୁ ଗାଡିରେ ଯାଇ ସାମଗ୍ରୀ ଆଣିବାକୁ ପୁଲିସ୍ ବାରଣ କରିଥିବାରୁ ଏଭଳି ଅବସ୍ଥା । ଘର ପାଖ ହାଟ ବନ୍ଦ ଥିବାବେଳେ ଦୂରକୁ ଗଲେ ପୁଲିସ୍କୁ ଫାଇନ୍ ଗଣିବା ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି । ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା କଥା ଯେ ଦୀର୍ଘଦିନ ଧରି ମାଛ ହାଟକୁ ସ୍ଥାନାନ୍ତର ପାଇଁ ସରକାର କେବଳ ପ୍ରତିଶ୍ରୁତି ଦେଇ ଆସୁଛନ୍ତି ।
ମାଛ ବ୍ୟବସାୟୀଙ୍କ ଲବି ଆଗରେ ପ୍ରଶାସନ ନଇଁ ପଡୁଥିବାରୁ ଏହାର ଫଳ ଏବେ ସ୍ଥାନୀୟବାସୀ ଭୋଗୁଛନ୍ତି । ଯଦି ଏହି ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍ ଆଉ କିଛିଦିନ ଜାରି ରୁହେ ତେବେ ମାଛହାଟ ବଦଳରେ ଆଉ କିଛି ବ୍ୟବସାୟୀ ସ୍ଥାନାନ୍ତର ହୋଇଯିବେ । କେବଳ ଚାରି ନମ୍ବର ମାଛ ହାଟ ନୁହେଁ, ସହରର ବିଭିନ୍ନ ସ୍ଥାନରେ ଥିବା ମାଛ ହାଟକୁ ନିୟନ୍ତ୍ରଣ କରାନଗଲେ ଏହା ଆଗାମୀ ଦିନରେ କରୋନାର ହଟସ୍ପଟ ପାଲଟିବବୋଲି ମତପ୍ରକାଶ ପାଉଛି ।