Odia News Portal

ମନୋଜ ସିହ୍ନା ହେଲେ ଜମ୍ମୁ-କାଶ୍ମୀରର ନୂଆ ଉପରାଜ୍ୟପାଳ

ଜମ୍ମୁ-କଶ୍ମୀର: ଜମ୍ମୁ ଓ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା । ମୁର୍ମୁ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଛନ୍ତି । ରାଷ୍ଟ୍ରପତି ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି । ମନୋଜ ସିହ୍ନା ହେଲେ ଜମ୍ମୁ ଓ କାଶ୍ମୀରର ନୂଆ ଉପରାଜ୍ୟପାଳ । ଗିରୀଶ ମୁର୍ମୁ ହୋଇପାରନ୍ତି ଦେଶର ପରବର୍ତ୍ତୀ ସିଏଜି । ବର୍ତ୍ତମାନର ସିଏଜି ରାଜୀବ ମେହରିଷି ଚଳିତ ସପ୍ତାହରେ ଅବସର ନେବେ । ଗିରିଶଙ୍କୁ ଏହି ସ୍ଥାନରେ ଅବସ୍ଥାପିତ କରାଯାଇପାରେ ବୋଲି ସୂଚନା ମିଳିଛି ।

ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ନୂଆକରି ସୃଷ୍ଟି ହୋଇଥିବା ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଗତବର୍ଷ ଅକ୍ଟୋବର ୩୧ରେ ମୁର୍ମୁ ପ୍ରଥମ ଉପ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । ଗିରିଶ ମୁର୍ମୁ ଓଡ଼ିଶାର ମୟୁରଭଞ୍ଜ ମାଟିର ସନ୍ତାନ । ସେ କନ୍ଦ୍ରେ ସରକାରଙ୍କ ବିଭିନ୍ନ ପଦପଦବିରେ ଅବସ୍ଥାପିତ ହୋଇ ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି । ୧୯୮୫ ବ୍ୟାଚର ଆଇଏଏସ ହେଉଛନ୍ତି ଗିରିଶ।

ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ରମନ୍ତ୍ରୀ ଥିବା ବେଳେ ସେ ଥିଲେ ଗୁଜରାଟର ପ୍ରିନ୍ସିପାଲ ସେକ୍ରେଟାରୀ । ନିକଟରେ ମୁର୍ମୁ କହିଥିଲେ ଯେ କେନ୍ଦ୍ର ଶାସିତ ଅଞ୍ଚଳରେ ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଶେଷ ହେବା ପରେ ହିଁ ନିର୍ବାଚନ ହେବ । ଏବେ ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ଜାରି ରହିଛି । ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦କୁ ହଟାଇ ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ । ଏହାପରେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ ଓ କଶ୍ମୀରର ଲେଫ୍ଟାନଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଥିଲା । ଏହି ଘଟଣାର ଠିକ ବର୍ଷକ ପରେ ଇସ୍ତଫା ଦେଇଛନ୍ତି ଗିରିଶ ମୁର୍ମୁ