Odia News Portal

ପୁଲିସର ପାଟ୍ରୋଲିଂ ବେଳେ ଧରାପଡ଼ିଲା କୁଖ୍ୟାତ ବାଇକ୍‌ ଚୋର

ଭୁବନେଶ୍ୱର : ନୂଆପଲ୍ଲୀ ଥାନା ପୁଲିସ ଜଣେ ବାଇକ୍‌ ଚୋରକୁ ଗିରଫ କରିଛି । ତା’ ଠାରୁ ୨ଟି ଚୋରା ବାଇକ୍‌ ଜବତ ହୋଇଛି । ଗିରଫ ଚୋରର ନାମ ରଞ୍ଜନ ପ୍ରଧାନ(୨୧) । ଘର ନୟାଗଡ଼ ହାଟସାହି । ସେ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ରୁଚିକା ମାର୍କେଟରେ ରହୁଥିଲା ।

ପୁଲିସ ସୂଚନା ଅନୁଯାୟୀ, ରଞ୍ଜନ ଜଣେ ପେସାଦାର ବାଇକ୍‌ ଚୋର । ତା’ ନାମରେ ରାଜଧାନୀର ବିଭିନ୍ନ ଥାନରେ ବାଇକ୍‌ ଚୋରି ମାମଲା ରହିଛି । ଗତକାଲି ମଧ୍ୟାହ୍ନରେ ସେ ଏକ ଚୋରା ବାଇକ୍‌ ଧରି ଷ୍ଟ୍ରିୱାର୍ଟ ସ୍କୁଲ ଛକ ନିକଟରେ ବୁଲୁଥିଲା । ଏହି ସମୟରେ ନୂଆପଲ୍ଲୀ ଥାନା ପୁଲିସ ପାଟ୍ରୋଲିଂ କରୁଥିଲା । ରଞ୍ଜନର ହାବଭାବକୁ ଦେଖି ପୁଲିସର ସନ୍ଦେହ ହୋଇଥିଲା । ତେଣୁ ପୁଲିସ ଟିମ୍‌ ରଞ୍ଜନକୁ ଧରି ବାଇକ୍‌ କାଗଜପତ୍ର ମାଗିଥିଲା । କିନ୍ତୁ ରଞ୍ଜନ କାଗଜପତ୍ର ଦେଖାଇ ପାରି ନଥିଲା । ତାକୁ ପୁଲିସ ଥାନାକୁ ନେଇ ଜେରା କରିବା ସମୟରେ ସେ ଚୋରା ବାଇକ୍‌ ବୋଲି ମାନି ଯାଇଥିଲା । ପୁଲିସ ତାକୁ ଧରି ତା’ ଘରେ ଚଢ଼ଉ କରି ଆଉ ଏକ ଚୋରା ବାଇକ୍‌ ଜବତ କରିଥିଲା । ରଞ୍ଜନ ବାଇକ୍‌ ଚୋରି କରିବା ପରେ ସେଥିରେ ଜାଲ୍‌ ନମ୍ବର ପ୍ଲେଟ୍‌ ଲଗାଇ କମ୍‌ ଦରରେ ବିକ୍ରି କରି ଦେଉଥିଲା । ତା’ ନାମରେ ବଡ଼ଗଡ଼,ମଞ୍ଚେଶ୍ୱର,ଖଣ୍ଡଗିରି ଓ କ୍ୟାପିଟାଲ ଥାନାରେ ୬ରୁ ଅଧିକ ବାଇକ୍‌ ଚୋରି ମାମଲା ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି । ଆଜି ରଞ୍ଜନକୁ କୋର୍ଟ ଚାଲାଣ କରାଯାଇଛି ।