Odia News Portal

ଯୁବ ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର  : ବିଜୁ ଜନତା ଦଳର ଯୁବ ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ । କଟକ ଜିଲ୍ଲା ନିଶ୍ଚିତନ୍ତକୋଇଲି ବ୍ଲକ୍ ମଲ୍ଲିପୁର ଠାରେ ଏଭଳି ଭୟଙ୍କର କାଣ୍ଡ ଘଟିଛି । ବିଜେଡି ନେତା ତଥା ସମାଜସେବୀ ପ୍ରକାଶ କୁମାର ସାହୁଙ୍କୁ କିଛି ଦୁର୍ବୃତ୍ତ ଗତକାଲି ରାତିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ପ୍ରକାଶ ସ୍ଥାନୀୟ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି । ଗତକାଲି ରାତି ପ୍ରାୟ ୯ଟା ବେଳେ ସେ ମନ୍ଦିର କାମ ସାରି ନିଜ ସ୍କୁଟିରେ ଘରକୁ ଫେରୁଥିବା ବେଳେ ନିଛାଟିଆ ବାଲିଗିରି ପୋଲ ନିକଟରେ ଆକ୍ରମଣକାରୀମାନେ ଜଗି ରହିଥିଲେ । ପ୍ରକାଶଙ୍କୁ ଏକା ପାଇ ତାଙ୍କ ଉପରେ ଅସ୍ତ୍ରଶସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ତାଙ୍କ ବେକ ଓ ମୁହଁରେ ଗଭୀର ଆଘାତ ଲାଗିଛି ।

ତେବେ ସେହି ସମୟରେ ଅନ୍ୟ ପଟୁ ଜଣେ କେହି ଆସିବାରୁ ଦୁର୍ବୃତ୍ତମାନେ ତୁରନ୍ତ ସେଠାରୁ ଖସି ପଳାଇଥିଲେ । ସେହି ରକ୍ତାକ୍ତ ଅବସ୍ଥାରେ ପ୍ରକାଶ ନିଜ ମୋବାଇଲ୍‌ରୁ ସରପଞ୍ଚଙ୍କୁ ଫୋନ୍ କରିବା ପରେ ସେ କିଛି ଲୋକଙ୍କୁ ଧରି ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ପ୍ରକାଶଙ୍କୁ ପ୍ରଥମେ ବ୍ଲକ୍ ହସପିଟାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲ ଚିକିତ୍ସା ପାଇଁ ଅଣାଯାଇଥିଲା । ପ୍ରକାଶଙ୍କ ଅବସ୍ଥା ଏବେବି ଗୁରୁତର ରହିଛି ।

ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇଁ ପୋଲିସ୍ ତନାଘନା ଆରମ୍ଭ କରିଛି । ଦୁର୍ବୃତ୍ତମାନେ କିଏ ଏବଂ କଣ ପାଇଁ ପ୍ରକାଶଙ୍କୁ ଆକ୍ରମଣ କଲେ ସେ ନେଇ ତଦନ୍ତ କରୁଛି । ଘଟଣାକୁ ବିରୋଧ କରି ଆଜି ନିଶ୍ଚିନ୍ତକୋଇଲି କେଣ୍ଟାଳ ପଞ୍ଚାୟତରେ ଦୋକାନ ବଜାର ବନ୍ଦ ରହିଥିଲା । ତୁରନ୍ତ ଏହି ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ଜନସାଧାରଣ ଦୃଢ଼ ଦାବି ଜଣାଇଛନ୍ତି । ପ୍ରକାଶ ଆକ୍ରମଣକାରୀଙ୍କୁ ଚିହ୍ନି ପାରିଛନ୍ତି ଏବଂ ସେମାନଙ୍କ ନାମ ମଧ୍ୟ କହିଛନ୍ତି । ଫେରାର ଥିବା ଏହି ଦୁର୍ବୃତ୍ତମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ପୋଲିସ୍ କହିଛି ।