ଭୁବନେଶ୍ଵର : କରୋନା କାଳରେ ଅର୍ଥ ସଙ୍କଟରେ ପଡିଥିବା ରାଜ୍ୟ ସରକାର ନିଯୁକ୍ତି ଉପରେ କଟକଣା ଲଗାଇଥିବାବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ କିନ୍ତୁ ଜଣେ ଅଧିକାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ସେଠାରେ ଠିକାରେ ନିଯୁକ୍ତି ଦିଆଯାଇଛି । ମାସିକ ୩୦,୦୦୦ ଟଙ୍କା ପାଉଣାରେ ନିଯୁକ୍ତି ପାଇଥିବା ଏହି ଅଧିକାରୀଙ୍କ ନିଯୁକ୍ତିକୁ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜୁଲାଇ ୩୧ ତାରିଖ ଦିନ ଅନୁମୋଦନ କରିଛନ୍ତି । ଜୁଲାଇ ମାସ ୩୧ ତାରିଖ ଦିନ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଇନ୍ ଅଧିକାରୀ ବି.ପି.ପାଟ୍ଟଯୋଶୀ ଅବସର ଗ୍ରହଣ କରିଥିଲେ । ହେଲେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ବଦଳରେ ସରକାର ତୁରନ୍ତ ତାଙ୍କୁ ସେହି ଦପ୍ତରରେ ଲିଗାଲ କନ୍ସଲଟାଣ୍ଟ ଭାବେ ନିଯୁକ୍ତି ଦେଇଛନ୍ତି । ଦରମା ମାସକୁ ୩୦,୦୦୦ ଟଙ୍କା । ପ୍ରଥମେ ତାଙ୍କୁ ବର୍ଷକ ପାଇଁ ଏହି ନିଯୁକ୍ତି ଦିଆଯାଇଥିବାବେଳେ ପରବର୍ତ୍ତୀ ସମୟରେ ଚାହିଁଲେ ଆଉ ୨ବର୍ଷ ତାଙ୍କର ଅବଧି ବୃଦ୍ଧି କରାଯାଇପାରିବ । କେବଳ ଦରମା ନୁହେଁ ସମ୍ପୃକ୍ତ ବ୍ୟକ୍ତି ଅବସର ପାଇବା କାଳରେ ଯେଉଁ ଆକାରରେ ଟିଏ ପାଉଥିଲେ ତାହା ପାଇବେ ।
କରୋନା କାଳରେ ଏଭଳି ଠିକା ନିଯୁକ୍ତି ଦେବା ପାଇଁ ବୋର୍ଡ
ପକ୍ଷରୁ ଜାରି ନିଯୁକ୍ତିପତ୍ରରେ ଦର୍ଶାଯାଇଛି ଯେ ରାଜ୍ୟ ତଥା ରାଜ୍ୟ ବାହାରେ ଏବେ ୯୭୯ ମାମଲା ବୋର୍ଡ ବିରୁଦ୍ଧରେ ଗଡୁଛି । ଏହାର ପରିଚାଳନା ଓ କର୍ତ୍ତୃପକ୍ଷଙ୍କୁ ଅଦାଲଦ ଅବମାନନା ମାମଲାରୁ ବଞ୍ଚାଇବାପାଇଁ ଜଣେ ଦକ୍ଷ ଆଇନ୍ ଅଧିକାରୀଙ୍କର ଆବଶ୍ୟକତା ଥିବାରୁ ଶ୍ରୀ ପାଟ୍ଟଯୋଶୀଙ୍କୁ କନସଲଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ଏଭଳି ଯୁକ୍ତିକୁ ନେଇ ଏବେ ପ୍ରଶ୍ନ ଉଠିଛି । ଯେଉଁ ବ୍ୟକ୍ତି ଚାକିରି କାଳରେ ମାମଲା କମାଇ ପାରିଲେ ନାହିଁ ଏବଂ ଯେଉଁଥିପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅଦାଲତ ଅବମାନନା ମାମଲାର ଛନକା ପଶିଛି ସେହି ବ୍ୟକ୍ତିଙ୍କୁ ପୁଣି କିଭଳି ଭାବେ ବୋର୍ଡରେ ଠିକା ନିଯୁକ୍ତି ମିଳିଲା ? ସିଏ ଯାହା ସରକାରୀ ପଦରେ ଥାଇ କରିନପାରିଲେ ଏବେ ଠିକାରେ ରହି କରିବେ କିପରି? ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଏକାଧିକ ଆଇନ୍ ଅଧିକାରୀମାନେ ଥିବାବେଳେ ସେମାନଙ୍କ ପାଇଁ ନିଜର ଦକ୍ଷତା ପ୍ରଦର୍ଶନର ସୁଯୋଗ ଥିଲା । ତେବେ ସରକାର ଜଣେ ଅବସରପ୍ରାପ୍ତ କର୍ମଚାରୀ ଯିଏକି ସେହି ଦପ୍ତରରେ ଦୀର୍ଘବର୍ଷ ହେଲା ଥିଲେ ତାଙ୍କୁ ପରାମର୍ଶଦାତା କରିଦେବା ପରେ ଅନ୍ୟ ଅଧସ୍ତନ କର୍ମଚାରୀମାନେ କିଭଳି ମାମଲା ପରିଚାଳନା କରିବେ ଓ ସେଥିପାଇଁ ତାଙ୍କର ଆଗ୍ରହ କେତେ ରହିବ ତାହାକୁ ନେଇ ବି ପ୍ରଶ୍ନ ଉଠିଲାଣି ।
ଜଣେ ପୂର୍ବତନ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଖୋଦ୍ ରାଜ୍ୟ ସରକାର ମିତବ୍ୟୟିତା ଅବଲମ୍ବନ ଲାଗି କଟକଣା ଜାରି କରିଥିବେଳେ ମୁଖ୍ୟ ଶାସନ ସଚିବ ଏଭଳି ଠିକା ନିଯୁକ୍ତି ଦେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କେତେକ କର୍ମଚାରୀ ନିଜର ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଥିବା କିଛି କର୍ମଚାରୀଙ୍କ ମୁହଁରେ ଏଭଳି ମହୁ ଲାଗିଛି ଯେ ସେମାନେ ଆଉ ଏଠାରୁ ଯିବାକୁ ରାଜି ନୁହନ୍ତି । କୌଣସି ପ୍ରକାରେ ଉପରେ ଧରାଧରି କରି ଏକାଧିକ କ୍ଷମତା ଓ ପଦବୀକୁ ଜାବୁଡି ଧରିଛନ୍ତି । ମୁଖ୍ୟ ସଚିବଙ୍କ ଏଭଳି ଠିକା ନିଯୁକ୍ତି ନିର୍ଦ୍ଦେଶନାମ ଏହାର ଗୋଟିଏ ଉଦାହରଣ ମାତ୍ର । ତେଣୁ ତୁରନ୍ତ ପ୍ରଦୂଷଣ ବୋର୍ଡରେ ହୋଇଥିବା ଏଭଳି ଠିକା ନିଯୁକ୍ତିକୁ ବାତିଲ କରିବା ସହିତ ଏଠାରେ ୨୦ବର୍ଷରୁ ଅଧିକ ସମୟ ଧରି ଗାଦିମାଡି ଏକାଧିକ କ୍ଷମତା ଉପଭୋଗ କରୁଥିବା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ମତପ୍ରକାଶ ପାଉଛି । ନଚେତ ରାଜ୍ୟରୁ ପ୍ରଦୂଷଣ ହ୍ରାସ ପାଇଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଯେଭଳି ପ୍ରଶାସନିକ ଓ ପ୍ରିୟାପ୍ରୀତି ତୋଷଣର ପ୍ରଦୂଷଣ ବଢିବାରେ ଲାଗିଛି ତାହା ଆଗାମୀ ଦିନରେ ସମଗ୍ର ବ୍ୟବସ୍ଥାକୁ କଳୁଷିତ କରିଦେବ ।