ଯାଜପୁର : ବିଜୟ ବରଗଛ। ହଁ ଏ ନାଁଟି ଟିକିଏ ଅଲଗା ଲାଗୁଥିବ। ବରଗଛ ସହିତ ଜଣେ ବ୍ୟକ୍ତିଙ୍କ ନାଁ। ଗଛ ଭିତରେ ବରଗଛ ଟିକିଏ ନିଆରା ଓ ଏହାର ଆୟୁଷ କଳନା କରି ହୁଏନି ବୋଲି କଳ୍ପବଟର ନାଁ ଦିଆଯାଏ। ଠିକ ସେହିପରି ଆମ ସମସ୍ତଙ୍କର ଅତି ପ୍ରିୟ ବିଜୟ ମହାନ୍ତି।
ପ୍ରତିଟି ଓଡିଆ ସିନେପ୍ରେମୀଙ୍କ ହୃଦୟରେ ଏକ ନିଆରା ଚରିତ୍ରଟେ। ନିଜର ଚମତ୍କାର ଅଭିନୟ ଜରିଆରେ ପ୍ରାୟ ଚାରି ଦଶନ୍ଧି ଧରି ସମସ୍ତଙ୍କୁ ଆପଣାଇ ନେଇଥିଲେ । ଅନେକ ସିନେମା ସହିତ ଅତି ପରିଚିତ ମଣିଷଟିଏ ଭଳି । ସେଇଥିପାଇଁ ତ ଆମ ଭାଷାରେ ସେ ମହାନାୟକ। ତାଙ୍କ ପରି ଆଉ କାହା ପକ୍ଷରେ ଏତେ ସିନେମା ଓ ଏତେ ଲୋକପ୍ରିୟତା ନିଶ୍ଚିତ ଭାବେ ନାହିଁ । ସେଇଥି ପାଇଁ ତ ସେ ସ୍ମୃତିରେ ଅମର ରହିବେ।
ଏସବୁ ଭାବାବେଗକୁ ଆଧାର କରି ଯାଜପୁର ଜିଲ୍ଲା ସଚେତନ ନାଗରିକ ମଂଚ କରିଛି ଏକ ନିଆରା ପ୍ରୟାସ। ଦିବଂଗତ କଳାକାର ବିଜୟ ମହାନ୍ତିଙ୍କ ସ୍ମୃତି ଯେମିତି ପ୍ରକୃତି କୋଳରେ ସବୁଜିମା ହୋଇ ସାଇତା ରହିବ ଓ ହୃଦୟକୁ ଅମ୍ଳଜାନ ଦେଵ, ସେଥିପାଇଁ ବ୍ରାହ୍ମଣୀ ନଦୀ କୂଳରେ ପୂଜାର୍ଚନା ଓ ଧୂପ ନୈବେଦ୍ୟ ଅର୍ପଣ କରି ରୋପଣ କରାଯାଇଛି ଏକ ବରଗଛ । ଏହାର ନାମ କରଣ କରାଯାଇଛି “ବିଜୟ ବରଗଛ”।
ସେ ଥିଲେ ଓଡ଼ିଆ ସିନେ ଜଗତର ମହାଦ୍ରୁମ । ତେଣୁ ତାଙ୍କରି ସ୍ମୃତିରେ ଏଇ ବରଗଛ ରୋପଣ ଯେମିତି ତାଙ୍କ ପ୍ରତି ଉଚିତ ସମ୍ମାନ । ଯଦି ମହାନୟକ ବିଜୟ ମହାନ୍ତିଙ୍କୁ ଭଲ ପାଉଥିବା ପ୍ରତ୍ୟକ ଓଡ଼ିଆ ଏହି ବିଜୟ ବରଗଛ ଅଭିଯାନରେ ସାମିଲ ହୋଇ ବୃକ୍ଷ ରୋପଣ କରିବାକୁ ଆଗ୍ରହୀ ହୁଅନ୍ତି, ତେବେ ମହାବାତ୍ୟା ଓ ଫନି ପ୍ରକୋପରେ ପରିବେଶର କ୍ଷତି ଅନେକ ପରିମାଣରେ ଭରଣା ହୋଇପାରନ୍ତା ବୋଲି ମଞ୍ଚ ପକ୍ଷରୁ ଆହ୍ୱାନ ଦିଆଯାଇଛି।