ଜୟପୁର : ରାଜସ୍ଥାନରେ ଗତ କିଛି ଦିନ ଧରି ରାଜନୈତିକ ବିବାଦ ଜାରି ରହିଛି। କଂଗ୍ରେସର ବିଦ୍ରୋହୀ ସାଜିଥିବା ସଚିନ ପାଇଲଟ ପୁଣିଥରେ ପାର୍ଟି ସହିତ ଠିଆ ହୋଇଛନ୍ତି। ପ୍ରାୟ ୧ ମାସ ପରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପରସ୍ପରକୁ ଭେଟିଛନ୍ତି। କଂଗ୍ରେସର ବିଧାୟକ ଦଳର ବୈଠକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହେବା ପୂର୍ବରୁ ଗେହଲଟ ଓ ପାଇଲଟଙ୍କ ଭିତରେ ସାକ୍ଷାତ ହୋଇଥିଲା।
ସଚିନ ପାଇଲଟଙ୍କ ସମର୍ଥକ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଁଞ୍ଚିଥିଲେ। ଏହାଛଡା କଂଗ୍ରେସ ବିଧାୟକ ମଧ୍ୟ ତିନୋଟି ବସରେ ବସି ହୋଟେଲ କେୟାର ମାର୍ଟରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଁଞ୍ଚିଥିଲେ। ବିଧାୟକ ଦଳର ବୈଠକରେ ସାମିଲ ହେବାକୁ ପହଁଞ୍ଚିଥିବା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଟଲଙ୍କୁ ମୁଖ୍ୟମନ୍ତ୍ରୀ ଗେହଲଟ୍ ଖୁବ୍ ସୁନ୍ଦର ଭାବରେ ସ୍ବାଗତ କରିଥିଲେ। ଦୁହିଁଙ୍କ ଭିତରେ ୩୪ ଦିନ ପରେ ଦେଖା ସାକ୍ଷାତ ହୋଇଛି।
ରାଜସ୍ଥାନର ରାଜନୀତିରେ ରାଜନୈତିକ ବିବାଦ ପରେ ପାଇଲଟ ଓ ଗେହଲଟ ଗୋଷ୍ଠୀଙ୍କ ବିଧାୟକ ଏହି ବୈଠକରେ ଯୋଗ ଦେଇଛନ୍ତି। ପାଇଲଟ ଓ ଗେହଲଟଙ୍କ ଏହି ବୈଠକ ପୂର୍ବରୁ ଅଶୋକ ଗେହଲଟଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗରେ ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂ ଓ ବିଧାୟକ ଭଓ୍ବରଲାଲ ନିଲମ୍ବନକୁ କଂଗ୍ରେସ ପାର୍ଟି ଫେରାଇ ନେଇଛି। ଏନେଇ ପ୍ରଦେଶ କଂଗ୍ରେସର ପ୍ରଭାରୀ ଅବିନାଶ ପାଣ୍ଡେ ସୂଚନା ଦେବା ସହ ଟୁଇଟ୍ କରିଛନ୍ତି।