Odia News Portal

ସ୍ୱଚ୍ଛ ସର୍ବେକ୍ଷଣରେ ପଛୁଆ ପରେ ସୁଡା କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର : ଜାତୀୟ ସ୍ୱଚ୍ଛ ସର୍ବେକ୍ଷଣରେ ସ୍ମାର୍ଟସିଟି ଭୁବନେଶ୍ୱର ସ୍ୱଚ୍ଛତା କ୍ଷେତ୍ରରେ ୨୩୩ ନମ୍ବର ସ୍ଥାନରେ ରହିବା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦେଶର ୩୮୨ ସହର ମଧ୍ୟରୁ ରାଜ୍ୟ ରାଜଧାନୀ ଏତେ ତଳକୁ ଖସିଯିବା ପରେ ସହରାଞ୍ଚଳ ବିକାଶ ପାଇଁ ଗଠନ ହୋଇଥିବା ସୁଡାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସଂସ୍ଥାରେ କୋଟି କୋଟି ଟଙ୍କା ବ୍ୟୟରେ ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ରାଜଧାନୀ ଏତେ ତଳକୁ କିଭଳି ଖସିଲା ଓ ବାଲେଶ୍ୱର ରାଜ୍ୟର ସବୁଠାରୁ ଅପରିସ୍କାର ସହର ମାନ୍ୟତା ପାଇଲା ତାହା ଏବେ ଆଲୋଚନାର ବିଷୟ ପାଲଟିଛି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିନରେ କାର୍ଯ୍ୟକରୁଛି ସୁଡା । ଏଠାରେ ଜଣେ ଆଇଏଏସ୍‍ ଅଫିସର ନିର୍ଦ୍ଦେଶକ ପଦବୀରେ ଥିବାବେଳେ ବରିଷ୍ଠ ଓଏଏସ୍‍ ଅଫିସରମାନେ ବର୍ଷ ବର୍ଷ ଧରି ଏଠାରେ କାର୍ଯ୍ୟ କରୁଛନ୍ତି । ଯଦିଓ ଭୁବନେଶ୍ୱରକୁ ପରିସ୍କାର ପରିଚ୍ଛନ୍ନ ରଖିବାର ଦାୟିତ୍ୱ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ହାତରେ ରହିଛି, କିନ୍ତୁ ସୁଡା ମାଧ୍ୟମରେ ହିଁ ପ୍ରାୟ ସମସ୍ତ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହେଉଛି । ଅମୃତ ଯୋଜନାରେ ସ୍ୱଚ୍ଛ ଜଳ ଯୋଗାଣ ହେଉ କିମ୍ବା ବର୍ଜ୍ୟବସ୍ତୁ ପରିଚାଳନା ସବୁକିଛି ପ୍ରକଳ୍ପକୁ ସୁଡା ନିୟନ୍ତ୍ରଣ କରୁଛି । ଏଥିପାଇଁ ୱାର୍ଡ ସ୍ତରରେ କମିଟି ଗଠନ ଠାରୁ ଆରମ୍ଭକରି ତାଲିମ ପ୍ରଦାନ, ବ୍ୟାଙ୍କ୍‍ ସହିତ ବିଭିନ୍ନ ରାଜିନାମା ଆଦି ସୁଡା ଅଧିକାରୀମାନେ କରୁଛନ୍ତି ।

ହେଲେ ଏବେ ସ୍ୱଚ୍ଛତା କ୍ଷେତ୍ରରେ ଭୁବନେଶ୍ୱର ପଛକୁ ଠେଲିହୋଇ ସରକାରଙ୍କ ପାଇଁ ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିଥିବାବେଳେ ସବୁଦୋଷ ବିଏମ୍‍ସି ମୁଣ୍ଡକୁ ଠେଲିବାକୁ ଉଦ୍ୟମ ଆରମ୍ଭ ହୋଇଛି । ହେଲେ ସହରାଞ୍ଚଳ ବିକାଶ ପାଇଁ ଗଠନ ହୋଇଥିବା ସୁଡା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଶହ ଶହ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବାବେଳେ ତାହାକୁ କେହି ପ୍ରଶ୍ନ ପଚାରୁ ନାହାନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁଡା କର୍ତ୍ତୃପକ୍ଷଙ୍କ ଅପରାଗତା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଅଧିକାଂଶ କେନ୍ଦ୍ରୀୟ ପ୍ରକଳ୍ପକୁ ଅଧାପନ୍ତରିଆ ଅବସ୍ଥାରେ ଛାଡିବା ଓ ଠିକଣା ସମୟରେ କାର୍ଯ୍ୟକାରୀ ନକରିବାର ଫଳ ଏବେ ସରକାର ଭୋଗୁଛନ୍ତି । ସୁଡା ଅଫିସରରେ ଦୀର୍ଘଦିନ ଧରି ଆସ୍ଥାନ ଜମାଇଥିବା କିଛି ଅଧିକାରୀଙ୍କ ଏନ୍‍ଜିଓ ପ୍ରୀତି, ମନଇଛା କର୍ମଚାରୀ ନିଯୁକ୍ତି, ଘରୋଇ ବ୍ୟାଙ୍କ୍‍ ସହିତ ସଲାସୁତରାର ଫଳ ଏବେ ଏଭଳି ଅବସ୍ଥା ସୃଷ୍ଟି କରିଛି । ଅମୃତ ଯୋଜନାରେ ରାଜଧାନୀରେ ସ୍ୱଚ୍ଛ ପାନୀୟଜଳ ଯୋଗାଣ କାର୍ଯ୍ୟ ୭ଟି ୱାର୍ଡରେ ଅଟକି ରହିଥିବାବେଳେ ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ ବି ଆରମ୍ଭ ହୋଇପାରୁ ନାହିଁ । ସେହିଭଳି ୱାର୍ଡ ସ୍ତରରେ ଗଠନ ହୋଇଥିବା କମିଟି, ତାଲିମ ପାଇଥିବା ସ୍ୱଚ୍ଛ ସାଥୀ, ଜଳ ସାଥୀଙ୍କୁ ମିଳିଥିବା ଘରୋଇ ବ୍ୟାଙ୍କ୍‍ର ପୋସ୍‍ ମେସିନ ଆଦି କୁଆଡେ ଗଲା ବୋଲି ଏବେ ପ୍ରଶ୍ନ ଉଠୁଛି ।

ତେବେ କରୋନା ଆଳ ଦେଖାଇ ଅଧିକାରୀମାନେ ଗଣମାଧ୍ୟମ ଠାରୁ ଦୂରେଇ ରହୁଥିବାବେଳେ ବିଏମ୍‍ସି ମୁଣ୍ଡରେ ସବୁତମ ଦୋଷ ଲଦିବାପାଇଁ କିଛି ଚତୁର ଅଧିକାରୀ ତାଙ୍କର ପ୍ରୟାସ ଆରମ୍ଭ କରିଛନ୍ତି । ତେଣୁ ବ୍ୟାପକ କେନ୍ଦ୍ରୀୟ ଯୋଜନା ଓ ପର୍ଯ୍ୟାପ୍ତ ଅର୍ଥ ପାଇ ବିଭିନ୍ନ ପ୍ରକଳ୍ପ ହାତକୁ ନେଇଥିବା ସୁଡା କର୍ତ୍ତୃପକ୍ଷ ଏବେ ସ୍ମାର୍ଟସିଟିର ଏଭଳି ଦୁର୍ଦ୍ଦଶା ପାଇଁ ଉତ୍ତର ଦେବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି । ବିଏମ୍‍ସି ଓ ସୁଡା ମିଳିତ ଭାବେ ଏହାର ଜବାବ ରଖିଲେ ଅସଲ କଥା ପଦାକୁ ଆସିବ ଓ ସବୁ ପ୍ରକାର ପ୍ରସ୍ତୁତି ସତ୍ୱେ ରାଜଧାନୀ କାହିଁକି ପଛରେ ପଡିଲା ତାହା ସାଧାରଣ ଲୋକେ ଜାଣିପାରିବେ ବୋଲି କୁହାଯାଉଛି ।