Odia News Portal

ମନ୍ତ୍ରୀ ଆଶାୟୀଙ୍କ ଆଶାକୁ ଧୂଳିସାତ କରିଦେଲା କରୋନା ମହାମାରୀ

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରୀମଣ୍ଡଳର ସ୍ଥାନ ପାଇବାପାଇଁ ପାଗ ଭିଢି ବସିଥିବା ଅନେକଙ୍କ ଆଶାୟୀଙ୍କ ଆଶାରେ ଏବେ କରୋନା ମହାମାରୀ ଧୂଳି ପକାଇ ଦେଇଛି । ସରକାରୀକଳ ପୂରା ଦମ୍‍ରେ କରୋନା ନିୟନ୍ତଣରେ ମାତିଥିବାବେଳେ କେବେ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହେବ ତାହା କେହି କହିପାରୁ ନାହାନ୍ତି । ରାଜ୍ୟ ମନ୍ତ୍ରୀମଣ୍ଡଳ ଗଠନ ହେବାର ବର୍ଷେ ପୂରି ଯାଇଛି । ମାର୍ଚ୍ଚ ମାସ ପ୍ରାରମ୍ଭରେ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ନେଇ ଚର୍ଚ୍ଚାର ଜୋର ଧରିଥିବାବେଳେ ଏପ୍ରିଲ ମାସରେ ନୂଆ ମନ୍ତ୍ରୀମାନଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ମନ୍ତ୍ରୀମଣ୍ଡଳ ଅଦଳ ବଦଳ ଚର୍ଚ୍ଚା ଆରମ୍ଭ ହେବାପରେ ରାଜ୍ୟ ରାଜନୀତି ବେଶ୍‍ ସରଗରମ ହୋଇ ଉଠିଥିଲା । ମନ୍ତ୍ରୀ ପଦ ପାଇବାକୁ ଚାତକ ଭଳି ଚାହିଁ ବସିଥିବା ଉଭୟ ବରିଷ୍ଠ ଓ କନିଷ୍ଠ ନିଜ ନିଜ ସ୍ତରରେ ଉଦ୍ୟମ ଆରମ୍ଭ କରିଦେଇଥିଲେ । କିଏ ଗୁଇନ୍ଦା ବାହିନୀକୁ ଧରାଧରି କରି ନିଜ ସପକ୍ଷରେ ରିପୋର୍ଟ ଦେବାପାଇଁ ଲାଗି ପଡିଥିଲା ତ ଆଉ କିଏ ନିଜ ନିଜ ଅଞ୍ଚଳର ଚେଲା ଚାମୁଣ୍ଡାଙ୍କ ମାଧ୍ୟମରେ ଚାପ ପକାଇବା ଆରମ୍ଭ କରିଥିଲା । କିଛି ମନ୍ତ୍ରୀପଦ ଆଶାୟୀ ବାରମ୍ବାର ଲୋକସେବା ଭବନକୁ ଆସି ଟିଭି କ୍ୟାମେରାରେ ମୁହଁ ଦେଖାଇବା ସହିତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଭାବ ଯୋଡିଥିଲେ ।

ଏପ୍ରିଲ୍‍ ମାସରେ ରାଜ୍ୟରେ କରୋନା ସଂକ୍ରମଣ କାଁ ଭାଁ ଥିବାରୁ ସେହି ସମୟରେ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହୋଇଯିବ ବୋଲି ଜୋରଦାର ପ୍ରଚାର ହୋଇଥିଲା । ତେଣୁ ଉପକୂଳ ଓଡିଶା ଠାରୁ ଆରମ୍ଭକରି ଆଭ୍ୟନ୍ତରୀ, ପଶ୍ଚିମ ଓ ଦକ୍ଷିଣ ଓଡିଶା ପର୍ଯ୍ୟନ୍ତ ବହୁ ଆଶାୟୀ ନେତା ପାଗ ଭିଡିଥିଲେ । ଏପରିକି ମନ୍ତ୍ରୀମଣ୍ଡଳରୁ କିଏ କିଏ ବାଦ୍‍ ପଡିବେ ଓ କିଏ ସବୁ ପ୍ରବେଶ କରିବେ ତାହାର ନକଲି ତାଲିକା ବି କିଛି ସାମାଜିକ ଗଣମାଧ୍ୟମରେ ଘୂରି ବୁଲିଲା । ମନ୍ତ୍ରୀହେବା ଆଶାରେ ଅନେକ ନିଜ ନିଜ ଭାବମୂର୍ତ୍ତି ସଜାଡିବା କାମରେ ବି ଲାଗି ଯାଇଥିଲେ । ହେଲେ ଏପ୍ରିଲ୍‍ ମାସରେ ସରକାର କରୋନା ମୁକାବିଲା ପ୍ରସ୍ତୁତି ପୂରା ଦମ୍‍ରେ ଚଳାଇଥିବାରୁ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ କଥା ଚିନ୍ତା କରିନଥିଲେ । ଏହାପରେ ମଇ ମାସରୁ ରାଜ୍ୟରେ କରୋନା ଧିରେ ଧିରେ କାୟା ବିସ୍ତାର ଆରମ୍ଭ କରିଥିଲା । କିଛି ନେତା ମଇ ମାସରେ ମନ୍ତ୍ରୀ ହେବାର ଆଶା ବି ଛାଡି ନଥିଲେ । ହେଲେ ମଇ ମାସ ଯିବାପରେ ସବୁକିଛି ଓଲଟ ପାଲଟ ହୋଇଯାଇଛି । କରୋନା ଯେଉଁ ହାରରେ ମାଡୁଛି ସେଥିରେ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ତ ଦୂରରକଥା ଏ ସଂକ୍ରାନ୍ତରେ ଚିନ୍ତା କରିବାକୁ କାହାରିକୁ ଏବେ ବେଳ ନାହିଁ । ଏବେ ସମୟ ହେଉଛି କରୋନାକୁ ଯୁଦ୍ଧରେ ହରାଇବା । ଏଭଳି ସ୍ଥିତିରେ ମନ୍ତ୍ରୀଟିଏ ହେବାପାଇଁ ଆଶାବାନ୍ଧି ବସିଥିବା ଅନେକ ନେତା ହତାଶ ହୋଇପଡିଛନ୍ତି ।

ତେବେ କିଛି ଆଶାୟୀ ବିଧାୟକ ଖୁସି ବି ଅଛନ୍ତି । କାରଣ ଯଦି ସେମାନେ ମନ୍ତ୍ରୀ ନହୋଇଥାନ୍ତେ ତେବେ ନିଜ ଅଞ୍ଚଳରେ ପତିଆରା ହରାଇବାର ଭୟ ରହିଥିଲା । କାରଣ ମନ୍ତ୍ରୀ ହେବା ନେଇ କିଛି ବିଧାୟକଙ୍କ ଚେଲାଚାମୁଣ୍ଡାମାନେ ଜୋରଦାର ପ୍ରଚାର କରିବା ସହିତ ଭୋଜିଭାତର ପ୍ରସ୍ତୁତି ବି ଚଳାଇଥିଲେ । ତେବେ କରୋନା କହର କମିଲା ପରେ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହେବବୋଲି ଅନେକ ଆଶାୟୀ ନିଜ ମନକୁ ବୁଝାଇ ଦେଇଥିବାବେଳେ ସବୁକିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରେ ବୋଲି ଦଳର ବରିଷ୍ଠ ନେତାମାନେ କହୁଛନ୍ତି । ତେଣୁ ଯାହା ହେଲେ ବି ଗୋଟିଏ ଭୂତାଣୁ ଯେଭଳି ମନ୍ତ୍ରୀ ଆଶାୟୀଙ୍କ ମୁହଁ କଳା ପକାଇ ଦେଇଛି ତାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା