Odia News Portal

ମାଟି ହାଣି ଏବେ ଚର୍ଚ୍ଚାରେ ଉପଜିଲ୍ଲାପାଳ

ବରଗଡ଼ : ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ ଦରୁଆନ ସୋମବାର ରୁଟିନ୍‌ ଗସ୍ତରେ ବାହାରିଥିବା ସମୟରେ ମନରେଗା କାମର ଖାଲି ସମୀକ୍ଷା କଲେ ନାହିଁ, ନିଜେ କୋଡ଼ି କୋଦାଳ ଧରି ବିଲକୁ ଓହ୍ଲାଇ ମାଟିହାଣି ପ୍ରବାସୀ ଶ୍ରମିକଙ୍କୁ ଉତ୍ସାହିତ କରିଛନ୍ତି ।

ଏଥିସହ ଏଠି କାମ ଥିବାରୁ ବାହାରକୁ କେହି ଯିବାର ଦରକାର ନାହିଁ ବୋଲି ଶ୍ରମିକଙ୍କୁ ଆହ୍ୱାନ ଦେଇଛନ୍ତି । ରୁଟିନ୍‌ ଗସ୍ତ ସମୟରେ କନସିଂହା ପଞ୍ଚାୟତ ଗୌଡ଼ପାଲି ଗାଁରେ ୪୦ରୁ ଅଧିକ ଶ୍ରମିକ ଗୋଟିଏ ସ୍ଥାନରେ ମାଟି ହାଣୁଥିବା ଦେଖି ଅଟକି ଯାଇ ତାଙ୍କ ସହ ଆଲୋଚନା କରିଥିଲେ ।

ସେମାନଙ୍କ ଭିତରେ ଅନେକ ପ୍ରବାସୀ ଶ୍ରମିକ ଥିବା ବେଳେ ଲକ୍‌ଡ଼ାଉନରେ ଫେରି ଏବେ ମନରେଗା ଯୋଜନାରେ କାମ କରୁଥିବା ଜାଣିବାକୁ ପାଇଥିଲେ । ତେବେ ଉତ୍ସାହ ପ୍ରଦାନ କରିବା ପାଇଁ ଶ୍ରୀ ଦରୁଆନ କୋଦାଳ ଧରି ସିଧା ବିଲକୁ ଓହ୍ଲାଇ ମାଟି ହାଣିବାରେ ଲାଗିଥିଲେ ।

ଏହାକୁ ଦେଖି ଶ୍ରମିକମାନେ ଖୁସି ଅନୁଭବ କରିଥିବା ବେଳେ ଆଉ ଦାଦନ ନଯିବାକୁ ପ୍ରବାସୀ ଶ୍ରମିକ ପ୍ରକାଶ କରିବା ପରେ ତାଙ୍କୁ ପ୍ରଶଂସା କରିଥିଲେ । ତେବେ ଉପଜିଲ୍ଲାପାଳ ଶ୍ରୀ ଦରୁଆନଙ୍କ ଏଭଳି ପଦକ୍ଷେପ ସାଧାରଣରେ ପ୍ରଶଂସନୀୟ ହୋଇପଡ଼ିଥିବା ବେଳେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେଇଛି ।