Odia News Portal

ରକ୍ଷା କବଚରେ ବନ୍ଧା ହେଲେ କରୋନା ଯୋଦ୍ଧା ଓ ସୁରକ୍ଷା କର୍ମୀ

ନବରଙ୍ଗପୁର : ଦେଶର ସୁରକ୍ଷା ପାଇଁ ସୀମାରେ ଲଢୁଛନ୍ତି ଯବାନ । ଆଉ ଏବେ ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଛନ୍ତି କରୋନା ଯୋଦ୍ଧା । ସେଇମାନେ ହିଁ ଆମର ପ୍ରକୃତ ଭାଇ । ସମସ୍ତଙ୍କୁ ଘରେ ରହିବାକୁ କହି ଆମ ସୁରକ୍ଷା ପାଇଁ ନିଜେ ବାହାରେ ବିପଦକୁ ବରଣ କରିଛନ୍ତି । ତେଣୁ ଏ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ନିଜକୁ ଧନ୍ୟ ମନେ କରୁଛି ବୋଲି କହିଛନ୍ତି ଦିପ୍ତୀ ମୟୀ ।
ଯୁବତୀ ଜଣକ ଆଜି ସହର ରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ପବିତ୍ର ରକ୍ଷା ବନ୍ଧନ ଦିବସରେ ନିଜ ପରିବାରକୁ ଭୁଲି ଯେଉଁ ପୋଲିସ ଭାଇମାନେ ରାସ୍ତାରେ ପହରା ଦେଉଥିଲେ ସେମାନଙ୍କୁ ଆଜି ରାକ୍ଷୀ ବାନ୍ଧି ସେମାନଙ୍କ ମନୋବଳ ବଢ଼ାଛନ୍ତି ଯୁବତୀ ଜଣକ । ଉମା ଶଙ୍କର ସବୁଜ ଦୁନିଆ ଲିମିଟେଡ଼ ତରଫରୁ ଆଜି ନିଜ ହାତ ତିଆରି ରାକ୍ଷୀ ସହ ମିଠା ଧରି ଦୀପ୍ତିମୟୀ ନାୟକ, କୃଷ୍ଣଚନ୍ଦ୍ର ନାୟକ, ହୀରାଧର ସାହୁ, ମହେନ୍ଦ୍ର କୁମାର ଦାଶ ସହର ସାରା ବୁଲି ଆଜି କରୋନା ଯୋଦ୍ଧାଙ୍କୁ ରାକ୍ଷୀ ବାନ୍ଧିଛନ୍ତି।

ସେପଟେ ଦୀପ୍ତିମୟୀ ଆସି ଆମ ଖାଲି ହାତରେ ରାକ୍ଷୀ ବାନ୍ଧି ଆମକୁ ଯେଉଁ ସ୍ନେହ ଦେଇଛନ୍ତି ତାହା କେବେ ଭୁଲି ହେବ ନାହିଁ ବୋଲି କହିଛନ୍ତି ଏଇ କରୋନା ଯୋଦ୍ଧାମାନେ ।

ସୁରକ୍ଷା କର୍ମୀଙ୍କୁ ସୁରକ୍ଷା କବଚ

ରାଇରଙ୍ଗପୁର : ସୁରକ୍ଷା କର୍ମୀଙ୍କ ସୁରକ୍ଷା ପାଇଁ ଅଭିନବ ଉପାୟ । ଆଜି ରାକ୍ଷୀ ପୂର୍ଣ୍ଣିମାରେ ସହକର୍ମୀ ପୋଲିସ ଅନ୍ୟ ପୋଲିସ ହାତରେ ସୁରକ୍ଷା କବଚ ବାନ୍ଧିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଇରଙ୍ଗପୁର ଆଦର୍ଶ ଥାନାରେ । ସମଗ୍ର ବିଶ୍ୱକୁ ଏବେ ଆତଙ୍କିତ କରିଛି କରୋନା ଭୂତାଣୁ । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପୋଲିସର ଭୂମିକା ହୋଇଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପୋଲିସ ଦିନରାତ୍ରି ପରିଶ୍ରମ କରି ଜନ ସାଧାରଣଙ୍କୁ ସୁରକ୍ଷା ଯୋଗାଉଛି । ହେଲେ ତାକୁ ସୁରକ୍ଷା ଦେବ କିଏ ? ତେଣୁ ସେହି ସୁରକ୍ଷା କର୍ମୀଙ୍କ ସୁରକ୍ଷା ଚିନ୍ତା କରି ରାକ୍ଷୀ ବାନ୍ଧିବାକୁ ଆଗେଇ ଆସିଥିଲେ ସହକର୍ମୀ ମହିଳା ପୋଲିସ କର୍ମଚାରୀ ।

ସମସ୍ତ ଭାଇ ଆଜି ନିଜ ଘରେ ଭଉଣୀଙ୍କ ହାତରୁ ରାକ୍ଷୀ ବନ୍ଧାଇ ସପରିବାର ସହ ଆନନ୍ଦ ଉଲ୍ଲାସର ସହ ଘରେ ରହିଥିବା ବେଳେ ପୋଲିସ ମାନେ ପରିବାର ଛାଡ଼ି ଜନସାଧାରଣଙ୍କ ସୁରକ୍ଷା କାର‌୍ୟ୍ୟରେ ନିୟୋଜିତ ଅଛନ୍ତି । ତେବେ ସେମାନଙ୍କ ସୁରକ୍ଷା ପାଇଁ ସହକର୍ମୀ ପୋଲସମାନେ ସେମାନଙ୍କୁ ରାକ୍ଷୀ ବାନ୍ଧି ଥିବାରୁ ବିଭିନ୍ନ ମହଲରୁ ଏହାକୁ ପ୍ରଶଂସା କରାଯାଇଛି ।