ପୁରୀ: ନନ୍ଦିଘୋଷ ରଥ ପରେ ଏବେ ଶ୍ରୀ ଗଣେଶଙ୍କ ମୂର୍ତ୍ତି । ସେ ପୁଣି ଆଇସକ୍ରିମ କାଠିରେ । ପୁରୀର ବିଶ୍ବଜିତ ନାୟକ ଆଇସକ୍ରିମ କାଠିରେ ନିର୍ମାଣ କରିଛନ୍ତି ପ୍ରଭୁ ଗଜାନନଙ୍କ ମୂର୍ତ୍ତି । ପୁରୀ ସିଦ୍ଧ ମହାବୀର କୁମୁଟି ପାଟଣା ଅଂଚଳର ବିଶ୍ୱଜିତ ଏହି ନିଆରା କଳାକୃତି ଗଢି ପୁନଶ୍ଚ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପୂର୍ବରୁ ଆଇସକ୍ରିମ କାଠିରେ ପ୍ରଭୁ ଜଗନ୍ନାଥଙ୍କର ଏକ ୨୭ ଇଂଚ ଉଚ୍ଚତା ବିଶିଷ୍ଟ କୁନି ନନ୍ଦିଘୋଷ ରଥ ତିଆରି କରି ଲୋକଲୋଚନକୁ ଆସିଥିଲେ ପୁରୀର ଏହି ଯୁବ କାରିଗର ।
ଏଥିପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇ ସାରିଥିବା ବେଳେ ଏବେ ଏସିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇବାକୁ ପ୍ରୟାସ ଜାରି ରଖିଛନ୍ତି । ଗଣେଶ ପୂଜା ଅବସରରେ ବିଶ୍ବଜିତ ଆଇସକ୍ରିମ କାଠିରେ ୫୫ ଇଞ୍ଚ ଉଚ୍ଚତର ଗଜାନନଙ୍କ ମୂର୍ତ୍ତି ନିର୍ମାଣ କରିଥିବା ବେଳେ ଏହି କଳାକୃତି ଏସିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇବ ବୋଲି ସେ ଆଶା ରଖିଛନ୍ତି ।