Odia News Portal

ନେଗେଟିଭ କରୋନା ରିପୋର୍ଟ ପାଇଁ ଅପରାଧିଙ୍କ ଧାଡି

ଭୁବନେଶ୍ୱର : ନାମୀ ଦାମୀ ଅପରାଧିମାନେ ଏବେ କରୋନା ପରୀକ୍ଷା ପାଇଁ ଧାଡି ଲଗାଇବା ସହିତ କିଭଳି ନେଗେଟିଭ ରିପୋର୍ଟ ମିଳିବ ସେଥିପାଇଁ ଲାଗି ପଡିଛନ୍ତି । ପୁଲିସ୍‍ ଭୟରେ ଯେଉଁ ଅପରାଧିମାନେ ଅଦାଲତରେ ସରେଣ୍ଡର କରିବାକୁ ଚାହୁଁଛନ୍ତି ସେମାନେ ଏବେ ଏଭଳି ଅବସ୍ଥାରେ ପଡିଛନ୍ତି । କାରଣ କରୋନା ନେଗେଟିଭ ସାର୍ଟିଫିକେଟ ନଆଣିଲେ ରେଣ୍ଡର ହୋଇପାରିବ ନାହିଁ ଅଘୋଷିତ ଫତୁଆ ଜାରି ହୋଇଥିବାରୁ ଅପରାଧି ଓ ତାଙ୍କ ଓକିଲମାନେ ଏବେ ବିଭିନ୍ନ କରୋନା ପରୀକ୍ଷା କେନ୍ଦ୍ରକୁ ଦଉଡିବାରେ ଲାଗିଛନ୍ତି । କରୋନା ସଂକ୍ରମଣ ସମୟରେ ଅପରାଧିମାନଙ୍କୁ ଧରିବାକୁ ପୁଲିସ୍‍ ଡରୁଛି । କାରଣ ଅନେକ ସ୍ଥାନରେ କରୋନା ସଂକ୍ରମିତ ଅପରାଧିଙ୍କୁ ଧରି ପୁଲିସ୍‍ ବାବୁମାନେ ନିଜେ ସଂକ୍ରମିତ ହୋଇସାରିଲେଣି । ଇତି ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଜଣେ ଏଏସ୍‍ଆଇ ପ୍ରାଣ ହରାଇଥିବାବେଳେ ବିଭିନ୍ନ ସ୍ଥାନରେ ଏକାଧିକ ପୁଲିସ୍‍ ସଂକ୍ରମିତ ଅପରାଧିଙ୍କୁ ଧରି କ୍ୱାରେଣ୍ଟାଇନ୍‍ରେ ଅଛନ୍ତି । ସେହିଭଳି ସଂକ୍ରମିତ ଅପରାଧିମାନେ ଜେଲ ଯିବା ଯୋଗୁଁ ବହୁ ଜେଲ୍‍ରେ କରୋନା ବି ବ୍ୟାପି ଚାଲିଛି ।

ଅନ୍ୟ ପକ୍ଷରେ ରାଜଧାନୀରେ ଏବେ କିଛି ଦୁର୍ଦ୍ଦାନ୍ତ ଅପରାଧି ଜଘନ୍ୟ ଅପରାଧ ଘଟାଉଥିବାରୁ ପୁଲିସ୍‍ ସେମାନଙ୍କୁ ଟାର୍ଗେଟ ଆରମ୍ଭ କରିଦେଇଛି । ବିଶେଷକରି ଜଣେ ମହିଳା ପୁଲିସ୍‍ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‍ କରିବାପରେ ଏକାଧିକ ପୁଲିସ୍‍ ଟିମ୍‍ ଏବେ ଅପରାଧିଙ୍କ ପିଛା କରିବାରେ ଲାଗିଛି । କାଳେ ପୁଲିସ୍‍ ଏନ୍‍କାଉଣ୍ଟର କରିଦେବ ସେଥିପାଇଁ କିଛି ବଛା ବଛା ଅପରାଧି ଏବେ ନିଜ ନିଜ ଓକିଲଙ୍କ ଜରିଆରେ ଅଦାଲତରେ ଆତ୍ମସମର୍ପଣ ପାଇଁ ସଜବାଜ ହେଉଛନ୍ତି । ହେଲେ କୋଭିଡ ନେଗେଟିଭ ରିପୋର୍ଟ ନଆଣିଲେ ସରେଣ୍ଡର ହୋଇପାରିବ ବୋଲି କୁହାଯିବାପରେ ଏବେ ଅପରାଧିମାନେ ଚିନ୍ତାରେ ପଡିଛନ୍ତି । ତେଣୁ ପୁଲିସ୍‍ ହାବୁଡରୁ ବଞ୍ଚିବାପାଇଁ ଅପରାଧିମାନେ ଏବେ ନେଗେଟିଭ ରିପୋର୍ଟ ସଂଗ୍ରହରେ ଲାଗିଛନ୍ତି । କୋଭିଡ ପରୀକ୍ଷା କେନ୍ଦ୍ରରୁ କିଭଳି ଶୀଘ୍ର ରିପୋର୍ଟ ମିଳିବ ଓ ଏହା ନେଗେଟିଭ ହେବ ସେଥିପାଇଁ ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି । ଜଣେ ବରିଷ୍ଠ ଓକିଲଙ୍କ କହିବାକଥା ଯେ ଏଭଳି ଅଘୋଷିତ କଟକଣା ଯୋଗୁଁ ଏବେ ଚାହିଁଲେ ବି ଅନେକ ଅପରାଧି ଅଦାଲତରେ ଯାଇ ଆତ୍ମସମର୍ପଣ କରିପାରୁ ନାହାନ୍ତି ।

ଏଥିଯୋଗୁଁ ଅପରାଧିମାନେ ଜେଲ୍‍ ଯିବା ବଦଳରେ ଏବେ ମାଳ ମାଳ ହୋଇ ସହରରେ ଚକ୍କର କାଟିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । କିଛି ଜଣାଶୁଣା ଅପରାଧି କିଭଳି ନେଗେଟିଡ ରିପୋର୍ଟ ହାତେଇବେ ସେଥିପାଇଁ କସରତ ଆରମ୍ଭ କରିଦେଇଥିବାବେଳେ ପୁଲିସ୍‍ ହାତ କେବେ ଏମାନଙ୍କ ବେକ ପାଖକୁ ଆସୁଛି ତାହା ଉପରେ ଏବେ ରାଜଧାନୀବାସୀଙ୍କ ନଜର । କାରଣ ରାଜଧାନୀରେ ଯେଭଳି ଚୋରି ଛିନ୍‍ତାଇ ଦିନ ଦ୍ୱିପ୍ରହରରେ ଘଟିବାରେ ଲାଗିଛି ସେଥିରେ ସାଧାରଣ ଲୋକେ ଅତିଷ୍ଠ ହେଉଥିବାବେଳେ ପୁଲିସ୍‍ ବିରୁଦ୍ଧରେ ଅସନ୍ତୋଷ ବଢିବାରେ ଲାଗିଛି ।