Odia News Portal

ମନ୍ତ୍ରୀମାନଙ୍କ ଅଚାନକ ପରିଦର୍ଶନ ଏବେ ପ୍ରଚାରର ମାଧ୍ୟମ

ଭୁବନେଶ୍ୱର : ମନ୍ତ୍ରୀମାନଙ୍କ ଅଚାନକ ଗସ୍ତ ଏବେ ପ୍ରଚାରର ଭଲ ମାଧ୍ୟମ ପାଲଟିଛି । ଗସ୍ତ କରିବାବେଳେ ସାଙ୍ଗରେ
କ୍ୟାମେରାମ୍ୟାନ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଯାଉଥିବାରୁ ଗସ୍ତର ଉଦ୍ଦେଶ୍ୟ ସାଧିତ ହେଉ କି ନହେଉ ତାହାର
କିଭଳି ଭଲ ପ୍ରଚାର ପ୍ରସାର ହେବ ଓ ମୁଖ୍ୟମନ୍ତ୍ରୀଙ୍କ ନଜରରେ ପଡିବ ସେଥିପାଇଁ ଜୋରଦାର କସରତ ଚାଲିଛି । ନିକଟରେ ରାଜ୍ୟର କିଛି ମନ୍ତ୍ରୀଙ୍କ ଅଚାନକ ଗସ୍ତକୁ ଦେଖିଲେ ଏଭଳି ଅନୁଭୂତ ହେଉଛି । ଦୁଇଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ମବୀ ସମୀର ରଞ୍ଜନ ଦାସ ଅଚାନକ ରାଜଧାନରୀ ଗୋଟିଏ ବିଦ୍ୟାଳୟ ଗସ୍ତରେ ଯାଇଥିଲେ ।
ସାଙ୍ଗରେ ଥିଲେ କ୍ୟାମେରାମ୍ୟାନ । କିଛି ସମୟ ପରେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ବି ଆସି ପହଞ୍ଚିଲେ । ମନ୍ତ୍ରୀ ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷୟତ୍ରୀଙ୍କ ସହିତ ଆଲୋଚନା କଲେ । ତାଙ୍କୁ ସାଙ୍ଗରେ ନେଇ ବିଭିନ୍ନ ଶ୍ରେଣୀକକ୍ଷକୁ ଗଲେ । ପ୍ରଧାନ ଶିକ୍ଷୟତ୍ରୀ ଓ ଅନ୍ୟ ଶିକ୍ଷୟତ୍ରୀଙ୍କ ସାମ୍ନାରେ ପିଲାଙ୍କୁ ସୁବିଧା ଅସୁବିଧା ପଚାରିଲେ । ହେଲେ ନିଜ ବିଦ୍ୟାଳୟର
ପ୍ରଧାନ ଶିକ୍ଷୟତ୍ରୀଙ୍କ ସୁଖରେ ପିଲା ଯାହା କରିବାକଥା କଲେ । ସବୁ ଠିକ୍‍ ଅଛି ବୋଲି କହିବାରୁ ମନ୍ତ୍ରୀ ଖୁସିହୋଇ
ଫେରିଲେ । ପରଦିନ ବିଭିନ୍ନ ଗଣମାଧ୍ୟମରେ ବାହାରିଲା ମନ୍ତ୍ରୀଙ୍କ ଅଚାନକ ଗସ୍ତର ସଚିତ୍ର ଖବର । ଖବର ଦେଖି ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ମନ୍ତ୍ରୀ ଖୁସ୍‍ । ହେଲେ ଏଥିରୁ କାହାର କଣ ଲାଭ ହେଲା ତାହା କେହି ଜାଣିପାରୁ ନାହାନ୍ତି ।
କୁହାଯାଉଛି ଆଗାମୀ ମାସରେ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଦେଲାବେଳେ ଏହି ସଚିବ ଖବରଟି ସେଥିରେ ଯୋଡାଯିବ ।
କେବଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନୁହନ୍ତି ଦୁଇଦିନ ତଳେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ବି ପାଠାଗାରକୁ ଅଚାନକ ପରିଦର୍ଶନ କରିଥିଲେ । ସେଠରେ ବି ଏକା ଅବସ୍ଥା । ସାଙ୍ଗରେ ଫଟୋଗ୍ରାଫର, ସୂଚନା ଅଧିକାରୀ ଓ କିଛି ଗଣମାଧ୍ୟମ ପ୍ରତିନିଧି ବି ଥିଲେ । ତା ପରଦିନ ଜୋରଦାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଲା । ଏଭଳି ଖବରକୁ ସରକାର ବି ନିଜେ ପ୍ରଚାର କରାଉଛନ୍ତି । ଆଉ କିଛି ମବୀଙ୍କ ଅଚାନକ ଗସ୍ତ ଖବର କିଭଳି ପ୍ରକାଶ ପାଇବ ସେଥିପାଇଁ ବିଭାଗ ପକ୍ଷରୁ ଖସଡା ପ୍ରସ୍ତୁତ ହେଉଛି । ହେଲେ ମୁଖ୍ୟମନ୍ତ୍ରୀ ଯେଉଁ ଉଦ୍ଦେଶ୍ୟ ରଖି  ମନ୍ତ୍ରୀ ମାନଙ୍କୁ ଏଭଳି ଆକସ୍ମିକ ପରିଦର୍ଶନରେ ଯିବାପାଇଁ ନିର୍ଦ୍ଦେଶ
ଦେଇଥିଲେ ତାହାର ଉଦ୍ଦେଶ୍ୟ ଏବେ ବାଟବଣା ହେବାରେ ଲାଗିଛି । ପରିଦର୍ଶନରୁ କିଭଳି ନିଜର ଭଲ ପ୍ରଚାର ପ୍ରସାର
କରିହେବ ସେଥିପାଇଁ ଏବେ ମନ୍ତ୍ରୀ ମାନେ ଲାଗି ପଡିଛନ୍ତି । ଉଲ୍ଲେଖନୀୟ ଯେ ମନ୍ତ୍ରୀମଣ୍ଡଳ ଗଠନ ପରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସ୍ୱଚ୍ଛ କରିବାପାଇଁ ମବୀମାନେ ନିଜ ନିଜ ବିଭାଗର ଦପ୍ତର ଗୁଡିକୁ ଅଚାନକ ପରିଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସାଧାରଣତଃ ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଗଣମାଧ୍ୟମ ତ ଦୂରରକଥା ତାଙ୍କର ବ୍ୟକ୍ତିଗତ
ସହାୟକ କି ଅଙ୍ଗରକ୍ଷୀ ମଧ୍ୟ ଟେର୍‍ ପାଇବାକଥା ନୁହେଁ । ଅତୀତରେ ମଧ୍ୟ ଏଭଳି ଅନେକ ଅଚାନକ ଚଢଉ ନଜରକୁ
ଆସିଛି । ହେଲେ ଏବେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶକୁ ଆଳକରି ମନ୍ତ୍ରୀମାନେ ଯେଭଳି ପ୍ରଚାର ପ୍ରଚାରରେ ମାତିଛନ୍ତି ସେଥିରୁ
କେତେକ ସୁଫଳ ସରକାର ଓ ଦଳକୁ ମିଳିବ ସେଥିନେଇ ସନ୍ଦେହ ପ୍ରକାଶ ପାଇଲାଣି ।