ଭୁବନେଶ୍ଵର : ଲୋକସେବା ଭବନରେ କରୋନା ତାହାର କାୟା ମେଲାଉଥିବାରୁ ଏବେ କର୍ମଚାରୀମାନେ ପରସ୍ପରକୁ ସନ୍ଦେହରେ ଦେଖିଲେଣି । ସ୍ୱାସ୍ଥ୍ୟ ବିଭାଗରୁ ଏକାଧିକ କରୋନା ପଜିଟିଭ ବାହାରିବା ସହିତ ଅନ୍ୟ ବିଭାଗ ଗୁଡିକରୁ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏବେ ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର ଲୋକସେବାଭବନରେ କଡାକଡି ନିୟମ ପାଳନ ପାଇଁ କର୍ମଚାରୀମାନେ ମତ ଦେଉଛନ୍ତି । ବିଶେଷକରି ରାଜଧାନୀ ଭିତର ଓ ବାହାର ଅଞ୍ଚଳ ଯେଉଁଠାରେ କି କରୋନା ରୋଗୀ ଅଧିକ ସଂଖ୍ୟାରେ ଚିହ୍ନଟ ହେଉଛନ୍ତି ସେହିସବୁ ଅଞ୍ଚଳରେ ବସବାସ କରୁଥିବା କର୍ମଚାରୀଙ୍କୁ ଆସିବା ଉପରେ କଟକଣା ଲଗାଇବାକୁ କହୁଛନ୍ତି । ଅନ୍ଲକ୍ ୩ ପରେ ଏବେ ବହୁ ସଂଖ୍ୟାରେ କର୍ମଚାରୀ ଲୋକସେବା ଭବନ ଆସୁଛନ୍ତି । ଯାହାର କାମ ଅଛି ସିଏ ଆସୁଛି ଯାହାର କାମ ନାହିଁ ସିଏ ବି ଆସୁଛି । ତେଣୁ ସ୍ଥାନାଭାବରୁ ଦପ୍ତର ଭିତରେ ସୋସିଆଲ ଡିଷ୍ଟାନ୍ସ ରକ୍ଷା ସମ୍ଭବପର ହେଉନାହିଁ ।
ସେହିଭଳି କର୍ମଚାରୀମାନେ ବି ଆଉ ଦୂରତ୍ୱ ନିୟମକୁ ପୂର୍ବଭଳି ପାଳନ କରୁନାହାନ୍ତି । ମାଳ ମାଳ କର୍ମଚାରୀଙ୍କ ଯୋଗୁଁ ଏବେ ଏକାଧିକ କରୋନା ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି । ତେବେ ସହରର କରୋନା ହଟସ୍ପଟ ଅଞ୍ଚଳରୁ ଆସୁଥିବା କର୍ମଚାରୀମାନେ ଆକ୍ରାନ୍ତ ଥିବା ଲକ୍ଷ୍ୟ କରାଯାଉଛି । ପଞ୍ଚାୟତିରାଜ ବିଭାଗରେ ଚିହ୍ନଟ ହୋଇଥିବା କର୍ମଚାରୀ ଜଣଙ୍କ ଏକ ନମ୍ବର ହାଟର ସଂକ୍ରମିତ ଅଞ୍ଚଳରୁ ଆସିଥିବାବେଳେ ଆଉ ଜଣେ ଗାଡିଚାଳକ ମଧ୍ୟ ସଂକ୍ରମିତ ସ୍ଥାନରୁ ଆସିଥିଲେ । ପ୍ରତିଦିନ ଏବେ କଟକ, ଖୋରଧା, ଜଟଣୀ, ପୁରୀ ଆଦି କରୋନା ହଟସ୍ପଟ ସ୍ଥାନରୁ ଏକାଧିକ କର୍ମଚାରୀ ଲୋକସେବା ଭବନକୁ ଆସୁଛନ୍ତି । ଏମାନଙ୍କ ଠାରେ କରୋନା ସଂକ୍ରମଣର ଅଧିକ ସମ୍ଭାବନା ରହିଛି । ତେଣୁ ଏହି ଅଞ୍ଚଳରୁ ଯେଭଳି କର୍ମଚାରୀମାନେ ନିୟମିତ ଭାବେ ନଆସିବେ ତାହା ଉପରେ କଟକଣା ଲଗାଇବାକୁ ଦାବି ହେଲାଣି । ସେହିଭଳି ଲୋକସେବା ଭବନକୁ ନିୟମିତ ବ୍ୟବଧାନରେ ବିଶୋଧନ ପାଇଁ ମଧ୍ୟ ଦାବି ହେଉଛି । ଯେହେତୁ ରାଜ୍ୟର ବିଭିନ୍ନ କରୋନା ସଂକ୍ରମିତ ଅଞ୍ଚଳରୁ କର୍ମଚାରୀମାନେ ଆସୁଛନ୍ତି ତେଣୁ ପ୍ରତିଦିନ ବିଶୋଧନ କରାଗଲେ ଭଲ ହେବବୋଲି କୁହାଯାଉଛି ।
ନିକଟରେ ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ସମସ୍ତ କର୍ମଚାରୀଙ୍କ କରୋନା ପରୀକ୍ଷାପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଲେଖିଥିଲେ । ତେବେ ବିଭାଗ ପକ୍ଷରୁ ଏଥିପାଇଁ କ୍ୟାପିଟାଲ
ହସ୍ପିଟାଲ ଯିବାକୁ ପରାମର୍ଶ ଦିଆଯାଇଥିଲା । ବର୍ତ୍ତମାନ ଲୋକସେବା ଭବନରୁ ଯେଭଳି କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛି ତାହାକୁ ନେଇ ଅନେକ ମଧୁମେଧ ଓ ଉଚ୍ଚରକ୍ତଚାପ ଆକ୍ରାନ୍ତ କର୍ମଚାରୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଏମାନେ ଯଦି ଆକ୍ରାନ୍ତ ହୁଅନ୍ତି ତେବେ ସେମାନଙ୍କ ପରିବାର ଓ ସାଇପଡିଶାରେ କରୋନା ବ୍ୟାପିବା ଏକ ପ୍ରକାର ନିଶ୍ଚିତ । ତେଣୁ କର୍ତ୍ତୃପକ୍ଷ ପ୍ରଥମେ ପ୍ରଶାସନର ମୂଳକେନ୍ଦ୍ର ଲୋକସେବା ଭବନରେ କରୋନା ନିୟନ୍ତ୍ରଣ ପାଇଁ ୨୦ରୁ ୩୦ ପ୍ରତିଶତ କର୍ମଚାରୀ ଦପ୍ତର ଆସିବା ଓ ଅନ୍ୟମାନେ ଘରେ ରହି କାମକରିବାକୁ ନିର୍ଦ୍ଦେଶ ଦେବାକୁ କିଛି ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି । ଏହା ଦ୍ୱାରା କାର୍ଯ୍ୟ କୌଣସି ଭାବେ ପ୍ରଭାବିତ ହେବନାହିଁ ବରଂ କର୍ମଚାରୀ ଓ ସେମାନଙ୍କ ପରିବାର ସୁରକ୍ଷିତ ରହିପାରିବେ । ଯଦି ଲୋକସେବା ଭବନରେ କରୋନା ଭୟଙ୍କର ରୂପ ନେବ ତେବେ ସାରା ରାଜ୍ୟରେ ପ୍ରଶାସନ ଏକ ପ୍ରକାର ଠପ୍ ହୋଇଯିବ ବୋଲି ସେମାନେ ମତ ଦେଇଛନ୍ତି ।