ତେହରାନ : ଇରାନ ଦୁଇଟି ନୂଆ ମିସାଇଲ ନିର୍ମାଣ କରିଛି । ତା’ ଭିତରୁ ଗୋଟିଏ ବାଲିଷ୍ଟିକ୍ ମିସାଇଲର ନାମ ରଖାଯାଇଛି ସହିଦ କାସିମ ସୁଲେମାନି । ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ହେଉଛି ୧୪୦୦ କିମି। ଇରାନ ଦ୍ୱାରା ନିର୍ମିତ ଦ୍ୱିତୀୟ ମିସାଇଲଟି ହେଉଛି ଏକ କ୍ରୁଜ୍ ମିସାଇଲ । ଏହାର ନାମ ରଖାଯାଇଛି ସହିଦ ଅବୁ ମେହଦି । ଏହାର ରେଂଜ ହେଉଛି ୧୦୦୦ କିମି ।
ଆମେରିକା ଦ୍ୱାରା ଇରାନକୁ ନିଜର ମିସାଇଲ କାର୍ଯ୍ୟକ୍ରମ ରୋକିବା ପାଇଁ ବାରମ୍ବାର ଦାବି କରାଯିବା ପରେ ବି ସିଏ ଏହି ନୂଆ ମିସାଇଲଗୁଡିକ ନିର୍ମାଣ କରିଛି । ଇରାନର ସରକାରୀ ଟିଭିରେ ଗୁରୁବାର ଏହି ମିସାଇଲଗୁଡିକର ଫଟୋ ଏବଂ ଭିଡିଓ ପ୍ରଦର୍ଶିତ ହୋଇଛି । ଏହା ଉପରେ ପ୍ରତିକ୍ରିୟା ଦେଇ ଇରାନର ରାଷ୍ଟ୍ରପତି ହାସନ ରୁହାନି କହିଛନ୍ତି ଯେ ଆମ ପାଖରେ ପୂର୍ବରୁ ୩୦୦ କିମି ଯାଏଁ ମାଡ଼ କରିପାରୁଥିବା କ୍ରୁଜ୍ ମିସାଇଲ ଥିଲା । କିନ୍ତୁ ଆମେ ଏବେ ଏହାର ରେଂଜକୁ ୧୦୦୦ କିମି ଯାଏଁ ବୃଦ୍ଧି କରିଛୁ । ଏସବୁ ଅସ୍ତ୍ର ଆମର ଆତ୍ମରକ୍ଷା ପାଇଁ ଉଦ୍ଦିଷ୍ଟ ଅଟେ ।
ସେପଟେ, ଇରାନକୁ ଅସ୍ତ୍ରଶସ୍ତ୍ର ବିକ୍ରି ଉପରେ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଲଗାଯାଇଥିବା କଟକଣାର ଅବଧି ଆସନ୍ତା ଅକ୍ଟୋବରରେ ଶେଷ ହେବାକୁ ଯାଉଛି । ଆମେରିକା ଏହି କଟକଣାର ଅବଧି ବଢ଼ାଇବାକୁ ଚାହୁଁଛି । ହେଲେ ସୁରକ୍ଷା ପରିଷଦ ଆମେରିକାର ଏଭଳି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛି । ତେଣୁ ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ନେଇ ଆମେରିକା ଓ ଜାତିସଂଘ ସୁରକ୍ଷା ପରିଷଦ ଭିତରେ ଦୂରତା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି ।