Odia News Portal

କ୍ଷମତା ଯୁଦ୍ଧରେ ନୟାନ୍ତ ହେଲାଣି ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଭୁବନେଶ୍ୱର : ରାଜ୍ୟରୁ ପ୍ରଦୂଷଣ ଦୂର କରିବାପାଇଁ ଗଠନ ହୋଇଥିବା ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ କ୍ଷମତା କନ୍ଦଳ ଯୋଗୁଁ ଏବେ ପ୍ରଶାସନିକ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ବର୍ଷ ବର୍ଷ ଧରି କ୍ଷମତାକୁ ଜାବୁଡି ଧରିଥିବା ବାବୁମାନେ ଏହାକୁ ଛାଡିବାକୁ ନାରାଜ ହେବାରୁ ଏଭଳି ଅବସ୍ଥା ଉପୁଜିଛି । ଏଥି ସହିତ ଅବସରପ୍ରାପ୍ତ ଅଧିକାରୀଙ୍କୁ ଏଠାରେ ପୁନଃ ନିଯୁକ୍ତି ଦିଆଯିବାକୁ ନେଇ ମଧ୍ୟ ଅସନ୍ତୋଷ କୁହୁଳିବାରେ ଲାଗିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଥିବା ଜନୈକ ଯନ୍ତ୍ରୀ ଦୀର୍ଘଦିନ ହେଲା ଛଅ ଛଅଟି
କ୍ଷମତାକୁ ଜାବୁଡି ଧରିଛନ୍ତି । ଏଥି ମଧ୍ୟରେ କଳକାରଖାନାର ପ୍ରଦୂଷଣ ଯାଞ୍ଚ, କ୍ଷତିକାରକ ବର୍ଜ୍ୟବସ୍ତୁ ପରିଚାଳନାର ତଦାରଖ ଓ କନ୍‍ସେଣ୍ଟ ଟୁ ଅପରେଟ, ଅନ୍‍ଲାଇନ୍‍ ଯାଞ୍ଚ ଆଦି ରହିଛି ।

ତେବେ ଜଣଙ୍କ ହାତରେ ଦୀର୍ଘଦିନ ଧରି ଏତେ ଗୁଡିଏ କ୍ଷମତା ରହିବା ଘଟଣା ପଦାକୁ ଆସିବାପରେ କର୍ତ୍ତୃପକ୍ଷ କ୍ଷମତାର ବିକେନ୍ଦ୍ରୀକରଣ ଲାଗି ଯୋଜନା କରିବା ସହିତ ସମ୍ପୃକ୍ତ ଯନ୍ତ୍ରୀଙ୍କ ନିକଟରୁ କ୍ଷତିକାରକ ବର୍ଜ୍ୟବସ୍ତୁ ପରିଚାଳନା ତଦାରଖ ଓ କନ୍‍ସେଣ୍ଟ ଟୁ ଅପରେଟ ଭଳି ଦୁଇଟି କ୍ଷମତା ଅନ୍ୟ ଯନ୍ତ୍ରୀଙ୍କୁ ଦେବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ହେଲେ ଏହାକୁ ନେଇ ଏବେ ପ୍ରଦୂଷଣ ବୋର୍ଡରେ ଏକ ପ୍ରକାର ମହାଭାରତ ଅବସ୍ଥା । କ୍ଷମତାକୁ ଜାବୁଡି ଧରିଥିବା ବାବୁ ଏବେ ଏହାକୁ କିଭଳି ନିଜ ହାତରେ ରଖିବେ ସେଥିପାଇଁ ନାନା ବାଟରେ ଉଦ୍ୟମ ଚଳାଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁଇ ବିଭାଗ ଯେଭଳି ଯନ୍ତ୍ରୀଙ୍କ ହାତରୁ ନଯାଏ ସେଥିପାଇଁ ରାଜ୍ୟର ଦୁଇଜଣ ମନ୍ତ୍ରୀ ଓ ଜଣେ ଯୁବ ବିଧାୟକ ଜୋରଦାର ଚାପ ପକାଉଛନ୍ତି ।

ଯନ୍ତ୍ରୀ ଜଣଙ୍କ ମଧ୍ୟ ଝାଳନାଳ ହୋଇ ଲୋକସେବା ଭବନକୁ ଦଉଡିବାରେ ଲାଗିଛନ୍ତି । ନାମ ଗୋପନ ସର୍ତ୍ତରେ ବୋର୍ଡର ଜଣେ କର୍ମଚାରୀ କହିଛନ୍ତି ଯେ ଏହି ଦୁଇଟି ହେଉଛି ଦୁଧିଆଳି ବିଭାଗ । କାରଖାନା ଗୁଡିକୁ ପ୍ରତିବର୍ଷ ଏଥିପାଇଁ ଅନୁମତି ନେବାକୁ ପଡିଥାଏ । ତେଣୁ ଏହାକୁ ଛାଡିବାକୁ ଯନ୍ତ୍ରୀ ଜଣଙ୍କ ରାଜି ନୁହନ୍ତି । ଏଥି ସହିତ ଖୋରଧା ଓ ଝାରସୁଗଡା ଠାରେ କାରଖାନା ବସାଇବା ପାଇଁ ମଧ୍ୟ ଉକ୍ତ ଅଧିକାରୀ ଲାଗି ପଡିଛନ୍ତି । ତେଣୁ ପ୍ରଦୂଷଣ ବୋର୍ଡରେ ସ୍ୱଚ୍ଛତା ପାଇଁ ଏଭଳି ଅଭିଜ୍ଞ ଅଧିକାରୀଙ୍କୁ ଏଠାରୁ ହଟାଇ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତି ଦେଲେ ସେ ସରକାରଙ୍କୁ ଉତ୍ତମ ପରାମର୍ଶ ଦେଇପାରିବେ । ସେହିଭଳି ଅବସର ପରେ ଆଇନ୍‍ ଅଧିକାରୀଙ୍କୁ ବୋର୍ଡରେ ନିଯୁକ୍ତି ଦେବାକୁ ନେଇ ମଧ୍ୟ ଅସନ୍ତୋଷ ବଢିବାରେ ଲାଗିଛି ।

ବୋର୍ଡ ଉପରେ ପ୍ରାୟ ହଜାରେ ମାମଲା ଓ କର୍ତ୍ତୃପକ୍ଷ ଅଦାଲତକୁ ଟାଣିହୋଇ ଯିବାର ଆଶଙ୍କା ଥିବା ଦର୍ଶାଇ ସରକାର ନିଯୁକ୍ତି ଦେଇଥିବା ଅଧିକାରୀ ଜଣଙ୍କ ତାଙ୍କ ଅମଳରେ କାହିଁକି ମାମଲା ହ୍ରାସ କଲେ ନାହିଁ ବୋଲି ଏବେ କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି । ସରକାରଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ଏବେ ତଳିଆ କର୍ମଚାରୀମାନଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି । ଜଣେ କର୍ମଚାରୀ ସର୍ତ୍ତ ଆଧାରରେ କହିଛନ୍ତି ଯେ ଅବସ୍ଥା ଯାହା ହେଲାଣି ଆଗାମୀ ଦିନରେ ବୋର୍ଡ କୋଠାରୁ ଆଉ କେହି ହଟିବେ ନାହିଁ । ଅବସର ଦିନ ହିଁ ଲବି କରି ଏଠାରେ ରହିବେ ।

ଏମାନେ କାହିଁକି କ୍ଷମତା ଛାଡିବା କିମ୍ବା ଅବସର ପରେ ବୋର୍ଡ ଛାଡିବାକୁ ରାଜି ହେଉନାହାନ୍ତି ସରକାର ତୁରନ୍ତ ଏହାର ତଦନ୍ତ କରିବା ଆବଶ୍ୟକ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଦୀର୍ଘଦିନ ଧରି ଆସ୍ଥାନ ଜମାଇଥିବା ଅଧିକାରୀଙ୍କୁ ଏଠାରୁ ନହଟାଇଲେ ରାଜ୍ୟ ସରକାରଙ୍କ ୫-ଟି ନୀତି ଏଠାରେ ଫେଲ ମାରିବା ସହିତ ରାଜ୍ୟ ପ୍ରଶାସନିକ ଇତିହାସରେ ଖରାପ ପରମ୍ପରା ସୃଷ୍ଟି କରିବ ବୋଲି କିଛି ପୁରୁଣା କର୍ମଚାରୀ ମତ ଦେଉଛନ୍ତି ।