ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ ମିଶନରେ ରୋଭର(ପ୍ରଜ୍ଞା)କୁ ନେଇ ଯାଇଥିବା ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ ବିଳଫ ରହିବାର ୧୦ ମାସ ପରେ ନାସାର ତାଜା ସୂଚନା ଏବେ ଇସ୍ରୋର ଆଶା ସୃଷ୍ଟି କରିଛି। ଗତ ବର୍ଷ ନାସାର ଫଟୋ ବ୍ୟବହାର କରି ବିକ୍ରମର ଭଗ୍ନାବଶେଷ ଚିହ୍ନଟ କରିଥିବା ଚେନ୍ନାଇର ଯୁବ ବୈଜ୍ଞାନିକ ଶନମୁଗ ସୁବ୍ରମଣ୍ୟମ ଭାରତୀୟ ମହାକାଶ ଏଜେନ୍ସିକୁ ଇମେଲ ପଠାଇ ଦାବି କରିଛନ୍ତି ଯେ, ନାସା ଦ୍ବାରା ଜାରି କରାଯାଇଥିବା ଫଟୋରୁ ପ୍ରଜ୍ଞାନ କିଛି ମିଟର ଆଗକୁ ବଢିବାର ସଙ୍କେତ ମିଳିଛି।
ଏନେଇ ଗତକାଲି (ସୋମବାର) ନାସା ଚନ୍ଦ୍ରପୃଷ୍ଠରେ ‘ବିକ୍ରମ’ର ଇମ୍ପାକ୍ଟ ସାଇଟ ଫଟୋ ଟୁଇଟ କରି ଜାରି କରିଛି। ନାସାର ଲୁନାର ରେକନାଇଜେସନ୍ ଅର୍ବିଟର (ଏଲ୍ଆରଓ) ମହାକାଶ ଯାନର ‘ଇମ୍ପାକ୍ଟ ଫିଲ୍ଡ’ ଏବଂ ଏହା ପାଖାପାଖି ଅଞ୍ଚଳର ଫଟୋ ପଠାଇଛି। ଚନ୍ଦ୍ରପୃଷ୍ଠର ଅନେକ ସ୍ଥାନରେ ବିକ୍ରମର ଧ୍ୱଂସାବଶେଷ ପଡ଼ି ରହିଥିବା ବେଳେ କ୍ରାସ୍ ସାଇଟ୍ର ୭୫୦ ମିଟର ଦୂରରେ ‘ବିକ୍ରମ’ର ଏକ ଭଗ୍ନାବଶେଷ ପଡି ରହିଥିବା ସୂଚନା ମିଳିଛି।
ଇସ୍ରୋର ମୁଖ୍ୟ କେ.ସିଭନ୍ ମଧ୍ୟ ଏହାର ସୁଚନା ଦେବା ସହ କହିଛନ୍ତି ଯେ, ଆମକୁ ଏ ବିଷୟରେ ନାସାଠାରୁ କୌଣସି ସୂଚନା ମିଳିନାହିଁ, କିନ୍ତୁ ଯେଉଁ ବ୍ୟକ୍ତି ବିକ୍ରମର ଭଗ୍ନାବଶେଷ ଚିହ୍ନଟ କରିଥିଲେ, ସେ ଏ ବିଷୟରେ ଇମେଲ କରିଥିଲେ। ଆମର ବିଶେଷଜ୍ଞ ଏହି ମାମଲାକୁ ଦେଖୁଛନ୍ତି। ଏବେ ଆମେ ସବୁ ଏ ବିଷୟରେ କିଛି କହିପାରିବୁ ନାହିଁ।
ଶନମୁଗ କହିଥିଲେ ଯେ, ୪ ଜାନୁଆରୀର ଫଟୋରୁ ଲାଗୁଛି ଯେ, ପ୍ରଜ୍ଞାନ ଅକ୍ଷତ ଭାବରେ ରହିଛି ଓ ଲ୍ୟାଣ୍ଡିଂ ସ୍ଥାନଠାରୁ କିଛି ମିଟର ଆଗକୁ ବଢିଯାଇଛି। ସୁଭ୍ରମଣ୍ୟମଙ୍କ କହିବା ଅନୁସାରେ, ବହୁ ଦିନ ପର୍ଯ୍ୟନ୍ତ ଲ୍ୟାଣ୍ଡରକୁ କମାଣ୍ଡ ପଠାଯାଉଥିଲା। ଏହି କଥାର ଆଶଙ୍କା ରହିଛି ଯେ, ଲ୍ୟାଣ୍ଡର କମାଣ୍ଡକୁ ରୋଭର ପର୍ଯ୍ୟନ୍ତ ପଠାଇଛନ୍ତି, କିନ୍ତୁ ସମ୍ପର୍କ ବିଚ୍ଛିନ୍ନ ହେବା କାରଣରୁ ପୃଥିବୀର ନିୟନ୍ତ୍ରଣ କକ୍ଷ ପର୍ଯ୍ୟନ୍ତ ପଠାଇବାରେ ସକ୍ଷମ ନାହିଁ।
ଉଲ୍ଲେଖନୀୟ ଯେ, ସେପ୍ଟେମ୍ବର ୭ରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍ ‘ବିକ୍ରମ’କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରାଇବାରେ ସଫଳ ହୋଇ ପାରି ନଥିଲ। ଚନ୍ଦ୍ର ପୃଷ୍ଠରେ ଅବତରଣସ୍ଥଳଠାରୁ ୨.୧ କିମି ଦୂରତାରେ ଲ୍ୟାଣ୍ଡର୍ ବିକ୍ରମ ସହିତ ଇସ୍ରୋ କମାଣ୍ଡ ସେଣ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
