Odia News Portal

ଅବସରପ୍ରାପ୍ତ ଅଧିକାରୀଙ୍କୁ ଠିକା ନିଯୁକ୍ତି ଦୌଡ଼ରେ ଯୋଗାଣ ନିଗମ

ଭୁବନେଶ୍ୱର : ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦେବା ଦୌଡରେ ଏବେ ସାମିଲ ହେବାକୁ ଯାଉଛି ଓଡିଶା ରାଜ୍ୟ ଯୋଗାଣ ନିଗମ । ନିଗମକୁ ଡେପୁଟେସନରେ ଆସି ୫ବର୍ଷ କାର୍ଯ୍ୟ କରିଥିବା ଜଣେ ଯନ୍ତ୍ରୀଙ୍କୁ କିଭଳି ଏଠାରେ ପୁଣିଥରେ ଠିକାରେ ରଖାଯିବ ସେଥିପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ବିଭାଗୀୟ ମନ୍ତ୍ରୀଙ୍କୁ ଅନ୍ଧାରରେ ରଖି କିଛି ଅଧିକାରୀ ଏଭଳି ଖେଳ କରିଥିବା ଆଲୋଚନା ଚାଲିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଡିଶା ଖଣି ନିଗମରୁ ଜଣେ ଯନ୍ତ୍ରୀ ଡେପୁଟେସନରେ ଆସିଥିଲେ ଯୋଗାଣ ନିଗମକୁ । ଏବେ ସେ ଏଠାରେ ସାଧାରଣ ପରିଚାଳକ ପଦବୀରେ କାର୍ଯ୍ୟ କରୁଛନ୍ତି । ତେବେ ତାଙ୍କର ଅବସର ଚଳିତମାସ ଶେଷରେ ହେବାକୁ ଯାଉଛି । ତେଣୁ ପୁଣି ଥରେ ସେ କିଭଳି ନିଗମରେ ଠିକା ନିଯୁକ୍ତି ପାଇ ନିଜ ପଦବୀରେ କାର୍ଯ୍ୟ କରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।

ଆଜି ବସୁଥିବା ନିଗମର ବୋର୍ଡ ବୈଠକରେ ଏଭଳି ଏକ ପ୍ରସ୍ତାବକୁ ଅନୁମୋଦନ କରାଯିବା ପାଇଁ ଚୂଡାନ୍ତ ପ୍ରସ୍ତୁତି ସରିଛି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସୁଥିବା ବୋର୍ଡ ବୈଠକରେ ଏହି ପ୍ରସ୍ତାବ କିଭଳି ପାରିତ ହେବ ସେଥିପାଇଁ କିଛି ଅଧିକାରୀ ଦିନ ରାତି ଉଦ୍ୟମ ଜାରି ରଖିଛନ୍ତି । ତେବେ ଆଲୋଚନା ଅନୁଯାୟୀ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଏ ସଂକ୍ରାନ୍ତରେ ଅନ୍ଧାରରେ ରଖାଯାଇଛି । କାରଣ କୋଭିଡ ମହାମାରୀ ସମୟରେ ରାଜ୍ୟ ସରକାର ବ୍ୟୟ ସଙ୍କୋଚନ ନୀତି ଅବଲମ୍ବନ କରୁଥିବାବେଳେ ଠିକା ନିଯୁକ୍ତି ଉପରେ କଡା କଟକଣା ଲଗାଇଛନ୍ତି । ତେଣୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଜ ବିଭାଗରେ ଠିକା ନିଯୁକ୍ତି ଦେଇ ମୁଖ୍ୟମନ୍ତ୍ରୀଙ୍କ କୋପ ଦୃଷ୍ଟିରେ ପଡିବାକୁ ଚାହିଁବେ ନାହିଁ । ସେଥିପାଇଁ ଠିକା ନିଷ୍ପତ୍ତି ସଂକ୍ରାନ୍ତରେ ମନ୍ତ୍ରୀ ଜାଣିବା ପୂର୍ବରୁ ବୋର୍ଡ ବୈଠକରେ ପାରିତ କରାଇ ନେବାପାଇଁ ଜୋରଦାର ଉଦ୍ୟମ ଚାଲିଛି । ଯଦି ଏହି ପ୍ରସ୍ତାବରେ ମୋହର ଲାଗିବ ତେବେ ଡେପୁଟେସନରୁ ଫେରି ଓଏମ୍‍ସିରୁ ଅବସର ନେବା ପରେ ପରେ ଯନ୍ତ୍ରୀ ଜଣଙ୍କ ପୁଣି ଆସି ଯୋଗାଣ ନିଗମ
ଚଉକିରେ ବସିବେ । ତେବେ ଯୋଗାଣ ନିଗମରେ ମାଳ ମାଳ ଦକ୍ଷ ଓ ବରିଷ୍ଠ ଅଧିକାରୀ ଥିବାବେଳେ ଏହି ଯନ୍ତ୍ରୀଙ୍କୁ ଠିକା ନିଯୁକ୍ତି ଦେବାପାଇଁ ଏତେ ବ୍ୟାକୁଳତା କାହିଁକି ବୋଲି କର୍ମଚାରୀମାନେ ଆଲୋଚନା କରୁଛନ୍ତି ।

ଏହି ସୂତ୍ରର ଖବର ଅନୁଯାୟୀ ଯନ୍ତ୍ରୀ ଜଣଙ୍କ ଜଣେ ଅତ୍ୟନ୍ତ କରିତ୍‍କର୍ମା ଅଧିକାରୀ । ସିଭିଲ ଯନ୍ତ୍ରୀ ହୋଇ ଯୋଗାଣ ନିଗମକୁ ଡେପୁଟେସନରେ ଆସି ଆସ୍ଥାନ ଜମାଇଛନ୍ତିା ତାଙ୍କ ଯୋଗୁଁ ଅନେକ ତଳିଆ ଅଫିସର ଉଧେଇ ପାରୁନାହାନ୍ତି । ବିଭାଗରେ ଯିଏ ସଚିବ ଭାବେ ନିଯୁକ୍ତି ପାଉଛନ୍ତି ଯନ୍ତ୍ରୀ ଜଣଙ୍କ ତାଙ୍କୁ ପଟେଇବାରେ ଅତ୍ୟନ୍ତ ଧୂରନ୍ଧର । ଏଥି ସହିତ ନିଗମ ଓ ବିଭାଗ ବାହାରେ ମଧ୍ୟ ଜଣେ ଦୁଇଜଣ ଅବସରପ୍ରାପ୍ତ ଠିକା ଅଧିକାରୀଙ୍କୁ ନିଜ ଅକ୍ତିଆରରେ ରଖିଛନ୍ତି । ତେବେ ଏହି ଯନ୍ତ୍ରୀଙ୍କ ପାଇଁ ଭୁବନେଶ୍ୱର ଗୁପ୍ତାବାବୁ, ବରଗଡର ଶର୍ମା ବାବୁ ଓ ନିଗମରେ ଥିବା ସୁରେଶ ବାବୁ ଲବି କରୁଥିବା ନେଇ ଆଲୋଚନା ହେଉଛି । ଏହି ତିନିଜଣ ଯନ୍ତ୍ରୀଙ୍କ ସହିତ ମିଶି ଯୋଗାଣ ବିଭାଗ ହାକିମଙ୍କ ଲାଗି ପ୍ରମୁଖ ଯୋଗାଡିଆ ସାଜିଥିବାରୁ ବିଭାଗୀୟ ମନ୍ତ୍ରୀ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ କିଛି କର୍ମଚାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ।