ଉପାନ୍ତ ଅଞ୍ଚଳର ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା । ନିଜ ବିଲରେ ମୂଲ ଲାଗି ହଳ କରି ଧାନ ଗଛ ଲଗାଇ ମୂଲିଆଙ୍କ ସହିତ ଚାଷ କାମ କରି ଭାରତର ଉପ ରାଷ୍ଟ୍ରପତିଙ୍କ ଠାରୁ ପ୍ରଶଂସା ସାଉଁଟିଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ।
ନବରଙ୍ଗପୁର ଜିଲ୍ଲାର ଦୁଇଟି ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀରୁ ତିନି ଥରର ବିଧାୟକ ମନୋହର ରନ୍ଧାରୀ ନିଜ ଜମିରେ ଚାଷ କରୁଥିବାର ଭିଡିଓ ସାମାଜିକ ଗଣ ମାଧ୍ୟମରେ ବହୁ ମାତ୍ରାରେ ଘୁରିବୁଲିଥିଲା । ମନୋହରଙ୍କ ଏହି ଚାଷୀ ପୁଅ ଅବତାର ସମସ୍ତ ଙ୍କ ମନ ମୋହିଥିଲା । ଏବଂ ଖବର ର ଶିରୋନାମା ପଲଟିଥିଲା । ଏହା ସହ ମନୋହରଙ୍କ ଏହି ଚଷା ଅବତାରର ଭାରତର ଉପରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଥିଲା । ତିନି ତିନି ଥରର ବିଧାୟକ ମନରୁ ଅଭିମାନ ତ୍ୟାଗ କରି ଚିରାଚରିତ ଢଙ୍ଗରେ ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଖାତର ନ କରି ସାଧାରଣ ମୂଲିଆ ବେଶରେ କାଦୁଅ ଜମିରେ ନିଜେ ହଳ ଲଙ୍ଗଳ କରିବାର ଭିଡିଓ ଭାରତର ଉପରାଷ୍ଟ୍ରପତି ଭେଙ୍କେୟା ନାୟୁଡୁଙ୍କ ମନକୁ ବେସ ଆକର୍ଷିତ କରିପାରିଥିଲା ।
ବିଧାୟକଙ୍କ ଏପରି କାର୍ଯ୍ୟକୁ ଅନୁସରଣ କରିବା ପାଇଁ ଉପରାଷ୍ଟ୍ରପତି ଯୁବ ସମାଜକୁ ଆହ୍ୱାନ ଜଣାଇଥିଲେ । ବିଧାୟକ ଙ୍କ ପ୍ରଶଂସନୀୟ ପ୍ରେରଣାଦାୟୀ କାମକୁ ନେଇ ଉପରାଷ୍ଟ୍ରପତି ନିଜ ଟୁଇଟର୍ ଆକାଉଣ୍ଟରେ ମଧ୍ୟ ପ୍ରସଂଶା କରିଛନ୍ତି । ବିଧାୟକ ରନ୍ଧାରୀ ନିଜ ପିତାଙ୍କ ଦେହାନ୍ତ ପରେ ବ୍ୟକ୍ତିଗତ ଭାବେ ଚାଷ କାମ ବୁଝିବା ସହିତ ନିଜେ ମଧ୍ୟ କ୍ଷେତର କାମ କରିବାକୁ ଭଲ ପାଉଥିବା କହିବା ସହ ସରକାର କୃଷି କ୍ଷେତ୍ରକୁ ନେଇ କୃଷି ଶିଳ୍ପ ପ୍ରତିଷ୍ଠା କରିବାକୁ ଯୋଜନା କରୁଥିବା ବେଳେ ଯୁବ ସମାଜ ଯଦି ଆଗେଇ ଆସନ୍ତେ ତେବେ ସରକାରଙ୍କର ଏହି ଯୋଜନା ସଫଳ ହୋଇପାରିବ ଓ କୃଷି କ୍ଷେତ୍ରରେ ବିନିଯୋଗ କରି ଯୁବ ସମାଜ ରାଜଗାରକ୍ଷମ ହୋଇପାରିବେ ବୋଲି କହିଥିଲେ ।