ଭୁବନେଶ୍ଵର : ବ୍ୟବସାୟିକ ସହର ଜଟଣୀ ରାଜ୍ୟରେ ସିଜିନ ବ୍ୟବସାୟ ପାଇଁ ପ୍ରସିଦ୍ଧ । ମାତ୍ର ୫ ବର୍ଷ ହେଲା ଏହି ସିଜିନାଲ୍ ବ୍ୟବସାୟ ଉପରେ ଦାଉ ସାଜିଛି ପ୍ରାକୃତିକ ଦୁର୍ବିପାକ । ଦଶହରା ହେଉ ଅବା ହୋଲି ପ୍ରତ୍ୟେକ ପର୍ବପର୍ବାଣିରେ କିଛିନା କିଛି ବିପର୍ଯ୍ୟୟ ହେଉଛି । ଫଳରେ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ଧୀରେ ଧୀରେ ମାନ୍ଦାବସ୍ଥାକୁ ଗତିକରିବାରେ ଲାଗିଛନ୍ତି । ଚଳିତବର୍ଷ ମହାମାରୀ କରୋନାଯୋଗୁଁ ମାର୍ଚ୍ଚ ମାସଠାରୁ ସମସ୍ତ ବ୍ୟବସାୟରେ ଡୋରି ବନ୍ଧା ହୋଇଯାଇଛି । ଏଥିରେ ଅତ୍ୟଧିକ ପ୍ରଭାବିତ ହେଉଛନ୍ତି ହୋଲସେଲର ବ୍ୟବସାୟୀମାନେ । ଜଟଣୀ ଅଞ୍ଚଳରପ୍ରମୁଖ ସିଜିନ୍ ବ୍ୟବସାୟୀମାନଙ୍କ ସୂଚନାନୁସାରେ, ମହାମାରୀ କରୋନା ଆମ୍ଭମାନଙ୍କର ଆତ୍ମନିର୍ଭରଶୀଳ ବ୍ୟବସାୟକୁ ପ୍ରଭାବିତ କରିଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବ୍ୟବସାୟ ଆରମ୍ଭକରି ଏବେ ହୋଲସେଲରମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ସମସ୍ତ ଦୋକାନରେ ତାଲା ଝୁଲୁଛି । ଖୁଚୁରା ବ୍ୟବସାୟୀମାନେ ଆମ ସହିତ ଯୋଗାଯୋଗ କରୁନାହାନ୍ତି । ଯେଉଁମାନେ ଫୋନ୍ଯୋଗେ ଅର୍ଡର ଦେଉଛନ୍ତି ସେମାନେ ପୁଲିସର ଧରପଗଡ଼କୁ ଡରି ଆସୁନାହାନ୍ତି । ଆଗକୁ ରାକ୍ଷୀ ପୂର୍ଣ୍ଣିମା ରହିଛି । ଯଦି ସରକାର ଆମ ପ୍ରତି ସଦୟ ହୋଇ କୌଣସି ପନ୍ଥା ବାହାର ନକରିବେ, ତେବେ ଚଳିତ ବର୍ଷ ବି ବ୍ୟବସାୟ ହୋଇପାରିବ ନାହିଁ ।
ରାକ୍ଷୀ ପର୍ବ ଏକ ପାରମ୍ପରିକ ଗଣପର୍ବ । ଜାତି ଧର୍ମ ବର୍ଣ୍ଣନିର୍ବିଶେଷରେ ଏହି ପର୍ବ ପାଳନ କରାଯାଏ । ଜଟଣୀରେ ଏହି ପର୍ବକୁ ପ୍ରତ୍ୟେକ ଧର୍ମର ଲୋକମାନେ ପାଳନ କରୁଥିବାରୁ ରାଖୀ ବ୍ୟବସାୟ ପ୍ରତ୍ୟେକ ବର୍ଷ ଭଲ ହୋଇଥାଏ । ମାତ୍ର ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଏହି ପର୍ବକୁ ଲୋକେ ପାଳନ କରିବା ଆଶା କ୍ଷୀଣ । ଅନ୍ୟ ପକ୍ଷରେ ଏହି ପର୍ବରେ ଭଉଣୀ ଭାଇ ହାତରେ ରାଖୀବାନ୍ଧିବା ପରମ୍ପରା ରହିଥିବାରୁ ଘରେ କରୋନା ଆଇନକୁ ମାନି ପାଳନ କରାଯାଇପାରିବ । କୌଣସି ସ୍ଥାନକୁ ପଠାଇବାକୁ ହେଲେ ଡାକସେବା, କୋରିଅର୍ ପ୍ରଭୃତିର ବ୍ୟବସ୍ଥା ପ୍ରଚଳିତ ରହିଛି । ହେଲେ ଏଥିପାଇଁ ସରକାର ଅନୁମତି ନଦେଲେ ଅନ୍ୟ ପର୍ବ ଭଳି ଏହି ପର୍ବ ମଧ୍ୟ ଫିକା ପଡ଼ିବା ସାର ବୋଲି କିଛି ବ୍ୟବସାୟୀ ଆଶଙ୍କା କରିଛନ୍ତି । ରାକ୍ଷୀ ଏକ ହସ୍ତଶିଳ୍ପ ସାମଗ୍ରୀ । ବିଶେଷଭାବେ ଏହାକୁ ପରିବାରର ମହିଳା, ପୁରୁଷ ଓ ପିଲାମାନେ ଘରେ ତିଆରି କରିଥାନ୍ତି । ଏଥିପାଇଁ ବ୍ୟବସାୟୀମାନେ ୬ମାସ ଆଗରୁ ରାକ୍ଷୀ ଯୋଗାଇ ଦେବାଲାଗି କାରିଗର ପରିବାରଙ୍କୁ ଅର୍ଡର କରିଥାନ୍ତି । ସେହିପରି ଖୁଚୁରା ବ୍ୟବସାୟୀଙ୍କ ଅର୍ଡର ଅନୁସାରେ ସେମାନେ ମାଲ୍ ମଗାଇଥାନ୍ତି । ଚଳିତ ବର୍ଷ ମଧ୍ୟ କେତେକ ଖୁଚୁରା ବ୍ୟବସାୟୀ ଓ ଛୋଟ ହୋଲସେଲରମାନେ ଅର୍ଡର କରିଥିଲେ । ତାହାକୁ ଦୃଷ୍ଟିରେ ରଖି ହୋଲସେଲ୍ ବ୍ୟବସାୟୀମାନେ କିଛି ଅର୍ଡର କରିଥିବାବେଳେକାରିଗର ପରିବାର ତାହା ପ୍ରସ୍ତୁତ କରିଛନ୍ତି । ଯଦି ସେମାନଙ୍କଠାରୁ ମାଲ୍ ନଉଠିବ, ତେବେ ଗରିବ କାରିଗର ପରିବାର ମଧ୍ୟ ପ୍ରଭାବିତ ହେବେ । ସେମାନଙ୍କ ରୋଜଗାରରେ ବାଧକ ସାଜିବ । ଅନ୍ୟପକ୍ଷରେ ହୋଲସେଲ ବ୍ୟବସାୟୀମାନେ
ମଧ୍ୟ କ୍ଷତିଗ୍ରସ୍ତ ହେବେ ।