ଭୁବନେଶ୍ବର : ଗତ ଚାରି ବର୍ଷରେ ହାତୀ ଆକ୍ରମଣରେ ରାଜ୍ୟରେ ୩୬୯ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ୨୦୭ଜଣ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି । ଆଜି ବିଧାନସଭାରେ ବିଧାୟକ ମୁକେଶ କୁମାର ପାଲଙ୍କ ଏକ ଲିକ୍ଷିତ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି ।
ତେବେ ହାତୀମାନେ ଜନବସତି ଆଡକୁ ନଆସିବା ପାଇଁ ସମ୍ବେଦନଶୀଳ ଅଂଚଳରେ ପଥର ପ୍ରଚୀର, ଖାଇ, ସୌରଶକ୍ତି ଚାଳିତ ତାରବାଡ ନିର୍ମାଣ କରାଯାଇଛି । ହାତୀମାନଙ୍କ ବାସସ୍ଥାନରେ ଖାଦ୍ୟ ଉପଯୋଗୀ ବୃକ୍ଷ ରୋପଣ ସହ ନୂତନ ଜଳାଶୟ ନିର୍ମାଣ କରାଯାଉଛି । ସେମାନଙ୍କ ଗତିବିଧି ନିରୀକ୍ଷଣ କରି ସେମାନଙ୍କୁ ଜଙ୍ଗଲ ଆଡକୁ ଘଉଡାଇଦେବାକୁ ଉପଦ୍ରବ ନିରୋଧି ଦଳ, ବନ୍ୟଜୀବ ସୁରକ୍ଷା ଦଳ, ହାତୀ ଅନୁସରଣ ଦଳକୁ ନିୟୋଜିତ କରାଯାଇଛି । ବିଭିନ୍ନ ବନଖଣ୍ଡରେ ମୋବାଇଲ ସ୍କାର୍ଡ ଦ୍ବାରା ଧନଜୀବନର ସୁରକ୍ଷା ପାଇଁ ହାତୀ ରହିଥିବା ଅଂଚଳରେ ନିୟମିତ ରାତ୍ରି ପଇଁତରା ବ୍ୟବସ୍ଥା କରାଯାଇଛି । ଏଥିସହିତ ରାଜ୍ୟରେ ସ୍ବତନ୍ତ୍ର ଗଜ ବାହାର ପ୍ରବର୍ତ୍ତନ କରାଯାଇ ମନୁଷ୍ୟ ମୃତ୍ୟୁକୁ ରୋକିବା ଦିଗରେ ପଦକ୍ଷେପ ନିଆଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି ।