ଭୁବନେଶ୍ୱର : କରୋନା ମୁକାବିଲା ସାଙ୍ଗକୁ ଅର୍ଥନୀତିର ଇଞ୍ଜିନ ଆଗକୁ ବଢ଼ିବ । ସ୍ୱାସ୍ଥ୍ୟ ସୁରକ୍ଷା ସହ ଜୀବନ ଜୀବିକାକୁ ବି ଆଗେଇବାକୁ ପଡ଼ିବ । ଏଥିପାଇଁ ରାଜ୍ୟ ସରକାର ଅଗଷ୍ଟ ମାସରେ କୋଭିଡ୍ କଟକଣାକୁ କୋହଳ କରିଛନ୍ତି। ତେବେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ବହୁଳ ସଂକ୍ରମିତ ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲା ସହ ରାଉରକେଲା ସହରରେ ଅଗଷ୍ଟ ମାସର ପ୍ରତିି ଶନିବାର ଓ ରବିବାର ସଟ୍ଡାଉନ୍ ରହିବ । ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାର ଆଜି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଏଣିକି ମଲ୍କୁ ଛାଡ଼ିଦେଲେ ସବୁ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବ । ସ୍ପା, ସେଲୁନ, ବିୟୁଟି ପାର୍ଲର ବି ଖୋଲିବ । ହେଲେ ଗ୍ରାହକଙ୍କୁ ସେବା ଦେବା ପୂର୍ବରୁ ଓ ପରେ ଭଲ ଭାବେ ସମସ୍ତ ଉପକରଣକୁ ବିଶୋଧନ କରାଯିବ । କଟକଣା ନ ମାନିଲେ ଜରିମାନା ସହ ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ୍ କରାଯିବ ।
ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଓ ବ୍ୟାୟାମ କେନ୍ଦ୍ର (ଜିମ୍) ଖୋଲିବ । ଶିକ୍ଷାନୁଷ୍ଠାନ ଏବେ ଖୋଲିବ ନାହିଁ । ହେଲେ ପରୀକ୍ଷା ଏବଂ ଖାତା ଦେଖା ହୋଇପାରିବ । ଧାର୍ମିକ ଅନୁଷ୍ଠାନରେ ରୀତିନୀତି ଚାଲିବ । ମାତ୍ର ଭକ୍ତ ପ୍ରବେଶ କରିପାରିବେ ନାହିଁ । ଥିଏଟର, ସିନେମା ହଲ୍, ସୁଇମିଂ ପୁଲ୍, ଅଡିଟୋରିୟମ, ଆସେମ୍ବ୍ଲି ହଲ୍ ଆଦି ବନ୍ଦ ରହିବ । ଆନ୍ତର୍ଜାତିକ ବିମାନ ଚଳାଚଳ ହେବନି । ଧାର୍ମିକ, ସାଂସ୍କୃତିକ, ରାଜନୈତିକ ଓ କ୍ରୀଡ଼ା ସମାବେଶକୁ ଏଥର ବି ଅନୁମତି ଦିଆଯାଇନାହିଁ ।
ଏବେ ରାଜ୍ୟ ଭିତରେ କିମ୍ବା ରାଜ୍ୟ ବାହାରକୁ ଗାଡ଼ି ଚଳାଚଳ ଉପରେ କୌଣସି ରୋକ୍ ନାହିଁ । ତେବେ ପରିବହନ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ବସ୍ ସେବା ପରିଚାଳିତ ହେବ । ମାଲ୍ ପରିବହନରେ ଜଡ଼ିତ ଗାଡ଼ିକୁ କଟକଣାମୁକ୍ତ ରଖାଯାଇଛି ।
କଣ୍ଟେନମେଣ୍ଟ ଜୋନ୍ରେ ପ୍ରଶାସନର ଲକଡାଉନ କଟକଣା ବଳବତ୍ତର ରହିବ । ଏହି ଅଞ୍ଚଳରେ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ୍ ରହିବ । ପ୍ରଶାସନ ଲୋକଙ୍କ ପାଖରେ ଜରୁରୀ ସେବା ପହଞ୍ଚାଇବ । କଣ୍ଟେନମେଣ୍ଟ ଜୋନ୍ ବାହାରେ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିଲେ ସ୍ଥାନୀୟ ପ୍ରଶାସନ ବଫର୍ ଜୋନ୍ ଚିହ୍ନଟ କରିପାରିବେ ।
ବର୍ତ୍ତମାନ କଟକଣା କୋହଳ ସତ୍ତେ୍ୱ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ଦୋକାନ ବଜାର ବନ୍ଦ ରହିବା ସହ କେହି ବାହାରେ ଚଳପ୍ରଚଳ କରିପାରିବେନି । ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିବ ।
ତେବେ ସ୍ୱାସ୍ଥ୍ୟ ଓ ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା, ବିଭାଗ, କାର୍ଯ୍ୟାଳୟ, କର୍ମଚାରୀ, ଆମ୍ବୁଲାନ୍ସ, ମାଲ ପରିବହନ ଗାଡ଼ିକୁ କଟକଣାମୁକ୍ତ ରଖାଯାଇଛି । ନିର୍ମାଣ କାର୍ଯ୍ୟ, ଜଳ ଯୋଗାଣ, ବିଦ୍ୟୁତ ସେବା, ରେଳ ଓ ବିମାନ ସେବା କଟକଣାମୁକ୍ତ ରହିବ । ମେଡିକାଲ କିମ୍ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ସାଧାରଣ ଲୋକେ ଯାଇପାରିବେ ।
ରେଳ ଷ୍ଟେସନ, ବସଷ୍ଟାଣ୍ଡ, ବିମାନବନ୍ଦରରୁ ଯାତ୍ରୀ ନେବା ଆଣିବା ପାଇଁ ଗାଡ଼ି ଯାଇପାରିବ । ଯାତ୍ରୀମାନେ ନିଜ ଟିକେଟ ଓ ବୋର୍ଡିଂ ପାସ୍ ଦେଖାଇ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ । ଜାତୀୟ ରାଜପଥ ପାଶ୍ୱର୍ ଢାବାଗୁଡ଼ିକ ପାର୍ସଲ ଦେଇପାରିବେ। ଗଣମାଧ୍ୟମ କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ, ସିଏଜି ଷ୍ଟେସନ ଖୋଲା ରହିବ ।
ଦ୍ରୁତ ସଂକ୍ରମଣ ହାରକୁ ଲକ୍ଷ୍ୟ ରଖି ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଗଜପତି ଜିଲ୍ଲା ସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଅଗଷ୍ଟ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ ଲାଗୁ ହେବ । ଅଗଷ୍ଟ ୧, ୨, ୮, ୯, ୧୫, ୧୬, ୨୨, ୨୩, ୨୯ ଓ ୩୦ ତାରିଖରେ ଏସବୁ ଅଞ୍ଚଳରେ ସଟଡାଉନ ରହିବ । ଏହି ସମୟରେ ସ୍ୱାସ୍ଥ୍ୟ ସେବା, ପୁଲିସ, ଅଗ୍ନିଶମ, ଟେଲିକମ ସମେତ ସମସ୍ତ ଜରୁରୀ ସେବାକୁ କଟକଣାମୁକ୍ତ ରଖାଯାଇଛି ।
ପେଟ୍ରୋଲ ପମ୍ପ, ସିଏନଜି ଷ୍ଟେସନ, ଏଲପିଜି ବିତରଣ ଚାଲିବ । ରେଳ, ବିମାନ ସେବା ଜାରି ରହିବ । ଏଟିଏମ ଖୋଲା ରହିବ । ଏନ୍ଏଚରେ ଗାଡ଼ିମୋଟର ଚାଲିବ । ଅନଲାଇନ ହୋମ୍ ଡେଲିଭରି ସେବା ଜାରି ରହିବ । କ୍ଷୀର ଦୋକାନ ଖୋଲା ରହିବ । ସକାଳ ୫ଟାରୁ ସକାଳ ୮ଟା ଭିତରେ ଖବରକାଗଜ ବିତରଣ କରିପାରିବେ ହକର୍ । ଅନୁମତି ନେଇ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟ ନିୟମ ଅନୁଯାୟୀ କରାଯିବ ।
ବଡ଼ କଥା ହେଲା, ଅଗଷ୍ଟ ମାସର ପ୍ରଥମ ଦୁଇଦିନ ଶନିବାର ଓ ରବିବାର (ଅଗଷ୍ଟ ୧ ଓ ୨ ତାରିଖ) ପଡ଼ୁଛି । ଏହି ଦୁଇଦିନରେ ଉପରୋକ୍ତ ୪ ଜିଲ୍ଲା ଓ ରାଉରକେଲାରେ ସଟଡାଉନ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ତେଣୁ ଏଥର ଶନିବାର ଓ ରବିବାର ସକାଳ ୫ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବା ସହ ଅଫିସ ମଧ୍ୟ ଚାଲିପାରିବ । ଦିନ ୧ଟାରୁ ସଟଡାଉନ୍ ଲାଗୁ ହେବ । ଅଗଷ୍ଟର ବାକି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ ଲାଗୁ ହେବ।
ବର୍ତ୍ତମାନ ଜୀବିକାକୁ ଆଗେଇବାକୁ ପଡ଼ିବ । ତେଣୁ କୃଷି, ଉଦ୍ୟାନ କୃଷି, ମାଛ ଚାଷ, ଗୋପାଳନ, ଖଣିଜ କାରବାର, ଶିଳ୍ପ ସଂସ୍ଥା, ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କଟକଣାମୁକ୍ତ ରଖାଯାଇଛି। ଅଗଷ୍ଟ ମାସରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ କମ୍ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ କରିବାକୁ କୁହାଯାଇଛି । ସମସ୍ତ ଦପ୍ତରରେ ସ୍କ୍ରିନିଂ ବ୍ୟବସ୍ଥା ସହ ସାନିଟାଇଜର, ହ୍ୟାଣ୍ଡ ୱାସ୍ ରଖାଯିବ । ନିୟମିତ ଅଫିସକୁ ସାନିଟାଇଜ୍ କରାଯିବ । କର୍ମଚାରୀଙ୍କ ମଧ୍ୟରେ ଦୂରତା ରକ୍ଷା କରିବାକୁ ପଡ଼ିବ।
ଏଣିକି ରାଜ୍ୟ ବାହାରୁ ଓଡ଼ିଶାକୁ ୭୨ ଘଣ୍ଟା ପାଇଁ ଆସିଲେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବନି । ମାତ୍ର ରାଜ୍ୟ ବାହାରୁ ଆସୁଥିବା ଅନ୍ୟମାନେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ନିୟମ ପାଳନ କରିବେ ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ଆମ ରାଜ୍ୟରେ ମୃତ୍ୟୁ ହାର ସବୁଠୁ କମ୍ ରହିଛି । ଟେଷ୍ଟିଂ ଅଧିକ ହେଉଥିବାବେଳେ ପଜିଟିିଭ୍ କେସ୍ ହାର ଅନ୍ୟ ରାଜ୍ୟଠାରୁ କମ୍ ଅଛି । ଭଦ୍ରକ, କଟକ, ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ହାର କମିବା ଆରମ୍ଭ ହୋଇଛି । ଜୀବନ, ଜୀବିକା ଉଭୟକୁ ସମଗତିରେ ଚାଲୁ ରଖିବା କ୍ଷେତ୍ରରେ ଅନେକ ଚାଲେଞ୍ଜ ଅଛି । ଏହା ସତ୍ତେ୍ୱ ଆମକୁ ଅଧିକ ଅନଲକ୍ କରିବାକୁ ହେବ । ନିୟମ ମାନିବାକୁ ପଡ଼ିବ।
