Odia News Portal

ରାମଲଲାଙ୍କ ପାଇଁ ୧ ଲକ୍ଷ ୧୧ ହଜାର ଲଡୁ

ନୂଆଦିଲ୍ଲୀ : ଅଯୋଧ୍ୟାରେ ଆଗାମୀ ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ଭୂମିପୂଜା ପାଇଁ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି । ସମଗ୍ର ଅଯୋଧ୍ୟା ନଗରୀକୁ ବିଭିନ୍ନ ରଙ୍ଗେରେ ସୁସଜ୍ଜିତ କରାଯାଉଛି । ରାମଲଲାଙ୍କ ପାଇଁ ଲୁଗା ଓ ଭୋଗ ପାଇଁ ଲଡୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଅଯୋଧ୍ୟା ଧାମରେ ଥିବା ମଣିରାମ ଦାସ ଛାୱଣୀ ମନ୍ଦିର ପକ୍ଷରୁ ଭୂମିପୂଜା ପାଇଁ ୧ ଲକ୍ଷ ୧୧ ହଜାର ଲଡୁ ପ୍ରସ୍ତୁତ କରାଯାଉଛି । ଲଡୁକୁ ୧୧୧ଟି ଟିଫିନ ବକ୍ସରେ ପ୍ୟାକ କରାଯାଉଛି । ତାହା ଭୂମିପୂଜା ଦିନ ରାମଲଲାଙ୍କ ପାଖକୁ ପଠାଯିବ ।

ତା’ଛଡା ଏହି ଲଡୁକୁ ସମଗ୍ର ଅଯୋଧ୍ୟା ନଗରୀରେ ବଣ୍ଟାଯିବ । ଗୃହ ବିଭାଗର ପ୍ରମୁଖ ସଚିବ ଅବନିଶ ଅୱସ୍ତି, ଏଡିଜି (ଜୋନ୍‌) ଏସ୍‌ଏନ୍‌ ସାବତ ଏବଂ ଏଡିଜି (ଆଇନ ଶୃଙ୍ଖଳା) ପ୍ରମୁଖ ଅଯୋଧ୍ୟାରେ ପହଞ୍ଚି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅଗଷ୍ଟ ୫ ତାରିଖରେ ହେବାକୁ ଥିବା ଭୂମିପୂଜା ସମାରୋହକୁ କିଭଳି ସାମାଜିକ ଦୂରତା ମଧ୍ୟରେ କରାଯିବ ସେହି ବିଷୟରେ ସେମାନେ ମୁଖ୍ୟ ସଚିବ ରାଜେନ୍ଦ୍ର ତିୱାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ଅନ୍ୟପକ୍ଷରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ନାଗର ଶୈଳୀରେ ୧୬୧ ଫୁଟ ଉଚ୍ଚତା ବିଶିଷ୍ଟ ହେବ । ମନ୍ଦିରରେ ୫ ମଣ୍ଡପ ଥିବା ଗମ୍ବୁଜ ଓ ଗୋଟିଏ ଶିଖର ରହିବ । ମନ୍ଦିର ନିର୍ମାଣ ସରିବାକୁ ୩ରୁ ୩.୫ ବର୍ଷ ସମୟ ଲାଗିବ। ମନ୍ଦିର ୩ ମହଲା ବିଶିଷ୍ଟ ହେବ ଏବଂ ସମ୍ପୂର୍ଣ୍ଣ ବାସ୍ତୁଶାସ୍ତ୍ର ଅନୁସାରେ ନିର୍ମାଣ କରାଯିବ । ଅହମ୍ମଦାବାଦରେ ରହୁଥିବା ପ୍ରେଜେକ୍ଟର ମୁଖ୍ୟ ସ୍ଥପତି ଚନ୍ଦ୍ରକାନ୍ତ ଭାଇ ସୋମପୁରାଙ୍କ ପୁଅ ତଥା ସ୍ଥପତି ଆଶିଷ ସୋମପୁରାଙ୍କ କହିବାନୁଯାୟୀ ୧୯୯୦ରେ ଯେଉଁ ମନ୍ଦିର ପରିକଳ୍ପନା କରାଯାଇଥିଲା ସେଥିରେ ୩ ମଣ୍ଡପ ଯଥା ଗର୍ଭଗୃହ, କୁଡୁ ମଣ୍ଡପ ଓ ନୃତ୍ୟ ମଣ୍ଡପ ଥିଲା । କିନ୍ତୁ ବର୍ତ୍ତମାନ ସେଥିରେ ଉଭୟ ପାଶ୍ୱର୍ରେ ଆଉ ୨ଟି ମଣ୍ଡପ ବଢ଼ାଇ ଦିଆଯାଇଛି । ଯାହାର ନାମ କୀର୍ତ୍ତନ ମଣ୍ଡପ ଓ ପ୍ରାର୍ଥନା ମଣ୍ଡପ ରଖାଯାଇଛି । ସେହିଭଳି ପୂର୍ବ ଡିଜାଇନରେ ୨୧୨ କଲମ ରହିଥିଲା । ତାକୁ ୩୬୦ କରାଯାଇଛି । ଫଳରେ ମନ୍ଦିରର ଉଚ୍ଚତା ଓ ଚଉଡା ମଧ୍ୟ ବୃଦ୍ଧି କରାଯାଇଥିବା ସେ କହିଛନ୍ତି ।