Odia News Portal

ଶହୀଦନଗର ଥାନା ହାଜତରେ ଥିବା ଯୁବକ କରୋନା ପଜିଟିଭ

ଭୁବନେଶ୍ୱର : ଝାଡଖଣ୍ଡ ଯୁବକଙ୍କୁ ଗିରଫ କରି ଶହୀଦନଗର ପୁଲିସ୍‍ ଏବେ ହରଡଘଣାରେ । ଗତକାଲି ଠାରୁ ଗିରଫ ଦୁଇ
ଯୁବକଙ୍କ ମଧ୍ୟରୁ ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହେବାପରେ ଥାନା କର୍ମଚାରୀଙ୍କ ନିଦ ହଜିଯାଇଛି । କରୋନା ଆକ୍ରାନ୍ତ ଯୁବକଙ୍କୁ ଗତ କାଲିଠାରୁ ଥାନା ହାଜତରେ ରଖିଥିବାରୁ ତାଙ୍କ ଦ୍ୱାରା କେତେ ପୁଲିସ ସଂକ୍ରମିତ ହୋଇଛନ୍ତି ତାହା ପରୀକ୍ଷା ପରେ ଜଣାପଡିବ । ହେଲେ ଘଟଣା ପଦାକୁ ଆସିବାପରେ ଅନେକ ପୁଲିସ୍‍ କର୍ମଚାରୀ ଓ ତାଙ୍କ ପରିବାର ଚିନ୍ତାରେ ପଡିଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ଗଣ୍ଡଗୋଳ ମାମଲାରେ ଶହୀଦନଗର ପୁଲିସ୍‍ ଝାଡଖଣ୍ଡର ଦୁଇ ଯୁବକଙ୍କୁ ଗିରଫ କରି ଥାନା ହାଜତରେ ରଖିଥିଲା । ଏମାନେ ଦୁଇ ଭାଇ ହୋଇଥିବାବେଳେ ରାକେଶ କୁମାର ଝା ନାମଧାରୀ ଯୁବକ ଜଣଙ୍କ ପଜିଟିଭ ବୋଲି ଜଣାଯାଇଛି ।

ଶହୀଦନଗର ପୁଲିସ୍‍ ରାକେଶକୁ କୋର୍ଟରେ ହାଜର କରିବାକୁ ଯିବା ପୂର୍ବରୁ ଏହା ଜଣାପଡିବାପରେ ତାଙ୍କୁ କୋଭିଡ ଡାକ୍ତରଖାନାକୁ ପଠାଯାଇଛି । ତେବେ ଯେହେତୁ ସଂକ୍ରମିତ ଯୁବକ ଜଣଙ୍କ ୧୫ଘଣ୍ଟାରୁ ଅଧିକ ସମୟ ଥାନା ହାଜତରେ ରହିଥିଲେ ତେଣୁ ଆଇଆଇସିଙ୍କ ଠାରୁ ଆରମ୍ଭକରି ତଳିଆ କର୍ମଚାରୀଙ୍କ ପର୍ଯ୍ୟନ୍ତ ଚିନ୍ତାରେ ପଡିଛନ୍ତି । ସଂକ୍ରମିତ ଯୁବକଙ୍କୁ ଧରି ଆଣି ଥାନାରେ ଠୁଙ୍କିଥିବା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ତାଙ୍କ ସଂଶର୍ସ୍ପରେ ଆସିଥିବା କେତେକ କର୍ମଚାରୀ ବି ନିଜ ପରିବାର ସହିତ ମିଳାମିଶା କରିଛନ୍ତି । ପଜିଟିଭ ଘଟଣା ଜଣାପଡିବାପରେ ଏବେ ସେମାନେ ସବୁଠାରୁ ଅଧିକ ଚିନ୍ତିତ ହୋଇପଡିଛନ୍ତି । ତୁରନ୍ତ ସେମାନଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସେମାନଙ୍କ ପରିବାର ପର୍ଯ୍ୟନ୍ତ ସମସ୍ତେ ଏକ ପ୍ରକାର ଭୟଭୀତ । ତେବେ ଅଣଓଡିଆ ଯୁବକଙ୍କୁ କରୋନା ସମୟରେ କିଭଳି ବିନା ପରୀକ୍ଷାରେ ଆଣି ଥାନାରେ ଠୁଙ୍କିଲେ ତାହାକୁ ନେଇ ଚର୍ଚ୍ଚା ହେଉଛି ।

ଏଠାରେ ଉଲ୍ଲେଖନୀୟ ଯେ କିଛିଦିନ ହେଲା ବିଭିନ୍ନ ଅପରାଧିକ ମାମଲାରେ ସରେଣ୍ଡର କରିବାକୁ ଚାହୁଁଥିବା ଅପରାଧିମାନେ କୋଭିଡ ପରୀକ୍ଷା ସାର୍ଟିଫିକେଟ ନଆଣିଲେ ସୋମନଙ୍କ ମାମଲା ବିଚାର ହେଉନାହିଁ । କାରଣ ଏମାନଙ୍କୁ ଜେଲ ପଠାଇବାପରେ ଯଦି ପଜିଟିଭ ବାହାରିବ ତେବେ ଜେଲ୍‍ରେ ସଂକ୍ରମଣ ହୋଇଯିବ । ଇତି ମଧ୍ୟରେ ରାଜ୍ୟର କେତେକ ଜେଲ୍‍ରେ ଏଭଳି ଅବହେଳା ଲାଗି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜଗତ୍‍ସିଂପହୁର ଜେଲ୍‍ରେ ଗୋଟିଏ ଦିନରେ ୨୧ ପଜିଟିଭ ବାହାରିବା ପରେ କର୍ତ୍ତୃପକ୍ଷ ଚିନ୍ତାରେ ପଡିଛନ୍ତି । ତେବେ ଅପରାଧିକ ସଂସ୍ପର୍ଶରେ ଆସି ପୂର୍ବରୁ କମିଶନରେଟ ପୁଲିସ୍‍ର କେତେକ କର୍ମଚାରୀ କରୋନା ପଜିଟିଭ ହୋଇଥିବାବେଳେ ଏବେ ଶହୀଦନଗର ଥାନାର ପାଳି ପଡିଛି । ଯେହେତୁ ପଜିଟିଭ ସଂକ୍ରମିତ ଥାନା ହାଜରେ ଦୀର୍ଘ ସମୟ ରହିଥିଲେ ତେଣୁ ସଂକ୍ରମଣ ସଂଖ୍ୟା ଅଧିକ ରହିବବୋଲି ଅନେକ ଆଶଙ୍କା କରୁଛନ୍ତି ।