ବଲାଙ୍ଗୀର : ଲାଞ୍ଚ ନେବା ବେଳେ ଧରା ପଡିଲେ ପୋଲିସ ଏସଆଇ । ବଲାଙ୍ଗୀର ଜିଲ୍ଲା ମୁରୀବାହଲ ପୋଲିସ ଷ୍ଟେସନରେ କାର୍ଯ୍ୟରତ ପୋଲିସ ସବ ଇନ୍ସପେକ୍ଟର ସରୋଜ ରଞ୍ଜନ ରଥ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କାର ଲାଞ୍ଚ ନେଉଥିବା ସମୟରେ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ହାତରେ ଧରା ପଡିଛନ୍ତି । ଏକ କେସର ତଦନ୍ତରେ ସହାୟତା କରିବା ନେଇ ପ୍ରତିଶୃତି ଦେଇ ଗୁଦୁଘାଟା ଗାଁର ସଂଜୀବ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଦଶ ହଜାର ଟଙ୍କା ଦାବି କରିଥିଲେ ପୋଲିସ ଏସଆଇ । ମିଳିଥିବା ସୂଚନା ଅନୁଯାୟୀ ବ୍ୟକ୍ତିଙ୍କ ସାନ ଭାଇ ମାନସ ରଞ୍ଜନ ପ୍ରଧାନଙ୍କ ନାଁରେ ପୂର୍ବରୁ ଏକ ମାମଲା ଦରଜ ହୋଇଥିଲା ।
ଏହି ମାମଲାରେ ସହାୟତା ନେଇ ହିଁ ପୋଲିସ ଏସଆଇ ସରୋଜ ରଞ୍ଜନ ରଥ, ସଂଜୀବ ପ୍ରଧାନଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ । କିନ୍ତୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଘଟଣାସ୍ଥଳରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଯେବେକି ଲାଞ୍ଚ ନେଉଥିବା ଅର୍ଥକୁ ଭିଜିଲାନ୍ସ ଟିମ ନେଇଯାଇଛନ୍ତି । ଏହାବାଦ ଶ୍ରୀ ରଥ କାର୍ଯ୍ୟକରୁଥିବା ପୋଲିସ ଥାନା ଓ ଭବାନୀପାଟଣା ସ୍ଥିତ ଶକ୍ତିନଗର ପଡାରେ ଥିବା ତାଙ୍କ ବାସଭବନରେ ମଧ୍ୟ ଭିଜିଲାନ୍ସ ତରଫରୁ ଚଢ଼ାଉ ଜାରି ରହିଛି ।